You are currently viewing ଗଛଟିଏ ମତେ କର
ଗଛଟିଏ ମତେ କର

ଗଛଟିଏ ମତେ କର

ଯେତେ ଯାହା କଲେ ହାଣିଲେ କାଟିଲେ
ଗଛ କ’ଣ କିଛି କହିଛି
ଖରା କି ବରଷା କାକର କୁହୁଡ଼ି
ନୀରବରେ ସବୁ ସହିଛି ॥

ବିପଦ ଆପଦ ଜୀବନେ ଆସିଲେ
ମଥା ପାତି ଆମେ ସହିବା;
ଗଛ ଶିକ୍ଷା ଦିଏ ସହିବା ଗୁଣଟି
ସଭିଙ୍କୁ ଏ କଥା କହିବା ॥

ଗଛ ଦାନ କରେ ଫଳ, ମୂଳ, କାଠ
ମହୁ, ଲାଖ, ଝୁଣା, ଟସର
କାହାର ଦାନରେ ମଣିଷ ବଞ୍ଚିଛି
ନିଜକୁ ଏ ପ୍ରଶ୍ନ କର !!

ପର ପାଇଁ ଦାନ ମହତ କରମ
ପୁରାଣରେ ଲେଖା ହୋଇଛି,
ଦାନ ଦେଇ କର ଜୀବନ ସଫଳ
ଗଛଟି ଏ କଥା କହୁଛି ॥

ଗଛ ଫୁଲ, ଫଳେ, ଚେର ବା ପତରେ
ଔଷଧିୟ ଗୁଣ ଭରିଛି;
ଭଲ ହେବ ରୋଗୀ ରୋଗ କବଳରୁ
ଗଛକୁ ଭରସା କରିଛି ॥

ନିଜ ସୁଖ ଭୁଲି ଅନ୍ୟର ସେବାରେ
ଗଛ ତା’ ଜୀବନ ଦେଇଛି
ପରର ସେବାରେ ସ୍ୱର୍ଗ ସୁଖ ମିଳେ
ଗଛଟି ଏ କଥା କହୁଛି ॥

ନିତି ଭାବେ ମୁହିଁ ଆଉ ଥରେ ଯଦି
ଜନମିବି ଧରା ପରେ
ଗଛଟିଏ ମତେ କର ମହାପ୍ରଭୁ
ମାଗୁଣୀ ଏ ତୁମ ଠାରେ ॥

– କଲ୍ୟାଣୀ ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଲ୍ୟାଣୀ ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।