You are currently viewing ରାକ୍ଷୀ
ରାକ୍ଷୀ

ରାକ୍ଷୀ

“ବୈଠକଖାନାରେ ଆଜି ଦୂରଭାଷ ଯନ୍ତ୍ରଟା କ’ଣ ଏତେ ଜୋରରେ ବାଜୁଛି… କ’ଣ କେହି ଘରେ ନାହଁ କି? ନା ଶୁଭୁନି କାହାକୁ? ମାନୀ ଏ ମାନୀ…..” ବିଶ୍ୱଜିତ୍ ବାବୁ ବିରକ୍ତି ପ୍ରକାଶ କରି ଆସି ରିସିଭର୍ ଧରି, କିଛି ସମୟ ପରେ ସ୍ଥାଣୁ ପାଲଟି ଗଲେ । ତା’ପରେ ରିସିଭର୍ ଫୋପାଡ଼ି ଦେଇ ବିଜୁଳି ବେଗରେ ଗ୍ୟାରେଜ୍ ଭିତରୁ କାର୍ ବାହାର କରି ଚାଲିଲେ, ଆଗରୁ ଗୋଟିଏ ଅତି ଜଣାଶୁଣା କିନ୍ତୁ ଏଇ ଗତ ୧୯ ବର୍ଷର ଅଜଣା ଠିକଣା ବାଟରେ । ସୁଉଚ୍ଚ ଫାଟକ ଆଗରେ ଗାଡ଼ି ଥୋଇ ଥରିଥରି ଆଗକୁ ପାଦ ପଡ଼ୁଥାଏ । କେହିଜଣେ ଗୁଡ଼ିଏ ରଙ୍ଗୀନ୍ ଲଫାପା ଆଉ ଖଣ୍ଡିଏ ଚିଠି ଆଣି ହାତରେ ଧରେଇ ଦେଲେ । ଚିଠିଟି ଖୋଲିବାକୁ ସାହସ ନ ଥିଲେ ବି, ଅଜାଣତରେ ଖୋଲି ସାରିଥିଲେ, ଆଉ ପୋଇମଞ୍ଜି ପରି ସୁନ୍ଦର ଅକ୍ଷରରେ ଲେଖା ଥିଲା ସେଥିରେ,

ଭାଇ,

ଏବର୍ଷର ରାକ୍ଷୀ ବି ଲଫାପା ଭିତରେ ସାଇତି ରଖିଲି । ବାନ୍ଧିବାକୁ ହେଲେ ମୋତେ ଏପଟ କୁଳର ଏରୁଣ୍ଡି ଡେଇଁ ଯିବାକୁ ପଡ଼ିବ । ଆଉ ସେପଟ କୁଳରେ ଲୋକେ ଚାହିଁ ବସିଥିବେ, ତୋ’ର ମୋର ଏ ସ୍ନେହର ବନ୍ଧନକୁ ଖୁସିରେ ପାଳିବାକୁ ନୁହେଁ, “କୁଳଟା”, “ସ୍ୱାମୀ ପରିତ୍ୟକ୍ତା” କହି ଉଲୁଗୁଣା ଦେବାକୁ । କହ ତ ! କେମିତି ଭୁଲିବି ଦୁହିତାଟିଏ ମୁଁ । ବୋଉ ପରା ବାରମ୍ବାର ରାଣ ଦେଇ କହିଛି, “ମା’ରେ ଯେତେ କଷ୍ଟ ହେଉ, ଯାହା ବି ହେଇଯାଉ, ଶାଶୁଘର ଏରୁଣ୍ଡି କେବେ ଡେଇଁବୁନି, ଯଦି ତୋ’ର ପତି ପରମେଶ୍ୱରଙ୍କ ଆଜ୍ଞା ନାହିଁ । ଯେବେ ବି ଡେଇଁବୁ ଛଅ ଖଣ୍ଡ କାଠରେ ତିଆରି ସବାରୀରେ ଡେଇଁବୁ । ନହେଲେ ଏ ଦୁନିଆ ଏ ସମାଜ ତୋତେ କୈଫିୟତ ମାଗିବ, ପ୍ରଶ୍ନବାଣରେ କ୍ଷତାକ୍ତ କରିଦେବ। “

ଆଶା କରେ, ତୁ ବୁଝି ପାରିବୁ। କଥା ଦେ ମୋତେ, ମୋ ଭାଉଜଙ୍କୁ କିନ୍ତୁ ଏମିତି କିଛି ଯେମିତି ସହିବାକୁ ନ ପଡ଼େ । ରହୁଛି ।

ଇତି,
ତୋର ଅଲିଅଳି
ରାକ୍ଷୀ

ଚିଠି ସହିତ ଦୀର୍ଘ ୧୯ ବର୍ଷର ସାଇତା ରାକ୍ଷୀ ଲଫାପା ଭିତରୁ କାଢ଼ୁ କାଢ଼ୁ ଅଜାଣତରେ ବିଶ୍ୱଜିତଙ୍କ ଆଖିରୁ ଗଡ଼ି ଚାଲିଥିଲା ଲୁହ । ସାମ୍ନାରେ ସାନ ଭଉଣୀ ରାକ୍ଷୀର ନିଶ୍ଚଳ, କ୍ଷୀଣ ଶରୀର ଛଅ ଖଣ୍ଡ କାଠର ସବାରୀରେ ଅହ୍ୟସୁଲକ୍ଷଣୀ ବେଶରେ ସଜ୍ଜିତ ହୋଇ ଅପେକ୍ଷା କରି ରହିଥିଲା ଶେଷ ଯାତ୍ରାର ଯାତ୍ରୀଟିଏ ହୋଇ । ରକ୍ତ ସମ୍ପର୍କରେ ଭଟ୍ଟା ପଡ଼ିଥିଲା ରାକ୍ଷୀର ବିବାହକୁ ନେଇ ମନାନ୍ତରରୁ । ଆଉ ଆଜି ରକ୍ତ କର୍କଟ ଛଡ଼େଇ ନେଲା ସିନା ନଶ୍ୱର ଶରୀରକୁ, କିନ୍ତୁ ୧୯ ବର୍ଷ ପରେ ବାପଘରର କିଏ ଜଣେ ତା’ ଶାଶୁଘରେ ପାଦ ଦେଇଛନ୍ତି ଦେଖି ବହୁତ ଦୂରରୁ ହସୁଥିଲା ମୁରୁକି ମୁରୁକି “ରାକ୍ଷୀ” ।

– ଶୁଭଲକ୍ଷ୍ମୀ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଲକ୍ଷ୍ମୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।