ଦିନେ ନା ଦିନେ ସମସ୍ତଙ୍କୁ ଫେରିଯିବାକୁ ହିଁ ହୁଏ ଏକ ଅଫେରା ପଥର ଅନ୍ତିମ ଯାତ୍ରାରେ, ସେହି ନିରାକାର, ଚିରନ୍ତନ, ଶାଶ୍ୱତ ପରଂବ୍ରହ୍ମରେ ସମାହିତ ହେବାପାଇଁ । ତାହା ତ ପ୍ରାରବ୍ଧ ! ତଥାପି ଆମେ ଆନମନା ହେଉ, ଝୁରି ମରୁ ସେହି ଅଫେରା ପଥର ଯାତ୍ରୀଟି ପାଇଁ । ତା’ ସହ ସାଉଁଟିଥିବା ସ୍ମୃତି ଆଉ ଅନୁଭୂତିର କେତେ ଯେ ନଗ୍ନ ଚିତ୍ର ଆଙ୍କି ହୋଇ ରହିଯାଏ ସ୍ମୃତିର କାନ୍ଥ ପଟଳରେ ତା’ର ହିସାବ ନଥାଏ । ପଛକୁ ଫେରି ଚାହିଁଲେ ଖାଲି ଦିଶିଯାଏ ପ୍ରତିଫଳିତ ଅବୟବର ହାଲ୍କା ହାଲ୍କା ଛବି । ମନ ଭାରି ହୁଏ,ଚକ୍ଷୁ ହୁଏ ଅଶ୍ରୁପ୍ଳାବିତ । ମନୁଷ୍ୟ କାଳର ଏହି କରାଳ ଗତି ଆଗରେ କେତେ ଅସହାୟ ସତରେ !!
ବିଗତ କିଛିଦିନର ବ୍ୟବଧାନ ଭିତରେ,ମୁଁ ଜାଣିଥିବା କିଛି ଅନ୍ତରଙ୍ଗ ବ୍ୟକ୍ତିମାନଙ୍କର ପ୍ରିୟ ପରିଜନମାନେ ଇହଲୀଳା ସମ୍ବରଣ କରିବା ମୋ ପାଇଁ ଥିଲା ଅନ୍ତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ପୀଡ଼ାଦାୟୀ । ପ୍ରଥମେ ମତେ ଅନୁଜ ତୁଲ୍ୟ ସ୍ନେହ କରୁଥିବା ଜଣେ ଦିଦିଙ୍କର ପିତୃ ବିୟୋଗ,ପରେ ପରିବାରର ସଦସ୍ୟପରି ଆଚରଣ କରୁଥିବା ବାନ୍ଧବୀଙ୍କର ପିତୃ ବିୟୋଗ । ତତ୍ ପଶ୍ୟାତ ବ୍ୟକ୍ତିଗତ ଭାବେ ଜାଣିଥିବା ଜଣେ ବଡ଼ ଭାଇଙ୍କର ଅଳ୍ପଦିନର ବ୍ୟବଧାନ ଭିତରେ ପିତୃ ତଥା ମାତୃ ବିୟୋଗ ମତେ ଗଭୀର ଭାବେ ପୀଡ଼ା ଦେଇଥିଲା । ସବୁ ମୃତ୍ୟୁଗୁଡ଼ିକ ଥିଲା ଅସ୍ୱାଭାବିକ । ଏବଂ ସବୁର କାରଣ; ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ; କେବଳ ଗୋଟିଏ – କରୋନା (କୋଭିଡ୍-୧୯) ! ଯଦି ପରିସ୍ଥିତି ସ୍ୱାଭାବିକ ଥାଆନ୍ତା ତା’ହେଲେ ହୁଏତ ଏମିତି ଅସ୍ୱାଭାବିକ ମୃତ୍ୟୁଗୁଡ଼ିକ ହୋଇ ନଥାନ୍ତା । ଏ ସବୁକୁ ଅନୁଶୀଳନ କଲେ ସ୍ୱତଃ ମନରେ ପ୍ରଶ୍ନ ଆସେ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ, ଆମ ସାମାଜିକ ବ୍ୟବସ୍ଥା ଉପରେ, ମାନବିକତା ଉପରେ । ଲାଗିଲା କେବଳ ମନୁଷ୍ୟ ଶରୀରରେ ଏ ଭୂତାଣୁ ସଂକ୍ରମିତ ହୋଇନାହିଁ, ବୋଧହୁଏ ଆମ ବ୍ୟବସ୍ଥାମାନଙ୍କୁ ବି ସଂକ୍ରମିତ କରି ସେଗୁଡ଼ିକର ମୂଳଦୁଆକୁ ବି ଦୁର୍ବଳ କରିଦେଇଛି । ନହେଲେ ସେଦିନ ରାତିରେ ସାମାନ୍ୟ ପ୍ରାଥମିକ ଚିକିତ୍ସା ସଂଯୁକ୍ତ ଆମ୍ବୁଲାନ୍ସଟିଏ ଯୋଗାଡ଼ କରିବା ଏତେ କଠିନ ହୋଇ ନଥାନ୍ତା କି ଚିକିତ୍ସାରେ ଅବହେଳା ପାଇଁ କାହାକୁ ଆଣି ଘରେ ଚିକିତ୍ସା କରିବାକୁ ପଡ଼ିନଥାନ୍ତା ନା ତା; ପରବର୍ତ୍ତୀ ଦୁଃଖଦ ଘଟଣାମାନ ଘଟିନଥାନ୍ତା । ଜାଣେ ଏ ସମୟ ଆରୋପ ପ୍ରତ୍ୟାରୋପର ନୁହେଁ, ତଥାପି ମନରେ କ୍ଷୋଭ ଆସେ, ମନକୁ ଭାରାକ୍ରାନ୍ତ କରେ । କ୍ଷତି ତ ଅପୂରଣୀୟ, ଶୂନ୍ୟସ୍ଥାନ ବି ଅପୂରଣୀୟ, ତଥାପି ଆମକୁ ଆହୁରି ସଚେତନ ହେବାକୁ ପଡ଼ିବ, ଅଧିକ ସତର୍କ ହେବାକୁ ପଡ଼ିବ । ପାର୍ବଣ ଋତୁରେ ଆମେ ନିଜ ଜୀବନ ଜୀବିକାରେ ସମନ୍ୱୟ ରଖି କୋଭିଡ୍ର ନୀତି ନିୟମକୁ ମାନି ତାକୁ ପରାସ୍ତ କରିବାକୁ ପଡ଼ିବ ।
ମା’ ଜଗଜ୍ଜନନୀଙ୍କ ଶୁଭାଗମନ ଆମମାନଙ୍କୁ ଏ ଅଦୃଶ୍ୟ ରାକ୍ଷସ ବିରୁଦ୍ଧରେ ଲଢ଼ିବାପାଇଁ ଶକ୍ତି ଦେଉ, ଆମେ ବିଜୟଲାଭ କରୁ, ପୁନର୍ବାର ପୃଥିବୀରେ ଶାନ୍ତି ଫେରିଆସୁ, ଆଉ କୋଣ ଅନୁକୋଣରୁ ଝରିଯାଉ
ଅସତୋ ମା ସଦ୍ଗମୟ
ତମସୋ ମା ଜ୍ୟୋତିର୍ଗମୟ
ମୃତ୍ୟୋର୍ମା ଅମୃତଂ ଗମୟ
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥
ଜୟ ଜଗନ୍ନାଥ !!
ଜୟ ଭବାନୀ !!
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।