You are currently viewing ଦେବୀ
ଦେବୀ

ଦେବୀ

ଧନ୍ ଲୋଡ଼ା ହେଲେ ପୁଜନ୍ତି ସଭିଏଁ
ମହାଲକ୍ଷ୍ମୀ ନାମ ସୁମରି
କର୍ମ ଅନୁସାରେ ଦିଅନ୍ତି ଯେ ଫଳ
ସଭିଙ୍କୁ ଆପଣା କରି ।

ଦୁଃଖି ରଙ୍କି ତଥା ସମସ୍ତଙ୍କୁ ସିଏ
କରନ୍ତି ଆଦର ଅତି
ଧନ ଦେଇ ସତେ ଲକ୍ଷ୍ମୀ ଠାକୁରାଣୀ
ଉଦ୍ଧାରନ୍ତି ନର ଜାତି ।

ବିଦ୍ୟାର ଦେବୀ ଯେ ଅଟନ୍ତି ମାତା
ସରସ୍ୱତୀ ମହାମାୟୀ
ସମସ୍ତଙ୍କ କଣ୍ଠେ ସଦା ବିରାଜିତ
ସବୁରି ହୃଦୟେ ରହି ।

ଆଲୋକର ପଥ ଦେଖାନ୍ତି ଯେ ମାତା
ଜ୍ଞାନର ଭଣ୍ଡାର ଭରି
ସତ୍ ମାର୍ଗେ ସତେ ନିଅନ୍ତି କୋଳେଇ
ସଭିଙ୍କର ହାତ ଧରି ।

ଶକ୍ତି ପ୍ରଦାୟିନୀ ଦୁର୍ଗତିନାଶିନୀ
ଅଟନ୍ତି ତ ଦୁର୍ଗା ମାତା
ତାଙ୍କରି ଦୟାରୁ ପାଉ ଆମେ ଶକ୍ତି
ସିଏ ତ ଜଗତେ କର୍ତ୍ତା ।

ଦେହରେ ଆମର ବିଞ୍ଚି ଦେଇଛନ୍ତି
କରିବାର ସବୁ ଶକ୍ତି
ସହିବାକୁ ଦୁଃଖ କଷ୍ଟ ଓ ଯନ୍ତ୍ରଣା
ଦିଅନ୍ତି ଯେ ପୁଣି ମୁକ୍ତି ।

ବିଶ୍ଵର ମଙ୍ଗଳ କାମନା କରନ୍ତି
ମାଆ ତ ସର୍ବମଙ୍ଗଳା
ବିପଦେ ଆପଦେ ସାହା ହୋଇ ସଦା
ଢାଳନ୍ତି ଶାନ୍ତି ଶୃଙ୍ଖଳା ।

ମନ୍ଦାର ମାଳିନୀ ଘଟଗାଁ ବାସିନୀ
ମାଁ ଦେବୀ ତାରାତାରିଣୀ
ଚିରଦିନ ତାଙ୍କ ନାମ ଜପୁଥିଲେ
ଦୁଃଖ ଜମା ରହେ ନାହିଁ ।

– ପ୍ରେମଶିଲା ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରେମଶିଲା ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।