ପିଜି ଏଣ୍ଟ୍ରାନ୍ସ ଫର୍ମ ଭରିବା ପାଇଁ ଫଟୋ ଉଠେଇବାକୁ ଷ୍ଟୁଡିଓ ଭିତରେ ଅପେକ୍ଷା କରୁଥିଲି । ଷ୍ଟୁଡିଓର କାଚ ଦୁଆର ସେପଟେ ବୁଢ଼ୀ ମାଉସୀ ଜଣେ ଚିନ୍ତିତ ଦେଖାଯାଉଥିଲା । ବୋଧହୁଏ କାଚ ଦୁଆରଟାକୁ କେମିତି ଖୋଲିବ ଜାଣି ପାରୁନଥିଲା ସେ । କେହିଜଣେ ଦୁଆର ଖୋଲି ବାହାରକୁ ଗଲାରୁ ସେ ଭିତରକୁ ଆସିଲା । ବୟସ ୬୦ ପାଖାପଖି ହେବ। ବାଇଗଣୀ ରଙ୍ଗର ଚିରା ସ୍କାର୍ଫ ଭିତରୁ ତା’ ମୁଣ୍ଡର ଅଧାପାଚିଲା ବାଳ ଗୁଡ଼ାକ ଦିଶୁଥାଏ । ପାଖରେ ତା’ର ୪-୫ ବର୍ଷର ନାତୁଣୀଟି ପାଟିରେ ଆଙ୍ଗୁଠି ପୁରେଇ ଇଆଡ଼େ ସିଆଡ଼େ ଚାହୁଁଥାଏ । ଷ୍ଟୁଡିଓ କାନ୍ଥରେ ଲାଗିଥିବା କ୍ୟାଣ୍ଡିଡ୍ ଫଟୋଗୁଡ଼ାକୁ କିଛି ସମୟ ଚାହିଁଲା ପରେ କାନି ଗଣ୍ଠିରୁ ୩୦-୪୦ ଟଙ୍କା ଅତି ସନ୍ତର୍ପଣରେ ବାହାର କରି ବୁଢ଼ୀ ଦୋକାନୀକୁ ପଚାରିଲା, “ଭତ୍ତା ପାଇଁ ଅଧା ଫଟ ଉଠେଇବାକୁ ଆସିଛି, ଏତିକି ପଇସା ହବ ନା?”
“କୁନି ଝିଅକୁ ସେଇ ପଇସାରେ ଚକ୍ଲେଟ୍ ଆଉ ଖେଳନାଟେ କିଣିଦେବୁ”, ଉତ୍ତର ଆସିଲା ସେପଟୁ ।
ଅବିଳମ୍ବେ ବୁଢ଼ୀ ପାଟିରୁ ବାହାରି ଆସିଲା, “ଠାକୁର ତତେ ମୋ ଆଇଶ ଦିଅନ୍ତୁରେ ବା ।”
– ଡ. ଜୟପ୍ରକାଶ ପରିଡ଼ା
Comments
ଡ. ଜୟପ୍ରକାଶ ପରିଡ଼ା ପେଶାରେ ଜଣେ ଡାକ୍ତର, ଯିଏକି ଏସ୍.ସି.ବି. ମେଡିକାଲ୍ କଲେଜ, କଟକରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।