ଥରେ ଏମିତି କଥୋପକଥନ ସମୟରେ ବ୍ରହ୍ମଦେବ ଶ୍ରୀ ବିଷ୍ଣୁଙ୍କୁ ପ୍ରଶ୍ନକଲେ, “ହେ ଭଗବାନ ! ବ୍ରହ୍ମତତ୍ତ୍ୱ କ’ଣ ?” ଶ୍ରୀ ବିଷ୍ଣୁ ଚିରାଚରିତ ମୃଦୁମନ୍ଦ ସହାସ୍ୟ ବଦନରେ ବ୍ରହ୍ମଦେବଙ୍କୁ ଚାହିଁଲେ ଏବଂ କହିଲେ, “ବ୍ରହ୍ମଦେବ, ମୁଁ ସେ ତତ୍ତ୍ୱକୁ ଗୋଟିଏ ଶବ୍ଦରେ କହିପାରିବି, କିନ୍ତୁ ତାହା ତୁମ ପକ୍ଷେ ବୋଧଗମ୍ୟ ହେବନାହିଁ । ଅତଃ ଚାରୋଟି ଶ୍ଳୋକରେ ବୁଝାଉଛି।” ଭଗବାନ ଶ୍ରୀ ବିଷ୍ଣୁ ସେହି ଚାରୋଟି ଶ୍ଲୋକରେ ବ୍ରହ୍ମାଙ୍କୁ ବୁଝେଇଥିବା ବ୍ରହ୍ମତତ୍ତ୍ୱ ସେହି ଚାରୋଟି ଶ୍ଲୋକରେ ବୁଝିଥିଲେ ଭଗବାନ ବ୍ୟାସଦେବ । ଶ୍ରୀ ବିଷ୍ଣୁଙ୍କ ମୁଖ ନିସୃତ ଚାରୋଟି ଶ୍ଲୋକର ଅର୍ଥ ବୁଝିବା ଏତେ ସହଜ ନଥିଲା ଅନ୍ୟମାନଙ୍କ ପାଇଁ । ସେଥିପାଇଁ ଦେବର୍ଷି ନାରଦ ଯେବେ ସେହି ତତ୍ତ୍ୱ ଶ୍ରୀ ବ୍ୟାସଦେବଙ୍କଠାରୁ ଶିକ୍ଷାକଲେ, ତାହା ରୂପାନ୍ତରିତ ହୋଇଥିଲା ଏକ ଶତ ଶ୍ଳୋକରେ । ବ୍ରହ୍ମଶ୍ରୀ ସେହି ଏକ ଶତ ଶ୍ଲୋକରେ ସେହି ତତ୍ତ୍ୱ ବର୍ଣ୍ଣନା କରିଥିଲେ ଶ୍ରୀ ଶୁକଦେବଙ୍କୁ । ନୈମିଷାରଣ୍ୟରେ ତାଙ୍କ ଜୀବନର ଅନ୍ତିମ ସପ୍ତଦିନ ଅତିବାହିତ କରିବାକୁ ମନସ୍ଥ କରିଥିବା କୁରୁ କୁଳଶ୍ରେଷ୍ଠ ମହାରାଜ ପରୀକ୍ଷିତ ଯେବେ ବ୍ରହ୍ମତତ୍ତ୍ୱ ଜିଜ୍ଞାସୁ ହୋଇ ଶୁକଦେବଙ୍କୁ ଅନୁରୋଧ କଲେ, ଶୁକଦେବ ସେହି ତତ୍ତ୍ୱକୁ ଅଠର ହଜାର ଶ୍ଳୋକରେ ବର୍ଣ୍ଣନା କରିଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଋଷି ମହର୍ଷିମାନଙ୍କ ମାଧ୍ୟମରେ ଆର୍ଯ୍ୟବର୍ତ୍ତର କୋଣ ଅନୁକୋଣକୁ ବ୍ୟାପିଥିବା ଏହି ବ୍ରହ୍ମତତ୍ତ୍ୱ ‘ଶ୍ରୀମଦ୍ଭଗବତମ୍’ ନାମରେ ବିଦିତ । ପଞ୍ଚସଖା ଯୁଗର ବରେଣ୍ୟ ସାଧକ ତଥା ଅନନ୍ୟ ବିଷ୍ଣୁ ଉପାସକ ଶ୍ରୀ ଜଗନ୍ନାଥ ଦାସଙ୍କ ପାଖରେ ପହଞ୍ଚିଥିଲା ଶ୍ରୀ ଶ୍ରୀଧର ସ୍ୱାମୀଙ୍କ ଦ୍ୱାରା ସରଳିକୃତ ଭାଗବତ ହୋଇ। ଯାହା ଥିଲା ଚବିଶ ହଜାର ଶ୍ଳୋକର ବିରାଟ ପୋଥି । ସେହି ଚବିଶ ହଜାର ଶ୍ଳୋକର ସରଳିକୃତ ରୂପାନ୍ତରଣ ହେଉଛି ଶ୍ରୀ ଜଗନ୍ନାଥ ଦାସକୃତ ‘ଓଡ଼ିଆ ଭାଗବତ’, ଯାହା ଆଜି ପ୍ରତ୍ୟେକ ଓଡ଼ିଆ ହୃଦୟ ସମ୍ରାଟ ହୋଇ ପୂଜାପାଉଛି ଠାକୁର ଘରେ।
ଭାଗବତ ଜନ୍ମ ହେଉଛି ସେହି ପୁଣ୍ୟତିଥୀ, ଯେଉଁଦିନ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଲେଖିବା ଆରମ୍ଭ କରିଥିଲେ । ଆପଣ ସମସ୍ତଙ୍କୁ ଭାଗବତ ଜନ୍ମର ଶୁଭେଚ୍ଛା ଓ ଶୁଭକାମନା ସହ
ଜୟ ଜଗନ୍ନାଥ
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।