ମାତୃଭାଷାକୁ ଭାବି ନ୍ୟୂନ
ନ କଲେ ପଠନ ଲିଖନ
କ’ଣ ହୁଏ ଯେ ଭାଷାବସ୍ଥା
ଦେଖିଲେ ବି ପଶେନି ଚେତା
ଏପରି ମନୋଭାବ ପୋଷି
ଲେଖକମାନେ ଏଠି ଖୁସି
ନ ବୁଝି ସ୍ୱଭାଷାର ସ୍ଥିତି
ଚାହାଂତି ବିଶ୍ୱବ୍ୟାପୀ ଖ୍ୟାତି
ନିଜ ମାଟିର ବାସ୍ତବତା
ନ ହେଲେ ଗଳ୍ପ ଓ କବିତା
ହରାଇଥାଏ ବିଶେଷତା
ଏହା ତ ଜଣାଶୁଣା କଥା
ରଚନା ହେଲେ ମାଟିଲଗ୍ନ
ଭାଷା ବି ହୁଏ ସୁସଂପନ୍ନ
ତେଣୁ କରିବା ବିତରଣ
ଅନୁଭୂତିରୁ ପ୍ରାପ୍ତ ଜ୍ଞାନ
ବ୍ୟକ୍ତିକୁ ବିଶ୍ୱ ସହ ଯୋଡ଼ି
ଆକାଶେ ଭାଷା ପାରେ ଉଡ଼ି
ଥକିଲେ ପୁନଶ୍ଚ ବାହୁଡ଼ି
ନୀଡ଼ରେ ରହିଥାଏ ପଡ଼ି
ଆକାଶ ଯେଣୁ ପଥହୀନ
ନ ଦିଶେ କାହା ପାଦଚିହ୍ନ
ଆକାଶେ ନାହିଁ ଯେଣୁ ଘର
ମାଟିକୁ କରଇ ନିର୍ଭର
ମାଟିରେ କରି ବାସ, ଗ୍ରାସ
ଦେଖାଇ ନିଜସ୍ୱ ସାହସ
ମଣିଷ ମଧ୍ୟ ପକ୍ଷୀ ପରି
ହୁଅଇ ଗଗନ ସଂଚାରୀ
– ପ୍ରଫୁଲ୍ଲ କୁମାର ତ୍ରିପାଠୀ