You are currently viewing ଦଙ୍ଗା
Odia Poem Danga (ଦଙ୍ଗା) by Dr. Trupti Ranjan Das

ଦଙ୍ଗା

ଘର’ର ତାଟି କବାଟରେ ଭୟ ଆଉଜିକି ଥିଲା
ସେମାନେ ସମସ୍ତେ ଖଣ୍ଡା ଧରିଥିଲେ
ଯିଏ ଧରି ନଥିଲା
ତା’ର ରକ୍ତ ଝରୁଥିଲା

ଭଲ ହେଲା କାଲି ବଜାର ଯାଇଥିଲି
କ୍ଷୀର ଆଗରୁ ନେଇ ଆସିଥିଲି
ମୁଁ ଚାହା ପିଉଥିଲି, ବାହାରେ ସହର ଜଳୁଥିଲା
କଅଁଳ ଛୁଆଟିଏ ଘର ପାଖରେ ଭୋକରେ କାନ୍ଦୁଥିଲା

ସେମାନେ ଗୀତା ଆଉ କୋରାନ ନାଁ’ରେ
ବାହାରେ ସହରକୁ ଶ୍ମଶାନ କରୁଥିଲେ
ଯିଏ ଗୀତା ଆଉ କୋରାନ ବୁଝିଥିଲେ
ଘରେ ଲୁଚିଥିଲେ

ରୁକ୍ସାର’ର ଭିଡିଓ କଲ ଆସିଲା ବେଳକୁ
ପ୍ରଶାସନ ଇଣ୍ଟରନେଟ କାଟିଦେଲା
ନୂଆ ସଲ୍ୱାର ଶିଲେଇ କରିଥିଲା ଦେଖି ପାରିଲିନି
ଖାଲି କପଡ଼ା ଯାହା ଦେଖିଥିଲି ଆଣିଲା ବେଳେ

ଦୁହେଁ କଲେଜରୁ ଫେରୁଥିଲେ
କେହି ବୁଝିବା ଆଗରୁ ଅସ୍ତ୍ର ଚାଲିଲା
ଦୁହେଁ ନିହତ
ଜଣେ କୁଆଡ଼େ ଆର ଜଣଙ୍କୁ ଫସେଇକି ନେଉଥିଲା

ଯେଉଁମାନେ ମାରୁଥିଲେ ଆଉ
ପୁଣି ମରିଗଲେ, ଦେଖି ପାରିଲେନି
ଦିଲ୍ଲୀରେ ଏକାଠି ଭୋଜନ କରୁଥିବା
ଦୁଇ ଦଳର ନେତାଙ୍କୁ

– ଡ. ତୃପ୍ତି ରଞ୍ଜନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ତୃପ୍ତି ରଞ୍ଜନ ଦାସ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି କରିସାରିବା ପରେ ଏବେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗପ ଓ କବିତା ଆଦି ରଚନା କରନ୍ତି । କଳା କ୍ଷେତ୍ରରେ ରୁଚି ରଖୁଥିବା ତୃପ୍ତିଙ୍କର ଦୁଇଟି କବିତା ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ତାଙ୍କର ପ୍ରଥମ କବିତା ସଂକଳନଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମନୋନୀତ ହୋଇଥିଲା ।