କେତେ ଆଶା ଆଉ ଆକାଂକ୍ଷା ସହିତ
ଚାହିଁ ରହିଥିଲି ଯେବେ
ଦିନ ମାସ ଯାଇ ବର୍ଷ ବିତିଗଲା
ନ ଫେରିଲ ତୁମେ ସେବେ ॥
ଛାଡ଼ିଗଲା ମନ ମଉଳିଲା ଆଶା
ସ୍ଥିର କରିନେଲି ମନେ
ଉଡ଼ିଗଲା ପକ୍ଷୀ ନ ଫେରିଲା ଭଳି
ଫେରିବନି ଆଉ ଦିନେ ॥
ପ୍ରେମର ବନ୍ଧନ ଥିଲେ ଯେ ନିବିଡ଼
ଆସିଯାଏ ଉଡ଼ା ପକ୍ଷୀ
ସେଇ ଭରସାରେ ପୁଣି ଆଉଥରେ
ବସା ମୁଁ ଯେ ବାନ୍ଧିଅଛି ॥
ନୂଆ ଋତୁ ଆସି ହୃଦୟରେ ମୋର
ସଞ୍ଚାରିଲା ନୂଆ ଆଶା
ଫଗୁଣ ମଳୟ ବହିବା ଆଗରୁ
ସରିଲା ତିଆରି ବସା ॥
ବସନ୍ତ ସରିକି ଗ୍ରୀଷ୍ମ ସରିଗଲା
ନ ମିଳିଲା ତୁମ ଦେଖା
ପ୍ରତି ଥର ଭଳି ଏଥର ବି ତୁମେ
ଦେଇ ଚାଲିଗଲ ଧୋକା ॥
ନ ହୋଇ ନିରାଶ ରଖିଛି ବିଶ୍ଵାସ
ଦିନେ ନା ଦିନେ ଫେରିବ
ଆଗମନେ ତୁମ ଅନ୍ତର ଆକାଶେ
ଖୁସି ବଉଦ ଘୋଟିବ ॥
ଜାଣିନି ସେ ଦିନ କେବେ ଯେ ଆସିବ
ପାଖେ ପାଖେ ଥିବ ତୁମେ
ଆଉ ପୁଣି କେବେ ଛାଡ଼ି ଯିବ ନାହିଁ
ରହିଯିବ ସବୁ ଦିନେ ॥
– ସୂର୍ଯ୍ୟପ୍ରକାଶ ନାୟକ
Comments

ସୂର୍ଯ୍ୟପ୍ରକାଶ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।