ଜହର କିସମ କିସମର, ଭିନ୍ନ ଭିନ୍ନ ରଙ୍ଗର
ସେ ଚିହ୍ନେନି ଜାତି, ଧର୍ମ, ଭାଷା, ରଙ୍ଗ, ଧନୀ କି ଗରିବ
ସେ ତ ମାତ୍ର ବେପାରଟିଏ ଛାତିଚିରା ଯନ୍ତ୍ରଣାର
ଲୁଟି ନିଏ ଅଜସ୍ର କାମନା ସ୍ଵପ୍ନ ଅଞ୍ଜୁଳାଏ ବିଶ୍ୱାସର
ଏବେତ ଏଠି କେବଳ ଜହର
ଖାଦ୍ୟ ପାଣି ପବନରେ, ବିଷର ବଳୟ
ଧଳା, ନୀଳ, ନାଲି ଯାହାର, ସତେ ଅବା ଅବିର ହୋଲିର
ଇଏ ସବୁ ବିଦେଶୀ ଜହର,
ସ୍ଵଦେଶୀ ଅଭିଯାନରେ ମହୁଲି, ହାଣ୍ଡିଆ, ଗଞ୍ଜେଇ, ଭାଙ୍ଗ
ଗାଁ’ରୁ ସହରଯାଏ, ସହରରୁ ଗାଁ’ଯାଏ ପସରା ଲମ୍ବିଛି
ଜହରର ପସରା ଲମ୍ବିଛି, ଟିକସର ଜାଲ ବୁଣା ହେଇଛି
ଅନେକ ଗୃହସ୍ଥି ଉଜୁଡ଼େ, ପରିବାର ଉଚ୍ଛନ ହୁଏ
ବାପା ପୁଅ, ଝିଅ ବୋହୂ, ସଭିଏ ପିଅନ୍ତି ସାଙ୍ଗ ହେଇ ଜହର
ଇଏ କୁଆଡ଼େ ଆଧୁନିକତାର ଇସ୍ତାହାର
ଭବିଷ୍ୟତ ଉଜୁଡ଼ୁ ପଛେ, ସମାଜ ଛାରଖାର ହେଉ
ନାଲି ପାଣି ପାଉଚରେ, ବୋତଲରେ, ଡବାରେ ଭିନ୍ନ ଭିନ୍ନ ରୂପରେ
ଶସ୍ତାରେ ହେଉ କି ମହଙ୍ଗାରେ, ପ୍ରତି ଗଳିରେ ମଣିଷକୁ ମିଳୁ
କାଳେ ଦାରିଦ୍ର୍ୟତା ଟଳିଯିବ ଏଇମାନଙ୍କ ପଇସାରେ
ଅନେକ ଆଶା ନିରାଶା କରେ ନିଶାର ଚକ୍ରବ୍ୟୁହରେ ଅଭିମନ୍ୟୁ ପରି ଚାଲିଯାନ୍ତି ଅବେଳାରେ
ଅନେକ ଝିଅ ଅବିବାହିତ ରହନ୍ତି ମଦୁଆ ବାପା, ଭାଇଙ୍କ ନିକର୍ତ୍ତବ୍ୟ ବୋଧର ଉହାଡ଼ରେ
ଅନେକ ସ୍ତ୍ରୀ ବେଶୁମାରି ଦୁଃଖକୁ ସହନ୍ତି
କଷ୍ଟରେ ଆଉଟନ୍ତି ଏଇ ଦୃଶ୍ୟମାନ ଅତିଷ୍ଠ ଯନ୍ତ୍ରଣା
ଇଏ କିନ୍ତୁ ଆକୀର୍ଣ୍ଣ ମାଟିର ବାସ୍ନାରେ
ମୃତ୍ୟୁର ଅଗ୍ରୀମ ଘୋଷଣା ନେଇ ଆସେ ମର୍ତ୍ତ୍ୟର ଜନପୁରୀରେ ।
– ଅନସୂୟା ପଣ୍ଡା