You are currently viewing ମଧ୍ୟସ୍ଥି
ମଧ୍ୟସ୍ଥି

ମଧ୍ୟସ୍ଥି

ଧେରଡ଼ା ଶୋଭନର ନାକ ଦଣ୍ଡିଟାକୁ ମାରି ଫଟେଇଦେଲା ସାନି । ଶୋଭନ କାନ୍ଦିକାନ୍ଦି ବାପାଙ୍କୁ କହିଲା, “ବାପା, ସେ ଧୁନ୍ଦୀ ମୋତେ ମାଲିଲା, ତା ଶାଶୂଘଲୁକୁ ମୁଁ ଯିବିନି ।” ଏହା କହି ପୁଣି କାନ୍ଦିଲା । ବାପା ହସିଦେଇ କହିଲେ, “ଏଇ ଗୋଟିଏ କଥା ନା, ତୁ ଚିନ୍ତା କରନା, ତାକୁ ଗୋଟେ ବାଳୁଙ୍ଗି ଶାଶୁଘର ଦେଖିକି ବାହା ଦେଇଦେବା, ଦେଖିବୁ ସେ ସାବଡ଼ ହୋଇଯିବ ।” ଏକଥାଶୁଣି ଶୋଭନ କାନ୍ଦ ବନ୍ଦ କରି କହିଲା, “ନା ନା ବାଲୁଙ୍ଗି ଘରେ ଦିଅନି, ତମେ ତାକୁ ମାର, ସେ କାହିଁକି ମୋତେ ମାରିଲା?”

ବାପା ଦାଣ୍ଡ ପିଣ୍ଡାକୁ ଯାଇ ଦେଖନ୍ତି ତ ସାନି ସକେଇ ହଉଛି ! ସାନିକୁ ସାନ୍ତ୍ୱନା ଦେବାକୁ ବାପା କହିଲେ, “ଆରେ ! ସେ ମେଞ୍ଚଡ଼ର ଏତେ ସାହସ ! ମୋ ଝିଅକୁ କନ୍ଦେଇ ଦେଲା, ତୁ ମାଆ ଜମାରୁ ଚିନ୍ତା କରନା, ଏଇ ରଜରେ ତାକୁ ପାନେ ଦେବା, ତୋ’ ପାଇଁ ତିନିହଳ ଡ୍ରେସ କରିବି ଆଉ ସେ ଟୋକାପାଇଁ ହଳେବି କିଣିବି ନାହିଁ, ଆରେ ହେ ! କ’ଣ ଭାବିଲା କି ମୋ ଝିଅକୁ ।” ସାନି ତୁନି ହୋଇଗଲା କହିଲା, “ନା ବାପା, ସେ ପୁଣି କାନ୍ଦିବ ପା ! ତା’ ପାଇଁ ହଳେ ଡ୍ରେସ କିଣିବା, ନଲେ ସେ ଆରବର୍ଷ ଭଳି ମୋ ଟିକିଲି ଫୋପାଡ଼ିଦେବ ।”

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।