You are currently viewing ନଟ ଓ ନାଟୁଆ
Odia Story Nata o Natua (ନଟ ଓ ନାଟୁଆ) by Binay Mohapatra

ନଟ ଓ ନାଟୁଆ

ମାଙ୍କଡ଼ ମାଙ୍କିଡ଼ିଆର (ମଦାରୀ) ବନ୍ଧୁତା କେବଳ ଆବଶ୍ୟକତାର । ଆବଶ୍ୟକତା ନଥିଲେ ମାଙ୍କଡ଼ ଆଉ ମଣିଷର ସମ୍ପର୍କ କ’ଣ? ମଣିଷ ତା’ର ଡମ୍ବରୁ ବଜାଏ, ଆଉ ବିଚରା ମାଙ୍କଡ଼ ଡମ୍ବରୁର ତାଳେ ତାଳେ ନାଚେ, କେବେ ନୂଆବୋହୂ ହୋଇ ଯାଏ ତ କେତେବେଳେ ମଦୁଆ ସ୍ୱାମୀର ଅଭିନୟ କରେ । କିଛି କ୍ଷଣ ପାଇଁ ମଣିଷ ପାଲଟି ଯାଏ ନଟ, ଆଉ ମାଙ୍କଡ଼ ନାଟୁଆ । ମାଙ୍କଡ଼ ନାଚ ସରିଲେ ନଟର ଚିରା ଗାମୁଛା ଉପରେ କିଛି ଟଙ୍କେ ଦି’ ଟଙ୍କିଆ କଏନ ଏକାଠି ହୋଇ ଯାଏ । ନଟ କଏନ ତକ ସାଉଣ୍ଟି ନେଇ ଗାମୁଛାରେ ବାନ୍ଧି ନିଏ, ମାଙ୍କଡ଼କୁ କାନ୍ଧରେ ବସାଇ ନଟ ବାହାରି ପଡ଼େ ନୂଆ ଜାଗାକୁ ।

ବିଚରା ଏଇ ନାଟୁଆ ଦୟାରୁ ନଟର ଘର ଚଳେ । ଚୁଲିରେ ହାଣ୍ଡି ଚଢ଼େ । ନଟର ସ୍ତ୍ରୀ ଦେହ ଢାଙ୍କିବାକୁ ଶସ୍ତା ହେଉ ପଛେ ଶାଢ଼ି ଖଣ୍ଡେ ମିଳିଯାଏ । ନଟ ତ ନିମିତ୍ତ ମାତ୍ର, ନାଟୁଆ ଭରସାରେ ଦୁନିଆ ଚଳେ । ନାଟୁଆର ଅବସ୍ଥା ତା’ଠାରୁ ଆହୁରି ଖରାପ, ନଟର ଦୟା ନହେଲେ ବିଚରା ନାଟୁଆର ପେଟରେ ଦାନା ପଡ଼ିବନି । ବେକରେ ବନ୍ଧା ପଟିରେ ଲୁହାର ଚେନ । କିନ୍ତୁ ନାଟ ଦେଖାଇ ପାରେ ବୋଲି ନଟ କାନ୍ଧରେ ନାଟୁଆ ବସିପାରେ । ନହେଲେ ଧୁରନ୍ଧର ନଟର ଔକାତ୍ କେତେ? ଦର୍ଶକ ମାଙ୍କଡ଼ର ନାଚ ଦେଖିବାକୁ ଆସନ୍ତି । ନଟର ହାଡ଼ୁଆ କଦର୍ଯ୍ୟ ମୁହଁଟାର ମୂଲ୍ୟ କେତେ ମାଙ୍କଡ଼କୁ ସିନା ଜଣା । ନହେଲେ ସାମାନ୍ୟ ମାଙ୍କଡ଼ର ଏତେ ବହପ ମଣିଷ କାନ୍ଧରେ ବସିଯିବ?

ସବୁ ଯୁଗରେ ନଟର ଏହି ଦୂରବସ୍ଥା । ନଟ ଦୁନିଆକୁ ନଚେଇ ପାରେ, ହେଲେ ସବୁବେଳେ ନାଟୁଆ ହାତରେ କାଠ ପିତୁଳା ହୋଇ ରହେ । ବେଳେବେଳେ ଜଣା ପଡ଼େନି ନଟ କିଏ ନାଟୁଆ କିଏ । କାହା ଭରସାରେ ଦୁନିଆ ଚଳେ? ଭଗବାନଙ୍କୁ ନଟିଆ ନାଗର କହନ୍ତି, ହେଲେ ବୁଝି ହୁଏନା ପ୍ରକୃତ ନଟ କିଏ ନାଟୁଆ କିଏ? ଭଗବାନ ବଡ଼ ନା ମଣିଷ ବଡ଼, ବୁଝି ହୁଏନା । ଭଗବାନ ମଣିଷ ଗଢ଼ିଲେ ନା ମଣିଷ ଭଗବାନଙ୍କୁ ଗଢ଼ିଛି? ଏଠି ଜନତା ବଡ଼ ନା ନେତା ବଡ଼? ଜନତା ନେତା ବନାନ୍ତି ନା ନେତାଏ ଜନତା ବନାନ୍ତି?

ସତ କଥା ହେଉଛି କେହି କାହାକୁ ସୃଷ୍ଟି କରନ୍ତି ନାହିଁ । ଦୁନିଆରେ ଯେତେକ ସମ୍ପର୍କ, ସବୁ କେବଳ ଆବଶ୍ୟକତାର । ଆବଶ୍ୟକତା ନଥିଲେ କେହି କାହାର ନୁହେଁ । ମଣିଷ ଆବଶ୍ୟକତା ଅନୁସାରେ ଭଗବାନ ବଦଳାଏ, ଦୁଃଖ ବେଶି ବଳିପଡ଼ିଲେ ଧର୍ମ ବି ବଦଳାଇ ନିଏ । ନହେଲେ ତେତିଶ କୋଟି ଦେବାଦେବୀ ପରେ ବି ହଜାର ହଜାର ବାବା ମାତାଙ୍କ ମନ୍ଦିର ତୋଳା ହୁଅନ୍ତାନି । ଆବଶ୍ୟକତା ଅନୁସାରେ ନେତାଏ ଦଳ ବଦଳ କରନ୍ତି, ଜନତା ନେତା ବଦଳାନ୍ତି, କେବେ ନେତାଏ ମୁହଁ ମୋଡ଼ି ନିଅନ୍ତି । ନିର୍ବାଚନ ଆଗରୁ ଜନତା ନେତାଙ୍କୁ ନଚାନ୍ତି ଆଉ ନିର୍ବାଚନ ପରେ ନେତାଏ ନିଜ ହିସାବରେ ମନ ଭରିବା ପର୍ଯ୍ୟନ୍ତ ଜନତାଙ୍କୁ ମାଙ୍କଡ଼ ବନେଇ ବାଡ଼ି ଦେଖାଇ ନଚାନ୍ତି । ବଡ଼ ବିଚିତ୍ର ଏଇ ନଟ ନାଟୁଆଙ୍କ ଚରିତ୍ର ଏବଂ ତା’ ଠାରୁ ଅଧିକ ବିଚିତ୍ର ସେମାନଙ୍କର ସମ୍ପର୍କ ।

– ବିନୟ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍‌ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।