You are currently viewing ନୀରବତାର ଭାଷା
ନୀରବତାର ଭାଷା

ନୀରବତାର ଭାଷା

ଏହି ପଥରେ ଯାତ୍ରୀ ଭାବରେ ହଜାଇଛି କି ଅସ୍ତିତ୍ୱ ନିଜର,
ଅବା ଏହା ଲକ୍ଷ୍ୟ ନୁହେଁ ମରୀଚିକା କେବଳ,
ଆସନ୍ତି କେତେ ମୋ ଅଟ୍ଟାଳିକାକୁ, ବୋଲନ୍ତି ମୋ ଅନୁଗାମୀ,
ସଫଳ ବ୍ୟକ୍ତିଙ୍କୁ ଅନୁକରଣ କରନ୍ତି ସଫଳତା କାମୀ,
ଚାହେଁନି, ଆସି ଏହି ଉଚ୍ଚତାକୁ, ହୁଅନ୍ତୁ ମୋ ଭଳି ନିରାଶ,
ବିକ୍ଷିପ୍ତ ହେଉ ସେ ଆଦର୍ଶ ଜୀବନ ଓ ନାନା ଅଭିଳାଷ,
ଭାବନା ଆସେ ଭାଙ୍ଗିଦିଅନ୍ତି ସଭ୍ୟତାର ମୋ ଘର,
ଡର ଲାଗେ, ମୋତେ ବୋଲାଇବ ସ୍ୱାର୍ଥପର ଏ ସଂସାର,
ଏଥି ମଧ୍ୟରେ ପହଞ୍ଚିଛି ନିଷ୍ପତ୍ତିର ସେ ବେଳ,
ଭୂପୃଷ୍ଠକୁ ଖସିଯିବି ଛାଡ଼ି, ମୋହ ହେବାର ସଫଳ,
ଖୁସିର ମିଛ ଅଭିନୟଠାରୁ ହେବ ପତନ ମୋ ଉତ୍ତମ
ପାଷାଣ ରୁପି ଏ ଜୀବନରେ ହେବ ଶାନ୍ତିର ଅଙ୍କୁରୋଦ୍‌ଗମ,
ଡେଇଁଲି ଉଚ୍ଚତାରୁ ଚିନ୍ତି ଉପଲବ୍ଧ ବିକଳ୍ପ,
ମନରେ ଉଦୟ ସ୍ମୃତି, ଅନୁଶଚନା ବି ଅଳ୍ପ ।

ଛାଡ଼ୁଥିଲି ସେ ଗର୍ବ ଗାରିମା ଛୁଇଁ ବାୟୁ ତରଙ୍ଗ,
ମନ ମୋର ଥିଲା ଖୁସି ଯେମିତି ନିଆଁ ପାଶେ ପତଙ୍ଗ,
ମୂର୍ଖ ସେ ପତଙ୍ଗ ଜଳୁଛି ଅନଳେ ପାଇବା ପାଇଁ କି ଖୁସି
ଅବା ବୁଦ୍ଧିମାନ ଲଭିଛି ସେ ଶାନ୍ତି କ୍ଷଣିଏ ଆଲୋକେ ବସି,
ବର୍ଷ ବର୍ଷର ଜୀବନରେ ଲୋଡ଼ା ଖୁସିର ମୁହୂର୍ତ୍ତ କେବଳ
ମୃତ୍ୟୁର ଭୟଠାରୁ ତା’ର ଆକର୍ଷଣ ସବଳ ।

ଭବନା ସରିବା ଆଗରୁ ଆସି ପଡ଼ିଲି ମୁଁ ଭୂମିରେ,
ଆଶା କରୁଥିଲି ଖୁସିର ଉଦିତ ଅରୁଣ ଅନ୍ତରେ,
ଶୁଷ୍କ ମରୁଭୂମିରେ ମିଳିବ ଜଳସ୍ରୋତ ପ୍ରମାଣ,
ମହାଜାଗତିକ ପିଣ୍ଡରେ, ଯେମିତି ମହାକର୍ଷଣ ।

ଦେଖିବା ପାଇଁ ଖୁସିର ଅସ୍ତିତ୍ୱ ଝାଙ୍କେ ମନ ଭିତରେ,
ଉପରେ ଥିଲେ ଅନ୍ଧାର, ଅନ୍ଧାର ରହିଛି ତଳେ,
ନାହିଁ ଏବେ ମଧ୍ୟ ମନରେ ଖୁସିର ଅବସ୍ଥାନ ।

ନାହିଁ ହସ, ନା ଲୁହ, ନା ଉପସ୍ଥିତିର କାରଣ,
ସମୟର ପ୍ରତି କ୍ଷଣ, ମୋ ଉପରେ ବୋଝ ପରି ବିତେ,
“ବ୍ୟର୍ଥ ଗଲା ଏ ଚେଷ୍ଟା” ଏପରି ମନ ମୋ ଚିନ୍ତେ ।

ବିଭିନ୍ନ ଭାବନା ଅବା ପରିଣାମେ ମନ ମୋ ରହିଲା ଲିପ୍ତ,
ଦେଖିଲି ଜଣେ ପୁରୁଷର ମୁହଁ ଖୁସିର ଆଭାରେ ଦୀପ୍ତ,
ସୁନ୍ଦର ସେହି ଅସ୍ତିତ୍ୱରେ ଶୋଚନାର ନାହିଁ ବ୍ୟଥା,
ଔର୍ଯ୍ୟଭରା ସେ ମୁଖମଣ୍ଡଳ କହିଯାଏ କେତେ କଥା,
ଦୈବୀ ଆଶୀର୍ବାଦ ସ୍ୱରୂପ ପାଖକୁ ଆସିଲେ ସନ୍ଥ
ମୋତେ ଲୋଡ଼ା ଥିଲା କାହାଣୀ, ସେ ଥିଲେ ଗଳ୍ପର ଗ୍ରନ୍ଥ ।

ଯେଉଁ ମନ ଡରୁଥିଲା କହିବାକୁ, ଅଜଣା ବ୍ୟକ୍ତିରେ କଥା,
ସେହି ମନ ଏକ ନିଃଶ୍ୱାସେ କହିଯାଏ ନିଜ ବ୍ୟଥା,
ଦେଖି ସେହି ସମାଜ କଲି ମୁଁ ସ୍ମୃତି ଚାରଣ,
ମନରେ ଉପସ୍ଥିତ, ସଫଳ ବ୍ୟକ୍ତିଗଣ,
ଖୁସି ସେମାନେ ବି ଥିଲେ ସେ ଉଚ୍ଚତାରେ,
ଖୁସି ଏମାନେ ବି, ରହି ମହୀପୃଷ୍ଠରେ,
ଆଗମନ ସେହି ସାଧୁଙ୍କ, ଜିଜ୍ଞାସୁ ମୋ ଉତ୍ତରର
ମୁଁ ଭାଷିଲି, “ଦେଖିଲି, ବୁଝିଲି, ଶିଖିଲି ଏ ସଂସାର,
ଖୁସି ମିଳେ ନାହିଁ ଉପସ୍ଥିତ ଯଦି ମନରେ ଦୋଷ,
କାଠ ସିନା ଜଳେ ଅନଳେ ଛାଡ଼ିଯାଏ ପାଉଁଶ,
କାଠ ଦୋଷ ଦିଏ ଅଗ୍ନିକୁ ତା’ର ଦହନ ପାଇଁ,
ଏକା ଅଗ୍ନି କିବା ଜାଳିବ ଯଦି ପବନ ନାହିଁ,
ସବୁଜ ଗଛ ଯେ ଗଢ଼ିଲା କରି ଆଦର ପୁତ୍ର ସମାନ,
ଏବେ ମୁଖାଗ୍ନି ଦେଉଛି ସେହି ଅମ୍ଳଜାନ,
ଦୋଷ ଅଛି କାଠର, ନିଆଁ ତ ତୃତୀୟ ପକ୍ଷ,
କର୍ତ୍ତବ୍ୟ ଠିକ୍‌ରେ କରିବା ଏକମାତ୍ର ତା’ ଲକ୍ଷ୍ୟ,
ମନର ବଇରୀ ମୁଁ ଅନ୍ୟକୁ ଦୋଷୀ କରେ,
ଏପରି ଗୁଣର ଅଧିକାରୀ ଖୁସି ରହିବି କେଉଁ ଉଚ୍ଚତାରେ !

କହୁଛି ମୁଁ ମୋ ଅବଲୋକନର ଶେଷକଥା,
ଖୁସିର କାରଣ ମନ ନୁହେଁ ନିର୍ଦ୍ଦିଷ୍ଟ ଉଚ୍ଚତା ।

ସଭ୍ୟତାର ଏକ ଅଟ୍ଟାଳିକାରେ ବସିରହିଛି ମୁହିଁ
ଶାନ୍ତ କାୟା, ଶିଥିଳ ଅଙ୍ଗ ମାତ୍ର ମନରେ ଶାନ୍ତି ନାହିଁ ।

ଗୌରବ ଗାରିମାର ଭିତ୍ତିଭୂମିରେ ଏ ଘରଟି ମୁଁ ତୋଳିଛି,
ଅତି ନିଜର ଏ ଅଟ୍ଟାଳିକା ଆଜି କାହିଁକି ପର ଲାଗୁଛି !

କାହିଁକି ମୋ ହସରେ ନାହିଁ ଖୁସି ଲେଶମାତ୍ର,
କାହିଁକି ସ୍ୱାଦ ଜଣାପଡ଼ୁନି ନିମ ଅବା ମହୁର ।
କାହିଁକି ଶ୍ୱାସ ପ୍ରଶ୍ୱାସରେ ନାହିଁ ଜୀବନର ପଦଚିହ୍ନ,
ଐଶ୍ୱର୍ଯ୍ୟପୂର୍ଣ୍ଣ ଏହି ଜୀବନଟି ଆଜି ଲାଗୁଛି କେଡ଼େ ଦାରୁଣ ।

ପିଲାବେଳେ ମାଟି ଉପରେ, ଧୂଳି ଖେଳୁଥିବା ବେଳେ
ଗର୍ବର ଏହି ସୌଧମାନ ଦେଖୁଥିଲି ରହି ତଳେ ।

ସଫଳତାର ଆଭା ଓ ତାରକାରେ ଆଲୋକିତ ସେ ଗମନ,
ସେହି ପଥର ଯାତ୍ରୀ, ହେବାରେ ଥିଲା ମୋ ମନ
ଆଜି ଯେବେ ସେ ପଥରେ ଚାଲି ପହଞ୍ଚେ ମୋ ଲକ୍ଷ୍ୟ
କାହିଁକି ମୁଁ ଦେଖି ପାରୁନି ନିଜକୁ ନିଜ ଭିତରେ?

ଅଭୟ କୁମାର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଭୟ କୁମାର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।