ଫେରିଛି ଫଗୁଣ

Pherichhi Phaguna Odia Short Story by Prabir Kumar Sahoo

ମାସରେ ପାଖାପାଖି କୋଡ଼ିଏ ବାଇଶି ଦିନ ତାଲା ଲାଗି ରହୁଥିବା, ସହର ଶେଷ ମୁଣ୍ଡରେ ଥିବା ଏଇ ଘରଟି କାହିଁକି କେଜାଣି କାହାରି ଆଖିକୁ ଭଲ ଦେଖା ଯାଏନି । କିଏ ଏ ଧୂଳି ଧୂସରିତ ରଙ୍ଗହୀନ ଘରଟିକୁ ପସନ୍ଦ କରେନି ତ’ ଆଉ କେହି ସେ ଘରେ ସାମାଜିକ ଚଳଣିଠାରୁ ଦୂରେଇ ରହୁଥିବା ଲୋକଟିକୁ । ଅନେକ ତ’ ସେ ପରିତ୍ୟକ୍ତ ପ୍ରାୟ ଘରେ ରହୁଥିବା ଲୋକଟିକୁ ଚିହ୍ନିନାହାନ୍ତି । ଏଇ ଘରଟି ଯେମିତି ସମୀର ଅପେକ୍ଷାରେ ହିଁ ସମୟ କାଟେ ! ଘର ପାଚେରୀରେ ଅନେକ ପୋଷ୍ଟର ଓ ବିଜ୍ଞାପନର ସମ୍ଭାର । ଚକ୍ ସାହାଯ୍ୟରେ ପାଚେରୀରେ କିଏ ଗୋଟେ ବଡ଼ ବଡ଼ ଅକ୍ଷରରେ ଗାରେଇ ଦେଇଛି ‘ବାୟା ଡାକ୍ତର’ ! ସେ ସବୁକୁ ଦେଖି ବି ଅଣଦେଖା କରେ ସେଇ ଘରେ ରହୁଥିବା ସେ ବାୟା ଡାକ୍ତର ‘ସମୀର’ ! ଯଦିଓ ଏ ସମାଜ ଦିନେ ତା’ ହୃଦୟର ଭାଷାକୁ ବୁଝିନଥିଲା, ପଡ଼ୋଶୀ ସହରରେ ଡାକ୍ତର ଥିବା ସମୀର କିନ୍ତୁ ହୃଦୟର ଭାଷା ଭଲଭାବେ ବୁଝିପାରେ । ଜଣେ ଦକ୍ଷ କାର୍ଡିଓଲୋଜିଷ୍ଟ ଭାବେ ଅନେକ ଖ୍ୟାତି ଅର୍ଜନ କରିଥିବା ସମୀରକୁ ଏ ସହରର ଅନେକ ଲୋକ କିନ୍ତୁ ଠିକ୍‌ଭାବେ ଜାଣି ନାହାନ୍ତି ଆଉ ସମୀର ବି ଏଠି ନିଜ ପରିଚୟକୁ ଯଥାସମ୍ଭବ ଲୁଚେଇବାକୁ ଚେଷ୍ଟା କରିଛି ।

ଚାକିରୀ ପାଇବା ପରେ ପରେ ଗୋଟିଏ ଦୁର୍ଘଟଣାରେ ବାପାମାଆଙ୍କୁ ହରେଇଥିଲା ସମୀର । ଏକପ୍ରକାର ନିଶ୍ୱ ଆଉ ସମ୍ପୂର୍ଣ୍ଣ ଏକା ହେଇ ଯାଇଥିଲା । ଦିଗହରା ସମୀର ଜୀବନରେ ‘ସୋନଲ’ ଆସିଥିଲା ଫଗୁଣର ଫଗୁ ସାଜି । ସୋନଲ ଥିଲା ଫରେଷ୍ଟ ଅଫିସର ଶୁକ୍ଳା ସାହେବଙ୍କ ଝିଅ । ଗୋଟେ ପ୍ରୋଜେକ୍ଟକୁ ନେଇ ଦୁହିଁଙ୍କର ଦେଖାହୁଏ ଆଉ ସମୀର ନିଜ ପେଶା ଓ ଅଭିଜ୍ଞତା ବିଷୟରେ କହୁକହୁ ମନଖୋଲି ସବୁ କହିଦିଏ ସୋନଲ ପାଖରେ । ସୋନଲ ମନର ଦୁଃଖ ଓ ସମ୍ବେଦନା ହଠାତ ପ୍ରେମର ରୂପ ନିଏ, ସେ ଭଲ ପାଇବସେ ସମୀରକୁ । କେବେ କାହା ପାଇଁ ଖୋଲି ନଥିବା ହୃଦୟ ଦୁଆରକୁ ପ୍ରଥମଥର ସମୀର ବି ଖୋଲିଦିଏ ସୋନଲ ପାଇଁ । ଭାଷାର ଭିନ୍ନତା ସତ୍ତ୍ୱେ ପରସ୍ପରକୁ ଭଲଭାବେ ବୁଝି ପାରୁଥିବା ଦୁଇଟି ମନ, ପ୍ରେମ ଆକାଶରେ ବହୁଦୂରକୁ ଉଡ଼ି ଯାଇଥିଲେ । ପରସ୍ପରଠାରୁ ଅଲଗା ନ ହେବାର ପ୍ରତିଶ୍ରୁତି ଦୁହିଁଙ୍କ ଶରୀର ଓ ଆତ୍ମାକୁ ଏକ କରିଦେଇଥିଲା । ଶୁକ୍ଳା ସାହେବଙ୍କର ମିଛ ଅହଙ୍କାର ଆଉ ଜାତି ଅଜାତିର ଖେଳରେ କିନ୍ତୁ ଛୋଟ ପଡ଼ିଗଲା ସମୀରର ବ୍ୟକ୍ତିତ୍ୱ । ସେ ଜିଦ୍ ଧରିବସିଲେ, କୌଣସି ସର୍ତ୍ତରେ ବି ସୋନଲର ବିବାହ ନିଜ ଜାତି ଓ ଭାଷା ବାହାରେ କରେଇ ଦେବେନି । ସୋନଲ ସହିପାରିଲାନି ସମୀରଠାରୁ ଦୂରତ୍ୱ ଆଉ ନିଜ ପ୍ରେମକୁ ଏ ଦୁନିଆରେ ଛାଡ଼ି ଚାଲିଗଲା ଆରପାରିକୁ । ଘର ବିକିବାକୁ ବିଜ୍ଞାପନ ଦେଇ ଶୁକ୍ଳା ସାହେବ ସେ ଘର ଛାଡ଼ି ଚାଲିଗଲେ, ଯୋଉଠି ସୋନଲ ନିଜ ଜୀବନକୁ ଶେଷ କରିଥିଲା । ସମୀର ଜଣେ ବ୍ରୋକରକୁ ହାତ କରି କିଣିଥିଲା ସେ ଘର । ସୋନଲର ସ୍ମୃତି କେବେ ତା’ ମନରୁ ଲିଭିଯାଉ ବୋଲି ସେ ଚାହୁଁ ନଥିଲା । ସୋନଲ ଯିବାପରେ ଏକୁଟିଆ ତିନିଟା ବସନ୍ତ କାଟିଲାଣି ସମୀର ଆଉ ପ୍ରତିଦିନ ଅନେକ ହୃଦୟ ତନ୍ତ୍ରୀକୁ ସଜାଡ଼ି ଚାଲିଥିବା ସମୀର କିନ୍ତୁ କାହାକୁ ନିଜ ହୃଦୟର ଠିକଣା ଦେଇନି । ଅନେକ ଆସିଛନ୍ତି, ଖୋଜିବାକୁ ଚେଷ୍ଟା ବି କରିଛନ୍ତି, ହେଲେ ସତେ ଯେମିତି ସମୀର ନିଜେ ହିଁ ହରେଇ ବସିଛି ସେ ଠିକଣାର ରାସ୍ତା ।

ଥରେ ରାତି ଦୁଇଟା ବେଳେ କୌଣସି ଏକ ସ୍ତ୍ରୀ ସ୍ୱରରେ ସମୀରର ନିଦ ଭାଙ୍ଗିଗଲା । ତଟସ୍ଥ ହେଲା ଉତ୍ତାରୁ ଜାଣିଲା ଯେ ଜଣେ ଯୁବତୀ ବାହାରେ ଛିଡ଼ାହୋଇ ସାହାଯ୍ୟ ଭିକ୍ଷା କରୁଛି । ଡାକ୍ତର ଧର୍ମାନୁସାରେ ସମୀର କାଳବିଲମ୍ବ ନକରି ଘର ବାହାରେ ଛିଡ଼ା ହେଇଥିବା ଗାଡ଼ି ପାଖକୁ ଯାଇ ଦେଖେ ତ’ ଜଣେ ବୟସ୍କ ଲୋକ ମୁମୂର୍ଷ ଅବସ୍ଥାରେ ପଛ ସିଟରେ ଶୋଇଛନ୍ତି । ସମୀର ପଚାରିଲା, “ଇଏ କିଏ, କ’ଣ ହେଇଛି ୟାଙ୍କର?” ଝିଅ ଜଣକ ଉତ୍ତର ଦେଲା, “ଇଏ ମୋ ବାପା ଆକାଶ ଦାଶ । ହଠାତ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ, ତାଙ୍କୁ ନେଇ ହସ୍ପାତାଳ ଯିବା ରାସ୍ତାରେ ଗାଡ଼ିଟା ଧୋକାଦେଲା । ସାର୍ ପ୍ଲିଜ଼୍ ଆପଣ ମୋତେ ସାହାଯ୍ୟ କରନ୍ତୁ ।” ସମୀର ଧାଇଁଗଲା ଘର ଭିତରକୁ, ଷ୍ଟେଥୋ ନେଇ ଫେରିଲା ବେଳକୁ ଝିଅଟି ଜାଣିଲା ସମୀର ଜଣେ ଡାକ୍ତର । ସ୍ୱଳ୍ପ ଉପଚାର ପରେ ଆକାଶ ସୁସ୍ଥପ୍ରାୟ ହେଲେ, ଉଠି ବସିଲେ । ଗାଡି ଖରାପ ଥିଲା ଆଉ ସମୀର ସକାଳ ପର୍ଯ୍ୟନ୍ତ ଦୁହିଁଙ୍କୁ ନିଜଘରେ ରହିବାକୁ ଅନୁରୋଧ କଲା । ପରଦିନ ସକାଳୁ ବିଦାୟ ଦେଲାବେଳେ ନିଜ ହସ୍ପାତାଳର ଠିକଣା ଦେଇ ବିଭିନ୍ନ ପରୀକ୍ଷା ସବୁ କରେଇ ନେବାକୁ ପରାମର୍ଶ ଦେଲା ।

ସୋନାଲି ଦାଶ, ଆକାଶ ବାବୁଙ୍କର ଏକମାତ୍ର ପୁତ୍ରୀ, ଯିଏ ପେସାରେ ଜଣେ ବ୍ୟାଙ୍କର । ଉଚିତ ସମୟରେ, ସମୀର ହସ୍ପାତାଳରେ ଆକାଶ ବାବୁଙ୍କ ଚିକିତ୍ସା ଆରମ୍ଭ କରିଥିଲା । ହାର୍ଟଷ୍ଟେଣ୍ଟ ଲାଗିଲା ପରେ ଆକାଶ ବାବୁ ଏକପ୍ରକାର ନିରାମୟ ହେଲେ ଆଉ ସମୀର ବିଷୟରେ ଜାଣିବାର ଉତ୍କଣ୍ଠା ସୋନାଲି ମନରେ ବଢ଼ି ଚାଲିଲା । ଏଇ ଘଟଣାର ଠିକ୍ ସପ୍ତାହେ ପରେ ସମୀର ସହ ହଠାତ ଦିନେ ସୋନାଲିର ଦେଖା ହେଲା । ସୋନାଲିର କଫି ନିମନ୍ତ୍ରଣକୁ ଅଣଦେଖା କରି ପାରିଲାନି ସମୀର । ବହୁତ ଦିନପରେ, ଅଳ୍ପସମୟ ମଧ୍ୟରେ ଗୋଟେ ବନ୍ଧୁତ୍ୱର ପରିବେଶ ସୃଷ୍ଟି ହେଲା ସମୀର ଓ ସୋନାଲି ମଧ୍ୟରେ । ସମୀରର ନିସଙ୍ଗ ଜୀବନରେ ଗୋଟେ ନୂଆ ରଙ୍ଗ ଲାଗି ଯାଇଥିଲା ଯେମିତି । ଆଉ ଏକ ଫଗୁଣ ଆଉ ଜଣେ ବନ୍ଧୁକୁ ନେଇ ଆସିଥିଲା ତା’ ଜୀବନ ପରିଧିକୁ । ହେଲେ ପ୍ରେମର ଦଂଶନଜ୍ୱାଳା ଏବେବି ମନରୁ ଲିଭି ନଥିଲା । ପ୍ରେମକୁ ନିଜ ହୃଦୟରେ ସ୍ଥାନ ଦେବାପାଇଁ ହୃଦୟ ବିଶାରଦ ସମୀର ପଛଘୁଞ୍ଚା ଦେଇ ଚାଲିଥିଲା । ଆଉ ସେପଟେ ସୋନାଲି ନିଜ ମନରେ ବୁଣି ଚାଲିଥିଲା ଅସରନ୍ତି ସ୍ୱପ୍ନର ବୁଢ଼ିଆଣି ଜାଲ । ସମୟ ସ୍ରୋତରେ ଅସହାୟ ଓ ସବୁ ଆତ୍ମୀୟଙ୍କୁ ହରେଇଥିବା ସମୀରକୁ ନିଜର କରିବାକୁ ପଣ କରିଥିଲା ସିଏ । ସେଦିନ ରାତିରେ ସୋନାଲି ଯେ ସମୀରର ଜୀବନୀ ଡାଏରି ପଢ଼ି ଦେଇଥିଲା, ସେକଥା ସମୀର ହୁଏତ ଜାଣି ନଥିଲା !

ଏହାର ଦ୍ଵିତୀୟ ଭାଗ “ଫେରିଛି ବର୍ଷା” ପ୍ରକାଶ ପାଇଥିଲା ଆମର ତୃତୀୟ ସଂସ୍କରଣରେ…

– ପ୍ରବୀର କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...