You are currently viewing ମିଡିଆ
Odia Story Media (ମିଡିଆ) by Rojalin Beehra

ମିଡିଆ

ସେଦିନ କିଛି ଏନଜିଓ ବାଲା ଗୋଟିଏ ନିମନ୍ତ୍ରଣ ପତ୍ର ନେଇ ନିଉଜ ଚ୍ୟାନେଲ ଅଫିସରେ ପହଞ୍ଚିଲେ…
ଏନଜିଓ ବାଲା: ସାର, ଆମେ “ଅସହାୟର ବନ୍ଧୁ” ସାମାଜିକ ସଂଗଠନରୁ ଆସିଥିଲୁ ।
ଚ୍ୟାନେଲ ହେଡ଼: ଆଜ୍ଞା କୁହନ୍ତୁ,
ଏନଜିଓ ବାଲା: ସାର, ଆସନ୍ତା ୧୨ ତାରିଖ ଦିନ ଆମ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି, ଆପଣମାନଙ୍କର ଉପସ୍ଥିତ ଏବଂ ବହୁଳ ପ୍ରସାରଣ ଦ୍ୱାରା ଆମେ ବିଶେଷ ଉପକୃତ ହେବୁ ।
ଚ୍ୟାନେଲ ହେଡ୍: ଦେଖନ୍ତୁ ଆମ ରିପୋଟର ମାନେ ସାଧାରଣତଃ ଏହି ରକ୍ତ ଦାନ, ଅଙ୍ଗ ଦାନ ଯେତେ ସବୁ ଶିବିର ଆଟେଣ୍ଡ କରି ଟାଇମ ୱେଷ୍ଟ କରନ୍ତିନି, ତଥାପି ଫୁରସତ ମିଳିଲେ ନିଶ୍ଚିତ ଭାବରେ ଯୋଗାଯୋଗ କରି ପହଞ୍ଚିବେ ।
ଏନଜିଓ ବାଲା: ଠିକ ଅଛି ସାର, ୧୫ ତାରିଖ ଦିନ ଗୋଟିଏ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ସୂଚୀ ନିର୍ଦ୍ଧାରଣ କରିଛୁ, ଆପଣମାନେ ଯୋଗଦେଲେ…
ଚ୍ୟାନେଲ ହେଡ୍: ବହୁତ ଭଲ କଥା, କିନ୍ତୁ ଆମ ପାଖକୁ ଏଇ ଭଳି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରତିଦିନ ଇନଭାଇଟେସନ ଆସୁଛି କିନ୍ତୁ ଆମେ ପ୍ରସାରଣ କରିପାରୁନାହୁଁ । ଚାହିଦା ଏତେ ନାହିଁ ତ ଏହି ଭଳି ଖବରର, ତେଣୁ ଆପଣଙ୍କୁ ମିଛ ପ୍ରତିଶୃତି ଆମେ କାହିଁକି ଦେବୁ କହୁନାହାନ୍ତି !
ଏନଜିଓ ବାଲା: ଓକେ ସାର, ଆସନ୍ତା ସଣ୍ଡେରେ ସମୁଦ୍ର କୂଳେ କୂଳେ ଦୀର୍ଘ ୧୦ କି ମି ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରିବାର ଯୋଜନା କରାଯାଇଛି, ତେଣୁ ଆପଣ ଟିକେ ଆମ ସାଙ୍ଗରେ….
ଚ୍ୟାନେଲ ହେଡ୍: ପ୍ରକୃତ କଥା କ’ଣ କି ଆମେ ଟିକେ ଗୁରୁତ୍ୱପୂର୍ଣ୍ଣ ତଥା ଚାଞ୍ଚଲ୍ୟକର ଖବର ଆମ ଚ୍ୟାନେଲ ପରଦାରେ ଦେଖେଇଥାଉ, ତେଣୁ ସେହି ଭଳି ଖବର ଆମକୁ ଦେଲେ ଆମ ରିପୋଟର ମାନେ ନିଶ୍ଚୟ ଯାଇ ପହଞ୍ଚିବେ ।
ଏନଜିଓ ବାଲା: ଅଛି ସାର, ଆଜି ସକାଳୁ ତ ଗୋଟେ ଚାଞ୍ଚଲ୍ୟକର ଘଟଣା ଆମ ଗାଁରେ ଘଟିଯାଇଛି… । ଜଣେ ଧୋବା ଘରର ବୋହୂ ତଳ ବ୍ରାହ୍ମଣ ସାହି ୧୭ ବର୍ଷ ପୁଅ ସାଙ୍ଗରେ ଫେରାର ।
ଚ୍ୟାନେଲ ହେଡ୍: ଓ ମାଇଁ ଗଡ଼ !! ହେଲୋ ସୁରଜ, ତୁମ ସର୍କଲରେ ହଂସପୁର ଗାଁ ଯାଉଛି ନା? ତୁରନ୍ତ ସେଇଠି ଯାଇ ପହଞ୍ଚ ଆଉ ଗୋଟେ ଫେରାର କେସ୍ ଅଛି ଆଟେଣ୍ଡ୍ କର । ହଁ ଭିଜୁଆଲ ଠିକରେ ନେବ, ମୋତେ ୧୦୦% ଏକୁରେସି ଦରକାର…
ଏନଜିଓ ବାଲା: ତେବେ ଆମେ ଆସୁଛୁ ସାର, ନମସ୍କାର ।
.
.
.
ସନ୍ଧ୍ୟା ବେଳକୁ ଗାଆଁ ସାରା ହଲଚଲ… ସିରିଅଲ୍ ଛାଡ଼ି ଗାଁ ମାଇପେ ଆଉ ତାସ୍ ଖଟି ଛାଡ଼ି ଗାଁ ଟୋକାଏ ଟିଭି ସାମ୍ନାରେ ଆଁ ।
ଖବର ଚାଲିଛି – “ତିନି ଛୁଆ ଓ ପଙ୍ଗୁ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ନିଜ ପ୍ରେମିକ ସାଙ୍ଗେ ଫେରାର”…

– ରୋଜାଲିନ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୋଜାଲିନ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।