ରାତି ମୋ ବନ୍ଧୁ ଯେବେ ହେଲା
ନିଦ ଅଭିମାନ କଲା
ସପନ ରୁଷି ଗଲା
ନୟନ କ୍ଳାନ୍ତ ହେଲା ।
ରାତ୍ରି ନୁହେଁ କେବଳ ଅନ୍ଧକାର
ଏ ତ ଚନ୍ଦ୍ର, ତାରାର ସମାହାର ।
ସେଇ ସୁନ୍ଦରତାକୁ ବାଦ୍ ଦେଲି
ଅନ୍ଧାରକୁ ମୁଁ
ମୋ ଭିତରକୁ ଟାଣି ଆଣିଲି ।
ନିଶିକୁ ଯେବେ ଆଲିଙ୍ଗନ କଲି
ଅନ୍ଧାରକୁ ସେତେ ଭଲପାଇଲି
ଆଲୋକଠାରୁ ସତେ ଦୂରେଇ ଗଲି
ରବି କିରଣେ ନିଜ ଛାଇକୁ ବି ଡରିଗଲି ।
ଅନ୍ଧାର ରାତିରେ
ଝରକା କବାଟ ବନ୍ଦ ଥିବା
ସେଇ କୋଠରୀ ଭିତରେ
ଆଇନାକୁ ଯେବେ ମୋ ରଙ୍ଗ ପଚାରିଲି,
ସେ ନିରୁତ୍ତର ରହିଲା
ବିନା ଭୁଲରେ ଆଇନା ଭାଙ୍ଗିଲା ।
ଅନ୍ଧକାରର ରଙ୍ଗ ମୋତେ
ଏମିତି ମୋହର ଫାଶରେ ପକାଇଲା
ମୋ ଜୀବନରେ ଇନ୍ଦ୍ରଧନୁର ସାତ ରଙ୍ଗ
ଶୁଖିଲା ଫୁଲ ପରି ମଉଳି ଗଲା ।
ଜାଣି ପାରିଲିନି କେବେ
ଚୋରାବାଲିରେ ଗୋଡ଼ ପଡ଼ିଗଲା
ଯେତେ ବାହାର କରିବା ପାଇଁ ଚେଷ୍ଟା କଲି
ଆହୁରି ଭିତରକୁ ଗୋଡ଼ ଖସିଗଲା ।
– ସୁନିତା ପଟେଲ
Comments
ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।