ମାଆ ମାଆ ବୋଲି
ଡାକିଦେଲେ ଥରେ
ଉଲ୍ଲସି ଉଠଇ ମନ,
ମାଆ ଥିଲେ ପାଶେ
ଲୋଡ଼ାନାହିଁ ଆମ
କୋଟି କୋଟି ଧନ ଜନ ॥
ଅଳିକରି ଯଦି
ତଳେ ଯାଅ ଗଡ଼ି
ମାଆ ପୋଛିଦିଏ ଧୂଳି,
କୋଳ କରିନେଇ
ଭୁଲାଏ ମନକୁ
ଗପ କହେ ଭଳି ଭଳି ॥
ଜ୍ୱର ବାନ୍ତି ହେଲେ
ପାଶେ ଜଗି ବସେ
ଗୋଡ ହାତ ଦିଏ ଆଉଁସି,
ଦୁଃଖ କଷ୍ଟ ସବୁ
ଛାଡ଼ି ଚାଲିଯାଏ
ଆଷିଶ ଦିଏ ବରଷି ॥
ମାଆର ସେନେହ
ଅମୃତ ଭଳି
ହୃଦୟ ଭାରି ଉଦାର,
ମାଆ ପରି ଆଉ
କିଏ ହେବ ସରି
ସୁଖ ଠୁଳ ସରଗର ॥
ମାଆର ଆଷିଶ
ବଳରେ ସିନା
ଶିଶୁଟି ହୁଅଇ ବଡ଼,
ମଥାପାତି ସବୁ
ସହିନେଇ ଯାଏ
ଆସିଲେ ବିପଦ ଜଡ଼ ॥
ମାଆର ମମତା
ସିନ୍ଧୁଗଭିରତା
ଯେଣୁ ମାପି ହୁଏ ନାହିଁ,
ଚିରଦିନ ପାଇଁ
ପାଦତଳେ ତା’ର
ମଥା ଆମ ଯାଉ ନଇଁ ॥
– ସୁରେନ୍ଦ୍ର ଜେନା