ମୋ ଭାଇ (ଜେଜେ)

Odia Poem Mo Bhai (ମୋ ଭାଇ (ଜେଜେ)) by Samyajit Patra

ଦର୍ପଣ ଆଗରେ ମୋ ମୁଖରେ ଦେଖୁଅଛି ପ୍ରତିବିମ୍ବ ତୁମ
ତୁମ ସହ ମୋ ହସ ଆଜି ମିଶିଯାଏ ଆଶ୍ଚର୍ଯ୍ୟ ଅନେକ ।
ତୁମ ସ୍ନେହ ଆଦରରେ ଖେଳୁଥିଲି ମୁଁ ତୁମରି କୋଳରେ ଦିନେ,
ଆଜି ମୁଁ ଖୋଜି ହୁଏ, ଆନାମନା ହୋଇ, ମୋ ମନର ଭାବନା ଆଉ କିଏ ଜାଣେ ।

ସ୍ମିତ ହସ ତୁମ ମନେ ମୋ ପଡ଼ୁଛି ଏକାନ୍ତରେ ଥିଲାବେଳେ,
ନିଶାର ଗଭୀର ପ୍ରହରୀରେ ନିଦ୍ରାଭଗ୍ନ ହୁଏ, ଦୁଃଖରେ ମୁଁ ଭାଳେ ।
ସଂସାରର ସବୁ ସୁଖ (ଖୁସି) ଯେ ଅଜାଡ଼ି ଥିଲ ମୋ ପାଇଁ,
ଆଜି କିଆଁ ମୋ ଖୁସିର ସମୟେ ଛାଡ଼ି ଚାଲିଗଲ ଭାଇ (ଜେଜେ) !?

ସବୁ ବାର ମଧ୍ୟେ ଶୁକ୍ରବାର ମୋର ଥିଲା ଯେ ଅତିପ୍ରିୟ,
ଜାଣେ ଗାଁ ହାଟ ସାରି ସବୁଥର ପରି ମିଠା ଆଣିବ ତୁମେ ନିଶ୍ଚୟ ।
ଜାନୁଆରୀ ମାସ ମଧ୍ୟାନ୍ତରେ ତୁମ ସହ ଯାଉଥିଲି ମକରମେଳା,
ତୁମ ବିନା ଅସାର ସେ ଯାନିଯାତରା ବୁଡ଼ିଲାଣି ମୋ ମେଳା ।

ସୁଖଦୁଃଖ ବୋଲି ନାହିଁ କିଛି ଭବେ
ଅଟେ ସବୁ ବିକାର,
ତୁମ ପରି ବନ୍ଧୁ କିବା ଅଛି ଜଗେ
ବିଚଳିତ ହୁଏ ବାରମ୍ବାର ।

ହୃଦଫୁଟା ହସ ଭୁଲି ତ ଗଲିଣି ତୁମ ଅଭାବରେ,
ଚେଷ୍ଟା ନିତି କରେ ହସିବାକୁ ପୁଣି ତୁମବିନା ଏ ମେଦିନୀରେ ।
ଆଶିର୍ବାଦେ ତୁମ ଜିତିଛି ମୁଁ ଜୀବନ ଯୁଦ୍ଧ କେତେ,
ତୁମବିନା କିପରି ଚାଲିଲି ମୁଁ ଆଜିର ଏ ଇହ ଜଗତେ ।

ପର ଆପଣା ମଧ୍ୟେ ଯେ ନ ଦେଖି ତାରତମ୍ୟ
ସଭିଙ୍କୁ କର ନିଜର,
ପର ଆନନ୍ଦେ ଆନନ୍ଦିତ ହୁଅନ୍ତି
ଏ କଥା କି ଜାଣେ ଏ ସଂସାର ।

ନିଜ ଅଜାଣତେ ଯଦି କେବେ ଦେଇଥାଏ ତମ ମନରେ ଦୁଃଖ,
କ୍ଷମାଦେବ ତୁମେ ହୃଦେ ସ୍ଥାନ ଦେଇ ଭାବି ମୋତେ ଗୋଟେ କୁନିମୁର୍ଖ ।

– ସମ୍ୟଜିତ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...