ଜୀବନଟେ ପାଇ ଯେବେ ଜନ୍ମ ନେଲି
ଏ ଧରା ଧରଣୀ ତଳେ
ଆଦରେ କୋଳେଇ ନେଇଥିଲ ମତେ
ଧରି ତୁମ ବାହୁ ବଳେ ।
ଖୁସିର ଲହରୀ ଛୁଟି ଉଠୁଥିଲା
ଆନନ୍ଦରେ ଥିଲ ତୁମେ
କେତେ ସ୍ୱପ୍ନ ତୁମେ ମୋ ପାଇଁ ଦେଖିଲ
ଖୁସି ଦେବା ପାଇଁ ମନେ ।
ପ୍ରଥମେ ଧରିଲି ତୁମ ହାତ ଯେବେ
ଚାଲି ଶିଖାଇଲ ମତେ
ଝୁଣ୍ଟିବା ପୂର୍ବରୁ କୋଳେଇ ଧରିଲ
କଷ୍ଟ ହେବ ବୋଲି ମତେ ।
କେତେ ଅଳି କଳି କରିଛି ଜୀବନେ
ଦୋଷ ମୋର ଧରିନାହଁ
ସବୁ ଦୋଷକୁ ମୋ ନିଜ ମୁଣ୍ଡେ ନେଇ
କେବେ ଟାଣ କରି କହିନାହଁ ।
ଆଜି ମନେପଡ଼େ ସେହି ପିଲାଦିନ
ତୁମର ସେ ସ୍ନେହ ପ୍ରେମ
ମନ୍ଦିର ସଦୃଶ୍ୟ ପରିବାରେ ମୋର
ତୁମେ ହିଁ ଦେବତା ସମ ।
– ଅନୁରାଧା କର