ଭୋର୍ ହେବାର ସ୍ୱପ୍ନ

Bhor Hebara Swapna

ଭୋର୍ ହେବାର ସ୍ୱପ୍ନ
ମୃଗେଶ ବୈଷ୍ଣବ ପାଣିଗ୍ରାହୀ

ଦୁଃଖର ନଈରେ
ଲୁହର ବନ୍ୟା ଆସିବାର
ମୁଁ ଜାଣିଛି,
ପାହାନ୍ତି ସ୍ୱପ୍ନରେ
ରାତିର ନିଦ ହଜିଯିବାର
ମୁଁ ଜାଣିଛି ।

ଆଶାର ହୁଲି ଡଙ୍ଗା
ଯେବେ ଭାସୁଥାଏ,
ସ୍ମୃତି, ମନ ତଳେ
ଗୋପନ କବିତା ସାଜିବାର
ମୁଁ ଜାଣିଛି,
ପ୍ରତୀକ୍ଷାର ମିଠା ଯନ୍ତ୍ରଣାରେ
ରାତି ଅଧିଆ
ନୈରାଶ୍ୟର ସବୁଜିମାକୁ ଖୋଜୁଛି ।

ମୁଁ ଜାଣେ ତୁମେ ନଥିଲେ
ଦୁଃଖ ଛଡ଼ା କିଛି ବି ନଥାଏ,
ଲୁହ ଛଡ଼ା କିଛି ବି ନଥାଏ,

ତୁମେ ନଥିବାର
ଅସରନ୍ତି ବିରହରେ
କେବେ କେମିତି
ଭାବ ଓ ଭାବନାରେ
ଅକୁହା ବେଦନା ଲେଖିବାର
ଇଚ୍ଛା ହେଉଛି,

ଘାସରେ କାକର ବୁନ୍ଦା ପରି
ଅଳ୍ପ ସମୟର ଆୟୁଷରେ
ମୁଁ ବି ଉଭେଇ ଯାଉଛି ।

ଅଭିସାର ପାଇଁ ଆଉ କ’ଣ
ସ୍ୱପ୍ନ ଦେଖିବି ଯେ,

ଅବଶୋଷ, ଗ୍ଳାନି ଓ ବିରହରେ
ଦିନ କ’ଣ ରାତି କ’ଣ
ସାରାଟା ଯାକ ଜୀବନ ଭିଜୁଛି
ଆଖିର ଲୁହରେ ।

ଏ ଜନ୍ମର ଗୋଧୂଳି ବେଳାରେ
ବିଦାୟ ସୂର୍ଯ୍ୟର ରଙ୍ଗ ପରି
ଛାତିରେ କୋହ ଯେତେ
ଜମାଟ ବାନ୍ଧୁଛି ।

କ୍ଷଣିକ ପାଇଁ ହେଲେ
ତୁମ ଛାତିକୁ ମୋତେ
ଆବୋରି ନିଅ,
ସେତିକିରେ ପତ୍ରଝଡ଼ାକୁ ଭୁଲିଯାଇ
ଅସମୟେ ପଲ୍ଲବନର
ଚିତ୍ର ଆଙ୍କୁଥିବି,

ତୁମ କୋଳରେ ମୁଣ୍ଡ ରଖି
ସୂର୍ଯ୍ୟର ବିଦାୟ ବେଳାରେ ବି
ଭୋର୍‌ର ସ୍ୱପ୍ନ ଦେଖୁଥିବି ।

– ମୃଗେଶ ବୈଷ୍ଣବ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...