You are currently viewing ତୁ ଆଉ ମୁଁ
Odia Poem Tu au Mun (ତୁ ଆଉ ମୁଁ) by Mahasmita Ojha

ତୁ ଆଉ ମୁଁ

ତୁ ଶୋଷର ସମୁଦ୍ର
ମୁଁ ଜୁଆରିଆ ନଈ
ତୁ ଅଶାନ୍ତ ଅବୁଝା
ମୁଁ ବାଟ ଭୁଲୁଥାଇ ।

ତୁ ତୁଠ ପଥରଟେ
ମୁଁ ଅଳତାର ପାଦ
ତୁ କାଶତଣ୍ଡୀ ପଠା
ମୁଁ ହଜୁଥିବା ନିଦ ।

ତୁ ଜହ୍ନର ଗଜଲ୍
ମୁଁ ଶୀତଳ ସମୀର
ତୁ ଦୂବଘାସ ହେଲେ
ମୁଁ ସକାଳ କାକର ।

ତୁ ନିଦାଘର ତାତି
ମୁଁ କୃଷ୍ଣଚୂଡ଼ା ଫୁଲ
ତୁ ମରୁଭୂମି ଶୋଷ
ମୁଁ ମରିଚିକା ଧାର ।

ତୁ ଶ୍ରାବଣ ବରଷା
ମୁଁ କାଗଜର ନାଆ
ତୁ ସୀମାରେଖା ଗାର
ମୁଁ ପ୍ରୀତି ଝରା ଗାଆଁ ।

ତୁ ପୁନେଇଁର ଜହ୍ନ
ମୁଁ ଖଇର ଆଞ୍ଜୁଳି
ତୁ ମହୁଆ ପବନ
ମୁଁ ଝରା ଶେଫାଳୀ ।

ତୁ ବସନ୍ତର ରାସ
ମୁଁ ବିରହ ରାଗିଣୀ
ତୁ ମୁଠାଏ ଅବିର
ମୁଁ ଲେଖୁଛି କାହାଣୀ ।

ତୁ ବଇଁଶୀର ସୁର
ମୁଁ ସଞ୍ଜର ଗୋଧୂଳି
ତୁମ ମିଳନ କୁଞ୍ଜକୁ
ମୁଁ ହେଉଥାଏ ଝୁରି ।

– ମହାସ୍ମୀତା ଓଝା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମହାସ୍ମୀତା ଓଝା ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।