You are currently viewing ରଫ୍ ଖାତା
Odia Story Rough Khata (ରଫ୍ ଖାତା) by Chinmay Kumar Sahoo

ରଫ୍ ଖାତା

ଆଜି ବି ରାସ୍ତାରେ ପିଲାଟେ ବ୍ୟାଗ କାନ୍ଧେଇ ସ୍କୁଲ ଯିବାର ଦେଖିଲେ, କ୍ଷଣିକ ପାଇଁ କାନ୍ଧଟା ଆପେ ଆପେ ଭାରି ହେଇଯାଏ । ଆଖି ଆଗରେ ନାଚି ଉଠେ, ମନ ପସନ୍ଦର କାର୍ଟୁନ୍ ବା ସୁପର୍ ହିରୋଙ୍କ ପ୍ରିଣ୍ଟ ଥିବା ସେ ସ୍କୁଲ ବ୍ୟାଗ୍ ଆଉ ବ୍ୟାଗ୍ ଭିତରେ ସଜାଡ଼ି ହୋଇ ରହିଥିବା ବହି, ଖାତା ଓ ଜ୍ୟାମିତି ବାକ୍ସ । କିନ୍ତୁ ସେମାନଙ୍କ ଗହଳିରେ ଗୋଟାଏ ଖାତା ସହଜରେ ବାରି ହେଇ ପଡ଼େ । ହଁ ସମସ୍ତଙ୍କ ଠୁ ଟିକେ ଭିନ୍ନ ତା’ ବେଶଭୁଷା । ସେ ହେଲା ରଫ୍ ଖାତା ।

ପିଲାଦିନେ ଯିଏ ଯୋଉ ମାଧ୍ୟମ ସ୍କୁଲ କିମ୍ବା ଯେମିତିକା ସ୍କୁଲରେ ପଢୁ, ଆମ ଭିତରୁ ସମସ୍ତେ ଉଣା ଅଧିକେ ରଫ୍ ଖାତା ସହ ପରିଚିତ ଥିବେ । ସ୍କୁଲ ବ୍ୟାଗରେ ସବୁ ଖାତା ବହି ରୁଟିନ୍ ହିସାବରେ ନିଆ ହୁଏ । କିନ୍ତୁ ସୋମବାର ହଉ କି ଶନିବାର, ବ୍ୟାଗରେ ଯଦି କାହାର ସବୁ ଦିନିଆ ହକ୍ ଥାଏ, ତା’ହେଲେ ସେ ହେଲା ରଫ୍ ଖାତା । ଆଉ ଯଦି କେବେ କେମିତି ଦୁର୍ଭାଗ୍ୟକୁ ସେଟା ବ୍ୟାଗରେ ନଥାଏ, କାଇଁ କେଜାଣି ସବୁ ଥାଇ ବି ଅଲଣା ତରକାରୀ ପରି ସେ ଦିନଟା ଫାଙ୍କା ଫାଙ୍କା ଲାଗେ ।

ଅଙ୍କ କଷାଠୁ ଆରମ୍ଭ କରି ରଚନା ଲେଖା, ଛକି ଶୂନଠୁ ଆରମ୍ଭ କରି ରକେଟ ବନା; ସବୁବେଳେ ଦରକାର ହୁଏ ରଫ୍ ଖାତା । ଭାରି ଆପଣାର ଲାଗେ ସେ ଖାତାଟି, ଆଉ ସବୁଠୁ ଅଧିକ ପ୍ରିୟ ବି । ସ୍କୁଲ୍ ବେଳର କେତେ କେତେ ସ୍ମୃତି, ଦୁଷ୍ଟାମୀ ଆଉ ପିଲାଳିଆମୀର ମୂକ ସାକ୍ଷୀ ଥିଲା ରଫ୍ ଖାତା । କିନ୍ତୁ ସବୁ ବହି ଖାତାଙ୍କ ଭିତରେ ସେ ଥିଲା ସବୁଠୁ ଅଧିକ ଅବହେଳିତ । ସବୁଠୁ ଅଧିକ ଖୋଜା ପଡ଼ୁଥିଲେ ବି କେବେ ରଫ୍ ଖାତାକୁ ସାଇତିକି ରଖିବାର ମୋର ମନେ ପଡ଼ୁନି ।

ଅନ୍ୟ ବହି ଖାତାରେ ଚିକି ଚିକିଆ ମଲାଟ ମଡ଼େଇଲାବେଳେ ବି କେବେ ମନେ ପଡ଼େନି ରଫ୍ ଖାତା କଥା । ବୋଧେ ସେ ଖାତା ଉପରେ ଆଉ କାହାର ଦୃଷ୍ଟି ପଡ଼େନି ବୋଲି । ସେଥିରେ କିଛି ଗାରେଇବା ପୂର୍ବରୁ କି କାଗଜ ଚିରିବା ପୂର୍ବରୁ କେବେ ଭାବିବାକୁ ପଡ଼େନି । ସତେ ଯେମିତି ଆମ ସବୁ ଅତ୍ୟାଚାରକୁ ସହିବାକୁ ପଣ କରିଛି ସେ । ହଁ ଯେମିତି ସେ ଖାତା ଉପରେ କେବଳ ଆମରି ହକ୍ ଅଛି, ସମ୍ପୂର୍ଣ୍ଣ ହକ୍ ।

କେବଳ ପାଠ ନୁହଁ, ନିଜ ଲୋକଟେ ପରି ଆମର ସବୁ ବଦମାସିକୁ ବି ଛାତିରେ କୁଣ୍ଢେଇ ଧରୁଥିଲା ରଫ୍ ଖାତା । ସବୁବେଳେ ପାଖରେ ଥାଇ ଅତି ଆପଣାର ସେ । ତେଣୁ ଗାଁ କନିଆଁ ସିଙ୍ଘାଣିନାକୀ ଭଳି ତାକୁ ହତାଦର କରିବା ସ୍ୱାଭାବିକ କଥା । ଅବଶ୍ୟ ସେ ବି କେବେ ପାଟି ଫିଟେଇ ପ୍ରତିବାଦ କରେନି ଟିକେ ଆଦର କି ଯତ୍ନ ପାଇବା ପାଇଁ ।

ଆଜି ବୟସର ଏତେ ପାହାଚ ଅତିକ୍ରମ କଲା ପରେ କେବେ କେମିତି ସାନ ଭଉଣୀଠୁ ରଫ୍ ଖାତା ମାଗି ସେଥିରୁ କାଗଜ ଚିରି ସଉଦା ଚିଠା କଲାବେଳେ ମନେ ପଡ଼ିଯାଏ ମୋ ରଫ୍ ଖାତା କଥା । ଖାଲି ଖାତାଟେ ନୁହଁ, ସେ ବି ଥିଲା ଆମ ପିଲାଦିନର ଗୋଟେ ଅନ୍ତରଙ୍ଗ ବନ୍ଧୁ । ଆମ ସ୍କୁଲ ବେଳର ସବୁ ସ୍ମୃତିକୁ ସାଇତି ରଖିଥିବା ପୋଥିଟେ ।

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।