ତୁମେ କେତେ ଅଭିମାନୀ !!
ଦେବାର କିଛି କ୍ଷମତା ନାହିଁ ବୋଲି,
ତୁମେ ଅଳି କର, ଅର୍ଦ୍ଦଳି କର,
ରାଗ, ରୋଷ ଓ ଅଭିମାନ ବି କର,
ପରିଶେଷେ ତୁମର କେଇ ପଦ ମୃଦୁ ସଂଭାଷଣ,
“ଯଦି ଭୁଲରେ କିଛି କହିଥିବି କ୍ଷମା କରିଦେବ ।”
ମତେ ଭଲ ପାଇବା ଦିନଠୁଁ ଜାଣେନା,
ତୁମେ କିଛି ପାଇଛ କି ନାଇଁ,
ବରଂ ହରେଇଛ ନିଜସ୍ୱପଣ,
ହରେଇଛ ମନର ସ୍ଥିରତା, ନିଜର ସ୍ଵାଧୀନତା,
ପରିଶେଷେ ତୁମର କୁମାରୀ ଚପଳତା ।
ଦେଖତ ସମ୍ପର୍କ ଆଜି ବି ଅଧାଗଢ଼ା,
ଆମ ଭଲ ପାଇବାର ଗଭୀରତା ଓ ଭାବପ୍ରବଣତା,
ଟପି ପାରିନି ସେଇ ଅନୁବନ୍ଧିତ ସୀମାରେଖା,
ସମ୍ପର୍କର ପ୍ରଚ୍ଛଦେ ଭବିଷ୍ୟାଗତ,
ସାମାଜିକ ଷଡ଼ଯନ୍ତ୍ରର ପ୍ରାକ-ସୂଚନା,
ମଣିଷ ମଣିଷକୁ ଚିହ୍ନେନା, ରକ୍ତ-ରକ୍ତକୁ ଭୁଲିପାରେ,
ଏଠି ତ ସମ୍ପର୍କ ଭାଙ୍ଗେ ଆଉ ଯୋଡ଼େ
ଜାତି, ଗୋତ୍ର, ରୂପ ଓ ବର୍ଣ୍ଣର ଅନ୍ତରାଳେ ।
ତୁମକୁ ଏତିକି ତ ଦେଇ ପାରିବାର କ୍ଷମତା ଅଛି,
ତୁମେ ଓ ମୁଁ ସଂରଚନା କରିଥିବା ଆମ ଅଭିନ୍ନ କାହାଣୀର,
ପ୍ରତିଟି ଅଧ୍ୟାୟର ପରିଭାଷାକୁ ତୁମେ ଲେଖି ଚାଲିଥିବ,
ମୁଁ ତୁଳୀ ଧରି ରଙ୍ଗବୋଳି ଜୀବନ୍ତ କରି ଚାଲିଥିବି,
ଏଇ ମୋର ପ୍ରତିଜ୍ଞା ଆଉ,
ଏଇ ତ ତୁମ ଉପହାର ।
– ଡ. କୌଶିକ କୁମାର ପାଣିଗ୍ରାହୀ