(୧)
ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ । ପିଲା ଠୁଁ ବୁଢ଼ା ସବୁରି ମୁହଁରେ ତାହାରି ପ୍ରଶଂସା । ପାକୁଆ ପାଟିରେ ଲହଡ଼ିଭାଙ୍ଗୁଥାଏ ଖିଲିଖିଲି ହସ । ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ । ମହମହ ବାସନା ଛୁଟିଆସୁଥିଲା ଶାନ୍ତି ମାଉସୀ ଘରୁ । ସେ ବାସନାରୁ କେଉଁ ଗୋଟିଏ ଆପଣାପଣର ଅନୁଭବ ଭାସିଆସୁଥିଲା । ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ସେ ବାସନା ପୂର୍ଣ୍ଣଚ୍ଛେଦ ଟାଣି ଗାଁ କଥା ମନେପକାଇ ଦେଉଥିଲା । ଖବରକାଗଜ ପଢ଼ିବାରେ ନିଜକୁ ବ୍ୟସ୍ତ ରଖିବାକୁ ଯେତେ ଚେଷ୍ଟାକଲେ ବି କେଉଁ ଅଜଣାକୋହରେ ଅଣନିଃଶ୍ୱାସୀ ହୋଇଉଠୁଥିଲି ମୁଁ । ମୋ ଭାବନାର ପରିଧିକୁ ବଳପୂର୍ବକ ଅକ୍ତିଆର କରିଚାଲିଥାନ୍ତି ଅତୀତର ସ୍ମୃତିସବୁ । ସହରରେ ରହିବା ଇତିମଧ୍ୟରେ ୨୦ବର୍ଷ ହେଇଗଲାଣି । ମାଆ ଚାଲିଯିବାପରେ ଆଉକେବେ ଗାଁକୁ ଫେରିନି ମୁଁ । ହଠାତ୍ ଉଠିପଡ଼ି କପବୋର୍ଡ଼ ଖୋଲି ପୁରୁଣା ଡାଏରୀଟାକୁ ଖୋଲି ମାଆର ସେ କଳାଧଳା ଫଟୋଟିକୁ ଜାବୁଡ଼ି ଧରିଲି । ଆଖିଆଗରେ ନାଚିଉଠୁଥିଲା ସବୁକଥା । ମାଆର ହାତତିଆରି ଘାଣ୍ଟ ତରକାରୀର ବାସନା ସତେ ଯେମିତି ମୋର ଚତୁଃପାର୍ଶ୍ଵରେ ଭାସିବୁଲୁଥିଲା । କ୍ଷଣଭଙ୍ଗୁର ମୁହୂର୍ତ୍ତସବୁ ମାୟାମରୀଚିକା ସମ ଦୃଶ୍ୟପଟ୍ଟରୁ ଉଭେଇଯାଉଥିଲେ । ସେସବୁକୁ ଜାବୁଡ଼ିଧରିବାର ବୃଥାପ୍ରୟାସକରି ହାରିଚାଲିଥିଲି ବାରମ୍ୱାର । ମନର ଅବ୍ୟକ୍ତବେଦନା ସବୁ ବିଗଳିତ ବରଫାଶ୍ରୁର ରୂପନେଇସାରିଥାନ୍ତି । ଉଷ୍ମ ବରଫାଶ୍ରୁ ମାଆର କଳାଧଳାଫଟୋଟିକୁ ଧୌତ କରିଚାଲିଥାନ୍ତି । ମୁଁ ଭାବନାରାଇଜରୁ ବାହାରି ପ୍ରକୃତିସ୍ଥ ହେଲି ଶାନ୍ତିମାଉସୀର ସ୍ନେହାସିକ୍ତ ପରଶରେ । ମୋ ମୁଣ୍ଡକୁ ଆଉଁସି ଦେଇ ଘାଣ୍ଟ ତରକାରୀ ବେଲାଟାକୁ ବଢ଼େଇଦେଲେ । ନିଜ ରେଶମୀ ରୁମାଲରେ ଲୁହ ପୋଛୁପୋଛୁ ଶାନ୍ତିମାଉସୀ ନିଜ ହାତରେ ଘାଣ୍ଟ ତରକାରୀ ଖୁଆଇଦେଉଥାନ୍ତି । କାହିଁକି କେଜାଣି ସେ ତରକାରୀରୁ ମାଆର ଆତ୍ମୀୟତା ସ୍ପଷ୍ଟ ବାରି ହୋଇପଡ଼ୁଥାଏ ।
(୨)
ଦୁଃଖଲହଡ଼ିରେ ସୁଖଦିନର ସ୍ମୃତିର ଦୀପାଳି ନିର୍ବାପିତ ହୋଇଚାଲିଥାଏ । ନୀରବତା ଭିତରେ ମନର ଅକୁହା ବେଦନାକୁ ନିଶ୍ଚିହ୍ନ କରିବାର ବୃଥାପ୍ରୟାସ କରିଚାଲିଥାଏ ଜାଡ଼ିଦେଈ । ପୁରୁଣା ଗିମ୍ଭିରି ଘର କାନ୍ଥରେ ମିଞ୍ଜି ମିଞ୍ଜି ଆଲୁଅଦେଇ ଜଳୁଥିବା କଳଙ୍କିଲଗା ଲଣ୍ଠନକୁ ଏକଲୟରେ ଚାହିଁରହିଥାଏ ସେ । ତା’ ଜୀବନର ସବୁ ସୁଖଦୁଃଖର ମୂକସାକ୍ଷୀ ତ ସେହି ଲଣ୍ଠନ । ଏତେ କମ୍ ବୟସରୁ ବାଲ୍ୟବିଧବା ହେବାର ଦାରୁଣ ଦୁଃଖକୁ ପାଶୋରି ଦେଇଥିଲା ଏକୋଇରବଳା ବିଶିକେଶନ ରାମୁର ମୁହଁକୁ ଚାହିଁ । ଦୂତୀବାହନଙ୍କ ପାଖେ ଦ୍ୱିତୀୟା ତିଥିରେ ପୁଅର ଆୟୁଷ ମାଗୁଣି କରି ଶୁଭମନାସି ପୁଅଜୀଉନ୍ତିଆ କରୁଥିଲା । ପୁଅର ଅତିପ୍ରିୟ ଘାଣ୍ଟ ତରକାରୀ ଥିଲାବୋଲି ଓଷା ପରଦିନ କେତେ ସରାଗରେ ବାଡ଼ିବଗିଚାରୁ ପନିପରିବା ତୋଳି ଆଣୁଥିଲା । ନିଜ ହାତରେ ପେଟପୁରା ଖୁଆଇ ନଦେଲେ ତାକୁ ଶାନ୍ତି ମିଳୁ ନଥିଲା । ତାପରେ ତା’ ହାତତିଆରି ଘାଣ୍ଟ ତରକାରୀ ସାଇପଡ଼ିଶାରେ ବାଣ୍ଟୁଥିଲା । ହେଲେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାମୁ ଚାଲିଯିବାପରଠୁଁ ଜାଡ଼ିଦେଈ ପୂରା ଏକା ହୋଇଯାଇଛି, ଏତେବଡ଼ ଦୁନିଆରେ । ଲୋଚାକୋଚା ଚମର ଆବରଣରେ କଙ୍କାଳସାର ଦେହଟିକୁ ଘୋଡ଼େଇ ସାତସିଆଁ ଲୁଗାଟି ପିନ୍ଧି ଲେଞ୍ଜରାଭର୍ତ୍ତି କୋଟରାଗତ ଆଖିଯୋଡ଼ିକରେ ମୃତ୍ୟୁର ବାଟକୁ ଚାହିଁରହିଛି ।
ଆଜି ଦ୍ୱିତୀୟା ତିଥି । କାଲି ଘାଣ୍ଟ ତରକାରୀ । ଗାଁ ମାଇପେ ପୋଖରୀ ତୁଠରେ କୁହାକୁହି ହେଉଥାନ୍ତି, “ଆମେ ଏତେ ମାଲିମସଲା ଦେଲେ ବି ଜାଡ଼ିଦେଈର ଘାଣ୍ଟ ତରକାରୀର ସୁଆଦ ଆଉ କେଉଁଠି ନାହିଁ ।” ଏତିକି ବେଳେ ଦୂରରୁ କାନ୍ଦଣା ଶୁଭିଲା । ରାମ ନାମ ସତ୍ୟ ହେ, ହରିନାମ ସତ୍ୟ ହେ… ଜାଡ଼ିଦେଈ ଚାଲିଗଲା ବୋଧେ…
(୩)
ରାଜୁବୋଉ ଗରଗର ହୋଇ ହାତରେ ପରିବା ଓ ସଉଦାର ଲମ୍ୱା ତାଲିକା ଧରି ରୋଷେଇଘରୁ ବାହାରି ଆସିଲେ । “ହେଇଟି ଶୁଣୁଛ ! ଆଜି ମୋର ଦୂତୀବାହନ ଓଷା । ରାତିପାହିଲେ ଘାଣ୍ଟ ତରକାରୀ ହେବ । ଏତେଦିନ ପରେ ଛୁଆ ଦୁଇଟା ହଷ୍ଟେଲ୍ରୁ ଆସିଛନ୍ତି । ଘାଣ୍ଟ ତରକାରୀ ଖାଇବାରେ ତାଙ୍କର ଭାରି ମନ । ଯାହା ସଉଦା, ପରିବା ଲେଖିଛି ସବୁ ଆଣିବ ।” ପର୍ଶୁରାମଙ୍କ ହଲକ ଶୁଖିଗଲା ଏତେ ଲମ୍ୱା ତାଲିକା ଦେଖି । ମାସ ଶେଷ । ପାଖରେ ତ କାଣିକଉଡ଼ିଟେ ନାହିଁ । କ’ଣ କରିବେ ଭାବୁଥାନ୍ତି । ଏତିକିବେଳେ ରାଜୁବୋଉ ଲୁଗାକାନିର ଗଣ୍ଠି ଫିଟେଇ ୨୦୦ ଟଙ୍କା ହାତକୁ ବଢ଼େଇଦେଲେ । ଏଥର ସ୍ମିତହାସ୍ୟବଦନରେ ପର୍ଶୁରାମ ବଜାରକୁ ଯାଇ ଚିଠା ମୁତାବକ ସବୁ ଜିନିଷ ଆଣିଲେ । ଘାଣ୍ଟ ତରକାରୀ ବାସନାରେ ଆଜି ଘର ମହକୁଛି । ଛୁଆଦୁଇଟାଙ୍କ ସହ ଖାଇ ବସିଥାନ୍ତି । ପର୍ଶୁରାମ ନରମଗଳାରେ ପଚାରୁଥାନ୍ତି, “କିହୋ ରାଜୁବୋଉ ! ମୁଁ ତ ତୁମକୁ ଦେଇନଥିଲି । ୨୦୦ ଟଙ୍କା କେଉଁଠୁ ଆଣିଲ?” ରାଜୁବୋଉ ହସିହସି କହୁଥାନ୍ତି, “ଗଲାମାସ ଯେଉଁ କାଶପାଇଁ ଔଷଧ କିଣିବାକୁ ଦେଇଥିଲ, ମୁଁ ଲୁଚେଇ ରଖିଥିଲି । ନାଲି କାଢ଼ା ଚାହାରେ ତ କାଶ ହଜିଗଲା । ଯାହା ହଉ ଟଙ୍କାଟା କାମରେ ଲାଗିଲା ।” ନିରୁତ୍ତର ରହି ଆଖିକୋଣରେ ଜକେଇ ଆସୁଥିବା ଲୁହକୁ ଲୁଚେଇ ପର୍ଶୁରାମ ଖାଲି ଘାଣ୍ଟ ତରକାରୀର ସୁଆଦ ବଖାଣୁଥାନ୍ତି ।
– ଜନ୍ମଜୟ ନାୟକ
Comments
ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।