You are currently viewing ବାପାଙ୍କ ପାଇଁ ସବୁଦିନ
ବାପାଙ୍କ ପାଇଁ ସବୁଦିନ

ବାପାଙ୍କ ପାଇଁ ସବୁଦିନ

ଦୁଇଟି ଅକ୍ଷରରେ ଗଢ଼ା ଯାଇଥିବା ସେହି ନାମ
ସେଇ ବ୍ୟକ୍ତି ଜଣକ ଅଟନ୍ତି ବାପା
କେତେ ବା ସାହସ ଅଛି ତାଙ୍କର
ନା ସେ ସୁନ୍ଦର ମୁଖରେ କେବେ ଥାଏ ଦୁଃଖ
ସବୁବେଳେ ଥାଏ ସେ ମୁଁହରେ ହସ କେବଳ ହସ
କିଏ ଜାଣେ ତାଙ୍କ ହୃଦୟର କଷ୍ଟ
ସେଇ ବାପା ନାମକ ବ୍ୟକ୍ତି ଏ ଦୁନିଆରେ ସବୁଠୁ ଶ୍ରେଷ୍ଠ !

ଯେତେ ଯାହା ଅଳି ଅର୍ଦ୍ଦଳି କଲେ ଆମେ
ସବୁ ଆମ ହାତ ପାହାନ୍ତାରେ ଢାଳି ଦିଅ
ହେଲେ, ନିଜର ପୋଷାକ କିଣିବା ପାଇଁ
କେବେ ମନେ ପଡେନାହିଁ କାହିଁକି ତୁମର?
ସେଇ ପୁରୁଣା ପୋଷାକରେ ତୁମ ଖୁସି
ଆଉ ଆମକୁ ନୂଆ ପୋଷାକ କିଣି ଦେବାର ଖୁସି
ହଁ ମୁଁ ଜାଣେ ଆମ ମାନଙ୍କ ହସଖୁସି ତୁମର ସବୁକିଛି !

ପିଲାଦିନୁ ନିଜ ସାଇକେଲରେ ବସାଇ
କାହିଁ କେତେ ଆଡେ ବୁଲାଇଛ ତା’ର ହିସାବ ରଖିନି
ଆଜି ମଧ୍ୟ ସେଇ ପୁରୁଣା ସାଇକେଲ ତୁମ ଜୀବନ
କିନ୍ତୁ, ସାରା ଜୀବନ ଖଟି ଖଟି ନିଜ ପାଇଁ
ଗାଡ଼ିଟିଏ ନକିଣି ମୋ ପାଇଁ କିଣି ଦେଇଥିଲ
କହି ବୁଲ ଯେ ମୋର ପୁଅ ଦୂର ସହରକୁ ଯିବ
ମୁଁ ଜାଣେ ରାତିରେ ତୁମର ଗୋଡ଼କୁ ଖୁବ୍ କଷ୍ଟ ହେଉଥିବ !

ମାପି ଚୁପି କଥା ତୁମର ବଢ଼ାଏ ତୁମର ଶୋଭା
ବାପା କେତେ ଦୃଢ଼ମନା ମଣିଷ ତୁମେ
ଯେତେ ଝଡ଼ ଖଞ୍ଜା ଆସିଲେ ଜୀବନରେ
ସବୁକିଛି ଏକୁଟିଆ ସମ୍ଭାଳି ନେଇପାର
ନିଜ ପରିବାର ଓ କର୍ମସ୍ଥାନର ବୋଝ ମୁଣ୍ଡେଇ
ହସୁଥାଅ ଦିନରାତି, ଯେପରିକି କିଛି କଷ୍ଟ ନାହିଁ
ଦେଖିଥିଲି ଥରେ, କାନ୍ଦୁଥିଲ ଦିନେ କବାଟ କଣରେ ଲୁଚିରହି !

ନିଜ ଖୁସି କୁ ନିତି ପଛରେ ପକେଇ ଦେଇ
ଆମ ହସ ହସ ମୁହଁ ଖୋଜ ପ୍ରତିଦିନ
ସ୍ୱାଦିଷ୍ଟ ତିଅଣ ଯେବେ ହୋଇଥାଏ ଘରେ ରଖିଥାଅ ସାଇତି
ବୋଉ ସହ ମିଶି ପଖାଳ ଗଣ୍ଡେ ଖାଇଦେଇ ତୁମେ ଖୁସି
ପଚାରିଲେ ଯେବେ ତୁମେ ବି ତିଅଣ ଖାଇଛ କି ବାପା
ହସି ହସି କୁହ ହଁ ମୁଁ ଖାଇଛି ତୁମେ ଖାଅ ଜଣେ ଜଣେ
ବାପା ତୁମେ ଭାରି ମିଛୁଆ ବୋଲି ମୁଁ ଜାଣେ !

ବିଦେଶ ଚାକିରୀକୁ ଯେବେ ବାହାରିଲି ମୁହିଁ
ଖୁସି ଖୁସି ମୋତେ ଛାଡ଼ି ଆସିଥିଲ ବସ ଷ୍ଟାଣ୍ଡ ଯାଏଁ
ଭାବୁଥିଲେ ସବୁ ଏ ବାପଟାର କିଛି ଚିନ୍ତା ନାହିଁ
ପୁଅ ଦୂରକୁ ଗଲେ ବି ଆଖିରେ ଲୁହ ଦିଶୁନାହିଁ
ଯେବେ ମୁଁ ଫେରିଥିଲି ବିଦେଶରୁ, ସେବେ ମୁଁ ଶୁଣିଲି
ମାଆ କହୁଥିଲା ତୁ ଯିବା ପରେ ବାପା କାନ୍ଦୁଥିଲେ କେତେ
ଭାବୁଥିଲି ସେଇ ଲୋକ ମାନେ ଟିକେ ଏ ଲୁହ ଦେଖିଥାନ୍ତେ ସତେ !

ପ୍ରଥମ ଦରମାରେ ଯେବେ ଗାଡ଼ିଟିଏ
ଖୁସିରେ କିଣି ଦେଇଥିଲି ତୁମ ପାଇଁ
ତୁମେ ଖୁସି ହେବା ଅପେକ୍ଷା ରାଗି ଯାଇ କୁହ
କହିଲୁ, କାହିଁ ଅଯଥା ପଇସା ନଷ୍ଟ କରୁଛୁ ମୋ ପାଇଁ
ସନ୍ତାନର ଟଙ୍କା ବାପାର ଉପଭୋଗ କରିବା ଜିନିଷ ନୁହେଁ
ଏତକ କହି ଚାଲିଗଲ ତୁମ ପୁରୁଣା ସାଇକେଲ ଧରି
ବସି ଭାବୁଥିଲି ବାପା କିଏ ହେବ ତୁମ ପରି !

ପିଲାଦିନୁ ମୋର ବନ୍ଧୁଟିଏ ପରି ଚାଲୁଥାଅ ହାତଧରି
ଦୁନିଆରେ ବଡ଼ ତୁମେ ମୋ ଚଳନ୍ତି ଠାକୁର
ବାପା ତୁମେ ଏତେ ଭଲ କାହିଁ କୁହ କେହି ବୁଝିପାରନ୍ତି ନାହିଁ
ତୁମ ଆଶୀର୍ବାଦ ଥାଉ ସଦା ଆମମାନଙ୍କ ଉପରେ
ତୁମେ ମୋର ଆଦର୍ଶ ତୁମ ପାଇଁ ଆଜି ଦିନଟିଏ ନୁହଁ
ଏ ଦୁନିଆରେ ସବୁ ବାପାଙ୍କ ପାଇଁ ସବୁ ଦିନଟିଏ
ସବୁଦିନ ଆମ ମାନଙ୍କ ପାଇଁ ଅଟେ ଏକ ପିତୃଦିବସଟିଏ !

– ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।