ମାଆ

Odia Poem Maa (ମାଆ) by Tapan Kumar Nayak

ଚଲା ପଥେ ମୋର ବାଟ ଭୁଲି ଗଲେ
ପ୍ରେମକୁ କରେ ମୁଁ ବନ୍ଧୁ
ପ୍ରେମର ନାଆରେ ନାଉରି ହେଇ ମୁଁ
ଲଙ୍ଘିଯିବି ଏହି ସିନ୍ଧୁ । (୧)

ଯେତେବେଳେ ପ୍ରେମ ହାତ ଛାଡ଼େ ମୋର
ମଥାରେ ମୋ ହାତ ଦେଇ
କୋଲେଇ ନିଏ ମାଁ ପଣତରେ ତା’ର
ମିଠା ମିଠା କଥା କହି । (୨)

ହୃଦୟଟି ତା’ର କେଡ଼େ ନିରିମଳ
ସେଇଠି ରଖିଛି ମତେ
ଦୁଃଖ ହେଉ ଅବା ବିପଦେ ଆପଦେ
କୋଳେଇ ନିଏ ତା’ ହାତେ । (୩)

ଦୁଃଖ ବେଳେ ମୋର ମଥାରେ ତା’ ହାତ
ଦିଅଇ ମତେ ସାନ୍ତ୍ୱନା
ଯେତେବେଳେ ଯାହା ମାଗେ ମୁହିଁ ତାକୁ
ଦିଏ ସେ ନ କରି ମନା । (୪)

ମାଆ ସିଏ ମୋର ଦେବୀ ରୂପେ ମୁହିଁ
ପୂଜଇ ତାହାକୁ ନିତି
ସାଙ୍ଗେ ମୋର ସେହୁ ସୁରକ୍ଷା ବଳୟ
ଦିନ ହେଉ ଅବା ରାତି । (୫)

ପ୍ରଥମ ଆଉ ଯେ ଶେଷ ପ୍ରେମ ମୋର
ତାହା ପରି କିଏ ହେବ?
ମାନିବି ତାକୁ ମୁଁ ହୃଦୟର ଦେବୀ
ଥିବାଯାଏଁ ଏହି ଜୀବ । (୬)

– ତପନ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...