You are currently viewing କେବେ ବି ଭାବି ନ ଥିଲି
Odia Poem Kebe bi Bhabinathili (କେବେ ବି ଭାବି ନ ଥିଲି) by Nibedita Nayak

କେବେ ବି ଭାବି ନ ଥିଲି

ଆଜି ବି ମନେ ପଡ଼େ ମତେ
ଆମ ପ୍ରଥମ ଦେଖା
ନା ଜାଣିଥିଲେ ପରସ୍ପରକୁ
ନା ହେଇଥିଲେ କଥା ।୧।

କିନ୍ତୁ ହେଇଥିଲା ତ କିଛି ସୃଷ୍ଟି
ଦୁହିଁଙ୍କ ମନରେ
ମିଶିଯାଇଥିଲା ଯେବେ
ଆଖି ଆଖିରେ ।୨।

କ୍ଷଣିକର ଆକର୍ଷଣ ପରି
ମତେ ଲାଗୁଥିଲା
ନଜରରୁ ଗଲେ ଭୁଲି ଯିବି
ବୋଲି ଲାଗିଲା ।୩।

ଘଟିଲାଣି ସେମିତି କିଛି ବି ଏଥର
ସ୍ମୃତିରୁ ତମେ ମୋ ହେଲନି ଅନ୍ତର ।୪।

ମାନସପଟ୍ଟରେ ଚିତ୍ର ତୁମର ଅଙ୍କିତ
ହୃଦୟ ବେଦିରେ ତୁମେ ତ ଇପ୍ସିତ ।୫।

ନ ଥିଲା ମୋର ପାଖେ ତମ
ନାମ କି ଠିକଣା
ଖୋଜିଲି, ପାଇଲିନି ତମର
କେହି ଜଣା ଶୁଣା ।୬।

ମନ କଥା ରଖି ଆଗକୁ
ବଢ଼ିଲି ଯେବେ
ଆଶାହରା ଜୀବନେ ଫେରି
ଆସିଲ ତମେ ସେବେ ।୭।

ତମ ଆଗମନେ ନ ଥିଲା
କିଛି ବାଧା ବିଘ୍ନ
ଥିଲା ପରିବାରର ସୀକୃତି
ସମାଜର ସମ୍ମାନ ।୮।

ଦିବା ସ୍ୱପ୍ନ କହି ଯାହା
ମୁଁ ଭୁଲିବାକୁ ଯାଉଥିଲି
ଜୀବନ ସାଥି ହେଇଯିବେ
ସେ କି ମୁଁ ଜାଣିଥିଲି ।୯।

ଖୋଜୁଥିଲି ମୁଁ ତାଙ୍କୁ ଖାଲି
ନୁହେଁ ସେ ବି ମତେ ଖୋଜୁଥିଲେ
ଏମିତି ପୁଣି ସଂଯୋଗ ହବ
ଅବା କିଏ ଜାଣିଥିଲେ ।୧୦।

କଥା ରହିଯାଇଥିଲା ଯାହା
ପ୍ରଥମ ଦେଖାରେ
ଏବେ ହଉ ସେ କଥା ଆମେ
ପ୍ରତି ମୁହୂର୍ତ୍ତରେ ।୧୧।

ଜିଇଁବାକୁ ଚାହୁଁ ଆମେ
ବୟସର ଅପରାହ୍ନ ଯାଏଁ
ଧରି ଦୁହେଁ ଦୁହିଁଙ୍କ ହାତ
ଇହ ଓ ପରକାଳ ଯାଏଁ ।୧୨।

ସୁନ୍ଦର କାହାଣୀର ଏ ତ
ଅୟମାରମ୍ଭ ହେଇଛି
ଲେଖିବାକୁ ତ ଆହୁରି
ବହୁତ ବାକି ଅଛି ।୧୩।

ଅନୁଭୂତି ଯେତେ ସାଉଁଟା ହେଉଥିବ
ପୃଷ୍ଠା ସେତେ ପୁଣି ଯୋଗ ହେଉଥିବ ।୧୪।

ଆଦି ତ ଅଛି ଏଠି ନାହିଁ କିନ୍ତୁ ଅନ୍ତ
ଏଠି ନହେଲେ ବି ଆଉ କୋଉ ପ୍ରାନ୍ତ ।୧୫।

– ନିବେଦିତା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିବେଦିତା ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।