You are currently viewing ଘୋଷ ଯାତ୍ରା
Odia Bhjan Ghosha Jatra (ଘୋଷ ଯାତ୍ରା) by Mamata Sahu

ଘୋଷ ଯାତ୍ରା

ନିଳାଦ୍ରୀ ବିହାରି ଶ୍ରୀ ପୁରୁଷତ୍ତୋମ
କରିବେ ଯେ ଘୋଷଯାତ୍ରା
ସଙ୍ଗତେ ଘେନିଣ ଭାଇ ଭଉଣୀଙ୍କୁ
ଦୟାମୟ ବିଶ୍ୱକର୍ତ୍ତା ॥

ରତ୍ନସିଂହାସନୁ ଓହ୍ଲାଇ ଶ୍ରୀହରି
ବଡ଼ଦାଣ୍ଡେ ବିଜେକରି
ଜଗନ୍ନାଥ ବଳଭଦ୍ର ଯେ ସୁଭଦ୍ରା
ଅପରୂପ ବେଶ ଧରି ॥

ସୁସଜ୍ଜିତ କେତେ ଶ୍ରୀ ବଡ଼ଦାଣ୍ଡରେ
ଶୋଭାପାଏ ତିନି ରଥ
ଲୀଳାମୟ ହରି ଲୀଳା ରଚିଛନ୍ତି
ବିଶ୍ୱସ୍ୱାମୀ ଜଗନ୍ନାଥ ॥

ବଳଭଦ୍ରଙ୍କର ତାଳଧ୍ୱଜ ରଥ
ସୁଭଦ୍ରା ଦର୍ପଦଳନ
ନନ୍ଦିଘୋଷ ରଥେ କାଳିଆ ଠାକୁର
କରନ୍ତି ବିରାଜମାନ ॥

ଆଳଟ ଚାମର ଶଙ୍ଖ ଘଣ୍ଟ ନାଦ
ଶୁଭୁଥାଏ ହରିବୋଲ
ଭଜନ କୀର୍ତ୍ତନ ପଡ଼ୁଛି ଉଛୁଳି
ସମାଗମ ଭକତିର ॥

ନାଲି ନାଲି ଓଠେ ହସି ମନ୍ଦ ମନ୍ଦ
ବାଙ୍କ ଚାହାଣିରେ ଚାହେଁ
ଝୁଲି ଝୁଲି ଜଗା ପହଣ୍ଡି କରିଣ
ଭକ୍ତ ମନ କିଣିନିଏ ॥

ଭକତ ମନରେ ଅପାର ଭକତି
ରଥ ଦଉଡ଼ିକି ଧରି
ଶରଧା ବାଲିରେ ଟାଣୁଥିବେ ରଥ
ଜୟ ଜଗନ୍ନାଥ ବୋଲି ॥

ମାଉସୀ ମାଆଙ୍କ ମନ୍ଦିରକୁ ପ୍ରଭୁ
ଯିବେ ନଅ ଦିନ ପାଇଁ
ଖାଇ ପୋଡ଼ ପିଠା ତୋଷ କରି ମନ
ଫେରିବେ ଜଗତ ସାଇଁ ॥

ଅଗତିର ଗତି ଆରତ ଭଞ୍ଜନ
ତବ ପାଦେ କୋଟି ପ୍ରଣାମ
ଉଦ୍ଧାରି ରଖହେ ଜଗତକୁ ପ୍ରଭୁ
ଏତିକି ମୋ ନିବେଦନ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।