ମନେପଡ଼ୁରେ ତୁ ଆଜି ଶୀତ
କେମିତି ପିଲାଦିନେ ତୁ ଆସିଥିଲୁ
ମୋ ଗାଁ’କୁ ଉତ୍ତରା ପବନେ ଥରେଇ,
ମୋ କର୍ମଚଞ୍ଚଳ ଗାଆଁଟି ହୋଇଯାଉଥିଲା
ଶୁନଶାନ୍ ତୋ’ର କ୍ରୁର ହେମାଳରେ
ନିର୍ଜ୍ଜନ ସାଜୁଥିଲା ବାଟ ଖାାଲି ତୋ’ ପାାଇଁ ।
ଚୁଲି ମୁଣ୍ଡ ସତେ ତୋ’ର ନିବାରଣ
ସବୁରି ସାହା ଭରସା ତୋ’ ଦାଉରୁ
ପାଇବାକୁ ରକ୍ଷା ଏ ଜାଡ଼ ରାକ୍ଷସଠୁ,
ଜେଜେମା କହେ ଗପ ଚୁଲି ମୁଣ୍ଡେ ବସି
କୋଳେ ବସାଇ ଗେହ୍ଲା ନାତିକୁ କିଛି
ସୁନ୍ଦର ସମୟ ବି ଭେଟି ଦେଉଥିଲୁ ନିଜଠୁ ।
ହାଡ଼ଭଙ୍ଗା ଶୀତ ତୋ’ର ଗରିମା ଭାଙ୍ଗୁଥିଲା
ଚଷାଭାଇ ଶ୍ରମ ଆଗେ ଯେବେ ପାହାନ୍ତାରୁ
ସେ ଯାଉଥିଲା ମାଟି ମା’ର ସେବା କରି,
ବୃଦ୍ଧ ଆଉ ଛୁଆଙ୍କ ନିଆଁପଇଁଁ ହେବା ଦେଖି
ପୁଣି ତୁ ଗର୍ବେ ଫୁଲାଉଥିଲୁ ଛାତି
ତୋ ପାରିବାପାଣିଆ ଦେଖିକରି ।
ମାର୍ଗଶିରରେ ହେଉ ତୁ ପୁଣି ଉତ୍ପାତ
ଝିଅବୋହୂଙ୍କୁ ଦେଉ ଥରାଇ ତୋ’ର
ଅହେତୁକ ଶକ୍ତି ଦେଖାଇ,
ଓଡ଼ିଆ ସଂସ୍କୃତି ଆଗେ ପୁଣି ହାର୍ ମାନୁ
ଝିଅବୋହୂଙ୍କ ପାହାନ୍ତା ଝୋଟି ଚିତା
ସାଜସଜାରେ ମଉଳି ଯାଇ ।
କାକରେ ସଜାଇ ତରୁଲତାଙ୍କୁ ଭରି
ହେମାଳ ବାତାବରଣ ଥରାଉ ସାରା
ଗାଁକୁ କରି ତୁ ହୀନିମାନ,
ପ୍ରାଣହରି ନେଉ ପୁଣି ତୋ’ ତେଜରେ
ଅନେକଙ୍କ ସୁଖ ଛଡ଼େଇ ନେଇ
ଦେଇ ଅନେକ ପୀଡ଼ା, କଷଣ ।
ଏତେ ସବୁ ଭିତରେ ସୋରିଷ ଫୁଲର
କ୍ଷେତ ବଢ଼ାଏ ତୋ’ ସୌନ୍ଦର୍ଯ୍ୟ
ହଳଦିଆ ଶାଢ଼ୀରେ ଢାଙ୍କି ଧରଣୀ ମା’କୁ,
ପର୍ବପର୍ବାଣୀରେ ପାବନ ହୁଏ ଚତୁର୍ଦ୍ଦିଗ
ନୂଆ ଅନୁଭୂତି, ନୂଆ ଉନ୍ମାଦନା ଭରେ
ସର୍ବେ ଜାଗ୍ରତ ନୂଆ କିଛି କରିବାକୁ ।
ମା’ ଲକ୍ଷ୍ମୀ ଦିଅନ୍ତି ଏ ଧରାକୁ ଶସ୍ୟେ ଭରି
ମାର୍ଗଶିରରେ ଘରେଘରେ ପାଦ ଦେଇ
ଧନରେ ଭଣ୍ଡାର ଭରି,
ସବୁ ଘର ଆଗେ ଗେଣ୍ଡୁର ବଗିଚା ଲାଗେ
ସତେ ମର୍ତ୍ତ୍ୟ ସରଗ ପାଲଟିଛି ନିର୍ମଳ
ପନିପରିବାରେ ବାଡ଼ିବଗିଚା ପୂରି ।
ଏହି ସରଳ ନିରୀହ ଗାଆଁ ତତେ ଆପଣେଇ
ନେଉଥିଲା ସ୍ନେହ ମମତାରେ ବାନ୍ଧି
ତୁ ପୁଣି ନେଉଥିଲୁ ବିଦାୟ ଅତିକଷ୍ଟେ,
ଥିଲା ସେ ସମୟ କେତେରେ ନିରୀହ
ବୋଧେ ତୁ ଝୁରୁଛୁ କାହିଁ ମନ କରୁନାହୁଁ
ଏବେ ଆସିବାକୁ ସେମିତି ଏ ମର୍ତ୍ତ୍ୟେ !
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।