You are currently viewing ମୋ ଗାଆଁ
Odia Poem Mo Gaon (ମୋ ଗାଆଁ) by Susmita Bavi

ମୋ ଗାଆଁ

ଗାଁ’ଟି ମୋର କେଡ଼େ ସୁନ୍ଦର
ସ୍ମୃତି ରହିଛି ମୋ ପିଲାଦିନର
ଯେଉଁଠି ଥିଲେ ଗାଁ’ର କଥା
ମନେ ପଡ଼େ ବାରମ୍ବାର ।

ମୋ ଗାଁ ପାଣି ପବନରେ ଗଢ଼ା
ମୋହରି ଜୀବନ
ଶୁଝି କି ପାରିବି କେବେ
ମୁଁ ତା’ରି ଋଣ ।

ସକାଳ ହେଲେ ପୂର୍ବ ଆକାଶେ
ସୂର୍ଯ୍ୟ ଉଇଁଥାଏ
ଜାତି ଜାତିକା ଫୁଲ ମହକରେ
ଗାଁ ମୋର ମହକୁ ଥାଏ ।

ଚାଳ ଉପରେ କାଉର ରାବ
ଗାଁ ମଝିରେ କୁକୁଡ଼ା ଡାକ
ଲାଗଇ କେଡ଼େ ସୁନ୍ଦର
ସକାଳ ହେଲେ ଶୀତଳ ପବନ
ଲାଗଇ କେତେ ମଧୁର ।

ପୂଜା ପାଉଛନ୍ତି ଦେବୀ ମାଆ
ଆମ ଗାଁ ଆରମ୍ଭରେ
ତାଙ୍କରି କରୁଣା ଥାଏ ସଦା
ଆମରି ଉପରେ ।

ମୋ ଗାଁ’ରେ ରହିଛି କେତେ
ନଡ଼ା ଛଣ ଛପର ଘର
କାନ୍ଥରେ ଅଙ୍କା ଯାଇଥିବା ଝୋଟି
କେତେ ମନୋହର ।

ଶାନ୍ତ ସରଳ ସମସ୍ତେ ଅଟନ୍ତି
ମୋ ଗାଁ’ର ଲୋକ
କୃଷି କାମ କରି ମେଣ୍ଟାନ୍ତି
ନିଜ ନିଜର ଭୋକ ।

ଚାଷୀ ଭାଇ ସକାଳୁ ଉଠି
ପଖାଳ ଗଣ୍ଡେ ଖାଇ
ଖୁସି ମନରେ ବିଲକୁ ଯାଏ
ହାତେ ହଳ ଲଙ୍ଗଳ ଧରି ।

ନଈ ଟିଏ ବହି ଯାଇଛି ମୋ
ଗାଁ’ର ଶେଷ ଭାଗରେ
ପାଠ ପଢ଼ା ସାରି ସବୁ ସାଙ୍ଗ ସାଥି
ଖେଳୁ ଆମେ ତା’ର କୂଳରେ ।

କେବେଠୁ ରହିଛି ଗାଁ ମଝିରେ
ଏକ ବୁଢ଼ା ବରଗଛ
ସନ୍ଧ୍ୟା ହେଲେ ଗଛ ମୂଳେ
ବସନ୍ତି ସବୁ ଲୋକ ।

ଅପରିଷ୍କାର କରୁନା ଆମେ ଗାଁ’କୁ
ସବୁବେଳେ ରଖୁ ସଫାସୁତୁର
ରାଗ ଅଭିମାନ ନଥାଏ ମନରେ
କାହାରି ସମସ୍ତେ ଏଠି ନିଜର ।

କେତେ ପର୍ବ ପର୍ବାଣୀ ପାଳନ ହୁଏ
ଆମରି ଗାଁ ଭିତରେ
ଭୁଲି ପାରିବିନି କେବେ ଗାଁକୁ
ଥିଲେ ଯେତେ ବି ଦୂରେ ॥

– ସୁସ୍ମିତା ବାଭୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁସ୍ମିତା ବାଭୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।