You are currently viewing ଏମିତି ହୁଅନ୍ତାନି
ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି
ସରନ୍ତାନି କେବେ ଧୂଳିଖେଳ
ଷଡ଼େଇରେ ଭାତ ଡାଲି ରାନ୍ଧିବାର ବେଳ
ସାରୁପତ୍ର ଥାଳିରେ ଷଡ଼େଇ ଗିନାରେ
ପରସୁଥାନ୍ତୁ ତୁ ପାଖରେ ବସି
ମିଛି ମିଛିକା କୁନି ବୋହୁଟିଏ ସାଜି ।

ଫେରି ଆସନ୍ତାନି ।
ସେଇ ଅଫେରା ଦିନ
ରାଗ-ରୁଷା-ଅଭିମାନ
ମୁହଁ ଫୁଲାଫୁଲି
ଲୁଚକାଳି ଆଉ ବୋହୂଚୋରି ଖେଳ
କୁନିକୁନି କଅଁଳିଆ ପାପୁଲିରେ
ଆଖିବୁଜି ଧରିବାର ବେଳ ।

ଏମିନ୍ତି ହୁଅନ୍ତାନି ।
ସମୟଟା ରହିଯାନ୍ତା ଥମକରି
ତୋ’ ମୋ ଖେଳ ସେଇମିତି ଚାଲିଥାନ୍ତା
ଗତାନୁଗତିକ ରୀତିରେ
ଦିନରାତି ଆସିବା ପରେ
ପୃଥିବୀର ଆୟୁଷ ସରିବା ପର୍ଯ୍ୟନ୍ତ ।

ଏମିତି ହୁଅନ୍ତାନି ।
ଦୁନିଆର ପାପ-ରାକ୍ଷସର ଆଖି
ପଡ଼ନ୍ତାନି ଆମ ଉପରେ
ସେଇମିତି ନିଷ୍ପାପ ମନ ନେଇ
ଜୀବନର ମଧୁର ସଙ୍ଗୀତ ଗାଇ
ଶୋଇଯା’ନ୍ତେ ସାଥୀ ହୋଇ
ଅଭଙ୍ଗା ନିଦରେ ।

ଅଭିମନ୍ୟୁ ପାଢ଼ୀ
କୁମ୍ଭାରିଆ, ବନ୍ତ, ଭଦ୍ରକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ଅନ୍ତର୍ଗତ କୁମ୍ଭାରିଆ ଗ୍ରାମର ଅଧିବାସୀ ଶ୍ରୀଯୁକ୍ତ ଅଭିମନ୍ୟୁ ପାଢ଼ୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।