“ତୁମେ ଫେରିଯାଅ ଭିକ୍ଷୁ ! ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ ।”
ମାତା ରୂପଶ୍ରୀଙ୍କ କଣ୍ଠରେ ଦୃଢ଼ ପ୍ରତ୍ୟାଖ୍ୟାନ । କିଛି କ୍ଷଣର ନିଷ୍ଫଳ ପ୍ରତୀକ୍ଷା ପରେ ରିକ୍ତ ହସ୍ତରେ ନିରୁତ୍ସାହିତ ତଥା ଭଗ୍ନ ହୃଦୟ ଘେନି ପ୍ରତ୍ୟାବର୍ତ୍ତନ କଲେ ଶିଷ୍ୟ ଶିରୋମଣି ସାରୀପୁତ୍ତ । ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ପୁରୁଷ ସ୍ୱୟଂ ଗୌତମଙ୍କ ଇଚ୍ଛା ବିନମ୍ର ତଥା ଦୃଢ଼ ଭାବରେ ତାଙ୍କ ମାତାଙ୍କଦ୍ୱାରା ଏପରି ଯେ ପ୍ରତ୍ୟାଖ୍ୟାତ ହେବ, ତାହା ଥିଲା ତାଙ୍କ କଳ୍ପନାତୀତ । ଦୋଳ ପୂର୍ଣ୍ଣିମାର ବିଚ୍ଛୁରିତ ଦିଗନ୍ତ ବ୍ୟାପି ଶୁଭ୍ରରେଣୁରେ ପୁତ୍ରର ଛାୟା ବିଲୀନ ହେବାଯାଏଁ ଚାହିଁ ରହିଥିଲେ ମାତା ରୂପଶ୍ରୀ । ଦୀର୍ଘ ପ୍ରତୀକ୍ଷାର ଆଶା ଓ ଉଦ୍ଦୀପନାସବୁ ଚକ୍ଷୁର ନିଭୃତ କୋଣରୁ ଅବାରିତ ବାରି ହୋଇ ବୋହିଚାଲୁଥିଲା ନିରନ୍ତର ।
ଏ କ’ଣ ସବୁ ଘଟିଗଲା ! ମୁହୂର୍ତ୍ତ ପୂର୍ବରୁ ମନ ତଳ ଗହନ କିଆରୀରେ ଲହଡ଼ି ଭାଙ୍ଗୁଥିବା ସବୁ ଉଦ୍ବେଗ, ସବୁ ଉତ୍ସାହ ଥମ୍ କରି ଅଟକିଗଲା କେମିତି !! ବସନ୍ତ ରାତିର ସ୍ନିଗ୍ଧ ସୁଶୀତଳ ମଳୟରେ ସାରା ଶରୀର କୁହୁଳି ଉଠୁଛି କ’ଣ ପାଇଁ ! ମୁକୁଳିତ ଆମ୍ରକୁଞ୍ଜରୁ ଭାସିଆସୁଥିବା ରାତ୍ରପକ୍ଷୀର ସୁଲଳିତ ଗୁଞ୍ଜରଣ ଏତେ ବ୍ୟଗ୍ର ଓ କରୁଣ ଶୁଭୁଛି କାହିଁକି !! ସେ ତ ଅପେକ୍ଷା କରିନଥିଲା ଭିକ୍ଷୁ ସାରୀପୁତ୍ତକୁ, ଅପେକ୍ଷା ବି କରିନଥିଲା ଶିଷ୍ୟଶିରୋମଣି ସାରୀପୁତ୍ତକୁ । ସେ ତ ଅପେକ୍ଷା କରିଥିଲା ତା’ ବଞ୍ଚିବାର ସାହା ଭରସା, ତା’ ନୟନ ପିତ୍ତୁଳା ସାରୀକୁ । ଯାହାପାଇଁ ତା’ ହୃଦୟରେ ବୋହିଚାଲିଛି ଅବାଞ୍ଛିତ ଏକ ଚିରନ୍ତନି ପ୍ରେମର ଧାରା । ହେଲେ ପାଇଲା କ’ଣ? ଜଣେ କଙ୍କାଳ ସାର ଶୀର୍ଣ୍ଣ ଶରୀରରେ ଗୈରିକ ବସ୍ତ୍ରାବୃତ ଲଣ୍ଡିତ ମସ୍ତକଯୁକ୍ତ ଭିକ୍ଷୁକକୁ, ଯାହାର ଏକମାତ୍ର ଭିକ୍ଷା- ସେ ସଂଘରେ ଯୋଗଦାନ କରୁ !! ହେଲେ କାହିଁକି? ତା’ ପରି କୋଟି କୋଟି ପ୍ରାଣରେ ଅଶାନ୍ତି ଓ ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘ ପ୍ରତିଷ୍ଠିତ, ସେପରି ସଂଘରେ ସେ ଯୋଗ ଦିଅନ୍ତା ବା କିପରି !! ଗୌତମ ବୁଦ୍ଧ ସମଗ୍ର ଆର୍ଯ୍ୟାବର୍ତ୍ତକୁ ଶିଖେଇ ଦେଲେ ଦୟା, କ୍ଷମା, କରୁଣା ଓ ଧୈର୍ଯ୍ୟର ଶିକ୍ଷା; କିନ୍ତୁ ଯାହା ଶିଖେଇ ପାରିଲେନି ତାହା ହେଉଛି ପ୍ରେମ । ଅନ୍ୟକୁ ଭଲ ନପାଇ କିପରି ଜଣେ ଶିଖିପାରିବ ଏସବୁ? ଅନ୍ୟକୁ ଭଲ ନପାଇଲେ କିପରି ଅନୁଭବ କରିବ ଭଲ ଆଉ ମନ୍ଦ, ଠିକ ଆଉ ଭୁଲର ପାର୍ଥକ୍ୟ? ଗୌତମ ବୁଦ୍ଧଙ୍କୁ ପ୍ରେମ ନକଲେ ତାଙ୍କ ଶିକ୍ଷାକୁ ପ୍ରେମକରିବା କିପରି ବା ସମ୍ଭବ !! ତାହେଲେ ପ୍ରେମ ତାଙ୍କ ପାଇଁ ଏତେ ଅସ୍ପୃଶ୍ୟ କ’ଣ ପାଇଁ !!! ଭାବୁଥିଲେ ରୂପଶ୍ରୀ, ଝାଟିମାଟିର କାନ୍ଥକୁ ଆଉଜି ଏକ ଲୟରେ ମଥାନରେ ଶୁଭ୍ରଜ୍ୟୋତ୍ସ୍ନା ଉଦ୍ଭାସିତ ପୂର୍ଣ୍ଣିମାର ଚନ୍ଦ୍ରକୁ ଲକ୍ଷକରି ।
ଅନୁଭବର ପ୍ରତ୍ୟେକ ସ୍ଥରକୁ ଅତିକ୍ରମ କରିନଗଲେ କିପରି ଜଣେ ଅଭିଜ୍ଞତା ଅର୍ଜନ କରିପାରିବ? ଅନୁଭବ ବିନା କିଛି ବି ଶିକ୍ଷା କରାଯାଇପାରେ, ଜ୍ଞାନ ତ ନୁହେଁ ! ସ୍ୱୟଂ ଗୌତମ କ’ଣ କାହାକୁ ପ୍ରଦାନ କରିପାରିବେ ନିର୍ବାଣ ପ୍ରାପ୍ତି ସମୟରେ ଆହରଣ କରିଥିବା ସେ ଗୂଢ଼ ଜ୍ଞାନ? ନା ! ତା’ହେଲେ ସେପରି ଶିକ୍ଷାରେ ଲାଭ କଣ ! ସଂଘରେ ଯୋଗଦାନର ଆବଶ୍ୟକତା କ’ଣ ଅଛି ତାଙ୍କ ପାଇଁ !! ଯେଉଁ ଶିକ୍ଷା ପ୍ରେମ ଶିଖାଏନି, ମନରେ ହୃଦୟରେ ନିଆଁ ଜାଳିପାରେ, ସେ ଶିକ୍ଷାରେ ତା’ର କି ବା ଆବଶ୍ୟକତା !! ସେ ବେଶ ବୁଝିଛି ଏ ଗୂଢ଼ ତତ୍ତ୍ୱକୁ । ସେଥିପାଇଁ ତ ପୁତ୍ରର ଶେଷ ଭିକ୍ଷାକୁ ପ୍ରତିଖ୍ୟାତ କରିଛନ୍ତି ଦୃଢ଼ ପଦକ୍ଷେପରେ ଆଉ ବାଛି ନେଇଛନ୍ତି ଜୀବନକୁ । କାରଣ ସେ ଠିକ ବୁଝିଛନ୍ତି, ଜୀବନରେ ହିଁ ସମାହିତ ସେହି ଚିରଇପ୍ସିତ ମୋକ୍ଷ !!! ମଳିନ ଚନ୍ଦ୍ର ଏବେ ପଶ୍ଚିମ ଦିଗବଳୟରେ, ଗଣ୍ଡଦେଶରେ ଶୁଖିଯାଇଥିବା ଦୁଇଧାର ଅଶ୍ରୁର ଶେଷ ସଂକେତକୁ ଅଙ୍ଗୁଳିରେ ପୋଛି, କାନ୍ଥଉପରେ ଅବସ ଶରୀରକୁ ଆଉଯାଇ ଭାବିଚାଲୁଥାନ୍ତି ରୂପଶ୍ରୀ….
ଚତୁର୍ଥ ସଂସ୍କରଣରେ ଆମସହ ଯୋଡ଼ିହୋଇଥିବା ସମସ୍ତ ନୂତନ ଲେଖକ ଲେଖିକା ମାନଙ୍କୁ ଆନ୍ତରିକ ଅଭିନନ୍ଦନ ।
କୁମାର ପୂର୍ଣ୍ଣିମା ତଥା ଗଜଲକ୍ଷ୍ମୀ ପୂଜାର ଅନେକ ଅନେକ ଶୁଭେଚ୍ଛା ସହ
ଜୟ ଜଗନ୍ନାଥ !!!!
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।