ରାଧିକା, ଏହି ନାଁଟି ମୋ ଜେଜେବାପା ବହୁତ ଶ୍ରଦ୍ଧାରେ ରଖିଥିଲେ । ଆମ ଓଡ଼ିଆ ଘରେ ତ’ ପ୍ରାୟ ସମସ୍ତଙ୍କର ଅତି କମ୍ରେ ୩/୪ଟି ନାଁ ଥାଏ, କିନ୍ତୁ ମୋର କେବଳ ଏହି ଗୋଟିଏ ହିଁ ନାଁ ଥିଲା ଆଉ ସମସ୍ତେ ମୋତେ ଏହି ନାଁରେ ହିଁ ଜାଣିଥିଲେ । କେବେ କେବେ ସାଙ୍ଗମାନଙ୍କର ଅଧିକ ନାଁ ଦେଖି ମୋତେ ବି ମୋ ନିଜ ଉପରେ ଆଉ ମୋ ଘର ଲୋକଙ୍କ ଉପରେ ରାଗ ଲାଗେ । ଆଉ ୩/୪ଟି ନାଁରେ ମୋତେ ଡାକିଥିଲେ କ’ଣ ହେଇଯାଇଥାନ୍ତା ଯେ ।
ଏମିତିକି କେବେ କେବେ ମୋତେ ମୋ’ ନାଁ ପାଇଁ ବି ପିଲାମାନେ ବହୁତ କଟାକ୍ଷ କରନ୍ତି । ହଁ ମୋର ଆଉ ଗୋଟେ ନାଁ ସେମାନେ ନିଜେ ନିଜେ ରଖିଦେଉଥିଲେ “ଫୁଲେଇ ରାଧା” । ମୋତେ କିନ୍ତୁ ଏହି ନାଁଟା ଆଦୌ ଭଲ ଲାଗେ ନାହିଁ । ଏମିତି ଭିତରେ ମୋର ପାଠପଢ଼ା ଶେଷ ହେଇଗଲା ଆଉ ମୁଁ ଗୋଟେ କଲେଜର ଶିକ୍ଷକତା କରିବା ଆରମ୍ଭ କରିଦେଲି । ସେତେବେଳେ ମୁଁ ବହୁତ ଖୁସି ଥିଲି, କାରଣ ସେ କଲେଜରେ ମୁଁ ଥିଲି ସବୁଠୁ ସାନ । ଘରେ ଯେମିତି ମୋତେ ସ୍ନେହ କରୁଥିଲେ ଆଉ ଭଲ ପାଉଥିଲେ, କଲେଜର ମଧ୍ୟ ସେମିତି ଭଲ ପାଉଥିଲେ । କଲେଜରେ ନୂଆ ହୋଇଥିବାରୁ କେବେ କୌଣସିଥିରେ ଭୁଲ ହେଲେ ଘର ଲୋକଙ୍କ ଭଳି ବି ତାଗିଦ୍ କରୁଥିଲେ । କିନ୍ତୁ ଏହିସବୁ ମୋତେ ମୋର ଘର ଭଳିଆ ହିଁ ଲାଗୁଥିଲା ।
ଦିନେ କଲେଜରୁ ଫେରିଲା ବେଳେ ମୋର ସ୍କୁଟିଟା ହଠାତ୍ ରାସ୍ତାରେ ଖରାପ ହେଇଗଲା । ଜଣାନାହିଁ କାହିଁକି ଆଉ ଷ୍ଟାର୍ଟ ହେଲାନାହିଁ । ପାଖରେ ସାହାଯ୍ୟ କରିବାକୁ ବି କେହି ନଥିଲେ, ସେଠାରୁ ମୁଁ ରହୁଥିବା ଜାଗା ବି ୩/୪ କିଲୋମିଟର ଦୂର ଥିଲା । ତେଣୁ ବହୁତ ଅସ୍ତବ୍ୟସ୍ତ ଲାଗିଲା । ସେହି ସମୟରେ କେହିଜଣେ ଆସି ମୋ ପାଖରେ ତାଙ୍କର ଗାଡ଼ି ଅଟକାଇଲେ । ଆଉ ପଚାରିଲେ କିଛି ସାହାଯ୍ୟ ଦରକାର କି? ଏମିତିରେ ମୁଁ ସେ ଅଞ୍ଚଳରେ ନୂଆ ଥିଲି ଆଉ ଏକୁଟିଆ ରାସ୍ତାରେ କେହି ଜଣେ ଏମିତି ଅଜଣା ବ୍ୟକ୍ତିକୁ ଦେଖି ଭିତରୁ ମୋର ଅବସ୍ଥା ଡରରେ ଖରାପ ହେବାକୁ ଲାଗିଲା, କିନ୍ତୁ ମନରେ ସାହାସ ବାନ୍ଧି ମୋର କୌଣସି ସାହାଯ୍ୟ ଦରକାର ନାହିଁ କହିଲି । ଆଉ ଏହି କଥା ଶୁଣି ସେ ତାଙ୍କର ହେଲ୍ମେଟଟି ମଥାରୁ ବାହାର କଲେ ।
ହେଲେ ଇଏ କ’ଣ, ସେ ଥିଲେ ମୋର ଜଣେ ସିନିଅର । କଲେଜ ବେଳେ ମୁଁ ଅବଶ୍ୟ ତାଙ୍କୁ ଦେଖିଛି, କିନ୍ତୁ ତାଙ୍କର ନାଁ ବି ମୋତେ ଜଣା ନଥିଲା । ଏମିତି ଅଜଣା ରାସ୍ତାରେ ଚିହ୍ନା ମୁହଁଟିଏ ଦେଖି ମୋର ଭିତରେ ଥିବା ଡର ଟିକିଏ କମ୍ ହେବାରେ ଲାଗିଲା । ସେ ବୋଧେ ମୋର ମନ ଭିତରର କଥାକୁ ପଢ଼ିପାରୁଥିଲେ କି କ’ଣ ! ମୋତେ କହିଲେ, “ଆରେ ରାଧିକା, ବହୁତ ଦିନ ପରେ ଦେଖା ହେଲା ଆଉ ସେ ବି ପୁଣି ଏମିତି ଅବସ୍ଥାରେ ।” ମୋତେ ତାଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି ସେ ମୋର ନାଁ ବି ଜାଣିଥିଲେ । କିନ୍ତୁ ନିଜକୁ ଖରାପ ଲାଗିଲା କି ମୁଁ ତାଙ୍କର ନାଁ ଜାଣିନଥିଲି । ତଥାପି ଏମିତି ଅବସ୍ଥାରେ ସେ ଦେବଦୂତ ସାଜି ଆସିଥିବାରୁ ମୁଁ ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଜଣାଉଥିଲି ।
ଏହାପରେ ମୁଁ ଆଉ କିଛି କହିବା ଆଗରୁ ସେ ତାଙ୍କର ଗାଡ଼ିରୁ ଓହ୍ଲାଇ ସାରିଥିଲେ ଆଉ ମୋର ଗାଡ଼ି ଷ୍ଟାର୍ଟ କରିବା ପାଇଁ ମୋ ଆଡ଼କୁ ଆସିଲେ, କିନ୍ତୁ ମୋ ମୁହଁରେ ଥିବା ଶଙ୍କାର ସେ ତାଙ୍କର ପରିଚୟ ନ ଦେଇ କେବଳ ଏମିତି ପଚାରିଲେ, “ମୋତେ ଜାଣିପାରିଲନି ବୋଧେ?” ଏହାପରେ ଉତ୍ତର ନ ଦେବାର ଆଉ କିଛି ଉପାୟ ନ ଥିଲା । ତେଣୁ ମୁଁ କହିଲି, ହଁ ଜାଣିପାରିଲି । ଜଣାନାହିଁ ଗାଡ଼ିଟା କାହିଁକି ହଠାତ୍ ଖରାପ ହେଇଗଲା । ଏହାପରେ ସେ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ଷ୍ଟାର୍ଟ କରିବାକୁ ଲାଗିଲେ, କିନ୍ତୁ କିଛି ଫଳ ମିଳିଲାନି । ତେଣୁ ଆଗ ମାର୍କେଟରେ ଥିବା ଦୋକାନୀକୁ ଦେଖାଇବା ପାଇଁ ସେ କହିଲେ । ହେଲେ ଏତେଦୂର ଗାଡ଼ିଟିକୁ ଗଡ଼େଇ ଗଡ଼େଇ ନେବା ସମ୍ଭବ ନ ଥିଲା, ତେଣୁ ସେ ତାଙ୍କର ଟୁଲ୍ବକ୍ସରେ ଥିବା ଦୁଇଟି ରବର ଦଉଡ଼ି (କିଛି ଜିନିଷ ବାନ୍ଧିବା ପାଇଁ ବ୍ୟବହାର କରାଯାଏ) କରି ମୋ ଗାଡ଼ି ସହି ତାଙ୍କ ଗାଡ଼ିକୁ ବାନ୍ଧିଦେଲେ ଆଉ ମୁଁ ତାଙ୍କୁ ମୋ ଗାଡ଼ିରେ ବସି ଫଲୋ କଲି ।
ମୁଁ ରହୁଥିବା ଘର ପାଖାପାଖି ଗୋଟିଏ ଛୋଟ ଗାଡ଼ି ଗ୍ୟାରେଜ୍ ଥିଲା । ସେଇଠି ନେଇକି ସେ ମୋତେ ପହଞ୍ଚାଇଲେ ଆଉ ମୋର ଗାଡ଼ିଟିକୁ ଠିକ୍ କରିବାକୁ ଦୋକାନୀକୁ କହିଲେ । ସେ ଦୋକାନୀ କେଜାଣି କ’ଣ କରିଦେଲା ୫/୭ ମିନିଟ୍ରେ ମୋର ଗାଡ଼ିଟା ଠିକ୍ ହେଇଗଲା । ଏହାପରେ ତାଙ୍କୁ ତାଙ୍କର ନାଁ ପଚାରିବାକୁ ମୁଁ ଭୁବଥିଲି, କିନ୍ତୁ କ’ଣ ଭାବିବେ ବୋଲି ପଚାରିପାରୁନଥିଲି । ଯେଉଁଠି ରାସ୍ତାରେ ନିଜର ଲୋକମାନେ ବି ଅସୁବିଧାରେ ଛାଡ଼ି ଚାଲିଯାଆନ୍ତି, ସେଇଠି ସେ ମୋତେ ଚିହ୍ନିପାରି ମୋତେ ଏତେ ସାହାଯ୍ୟ କଲେ ଆଉ ମୁଁ ତାଙ୍କର ନାଁଟା ବି ଜାଣିନାହିଁ ।
ଏହା ଭିତରେ ସେ ତାଙ୍କର ଗାଡ଼ିରେ ବସି ଯିବାପାଇଁ ଉଦ୍ୟତ ହେଉଥିଲେ, ତେଣୁ ମୁଁ ଧନ୍ୟବାଦ ଜଣାଇବାକୁ ତାଙ୍କ ପାଖକୁ ଗଲି ଆଉ ଧନ୍ୟବାଦ ଜଣାଇଲି । ଏଇ ପାଖରେ ମୁଁ ରହୁଛି ବୋଲି ବି ଜଣେଇଦେଲି । ତା’ପରେ ସେ ଗାଡ଼ି ଷ୍ଟାର୍ଟ କରିବାକୁ ଲାଗିଲେ ସେହି ଭିତରେ ମୁଁ ତାଙ୍କୁ ପାଖ ଦୋକାନରୁ ମିଶିକି ଚାହା ପିଇବାକୁ ଅନୁରୋଧ କଲି, ମାତ୍ର ତାଙ୍କର ବହୁତ ବଡ଼ ଜରୁରୀ କାମ ଅଛି ବୋଲି କହିଲେ ଆଉ ଯିବା ଆଗରୁ ମୁଁ ମୋର ସଙ୍କୋଚତା ଦୂର କରିବା ପାଇଁ ତାଙ୍କୁ ତାଙ୍କର ନାଁ ପଚାରିବା ଆଳରେ କହିଲି, “ଆପଣଙ୍କୁ କ’ଣ ବୋଲି ଡାକିବି?” ସେ କହିଲେ ଆଉ କେବେ ଦେଖାହେଲେ କହିବି… ଏହାପରେ ସେ ଚାଲିଗଲେ ତାଙ୍କର ଗନ୍ତବ୍ୟ ଦିଗରେ ଆଉ ମୁଁ ତାଙ୍କର ନାଁଟିକୁ ମନେ ପକାଇବାର ଚେଷ୍ଟା କରି କରି ଚାଲିଲି ମୋ ବସାଆଡ଼କୁ ।
ଆଜି ସକାଳୁ ସକାଳୁ ଟିକେ ଶୀଘ୍ର ନିଦ ଭାଙ୍ଗିଗଲା । ସକଳାର ସେ ସତେଜ ଖରା ଛୁଇଁ ଦେଇଗଲା ମୋ ଦେହକୁ । ଚାହା କପଟିକୁ ହାତରେ ଧରି ସକାଳର ଖବରକାଗଜଟିକୁ ଦେଖିବାରେ ଲାଗିଲି । ରବିବାର, ତେଣୁ କଲେଜ ବି ଛୁଟି । ଅବଶ୍ୟ କେବେ କେବେ ପୂର୍ବରୁ ରବିବାରରେ ମୋତେ କଲେଜ ଯିବାକୁ ପଡ଼ୁଥିଲା । କେବେ ଏକ୍ସଟ୍ରା କ୍ଲାସ ନେବାକୁ ହୁଏ ତ’ ପୁଣି କେବେ ପଢ଼େଇବା ଉପରେ କିଛି ପ୍ରଶିକ୍ଷଣ ତଥା ନୂଆ ନୂଆ କିଛି ଶିଖିବାକୁ ଯିବାକୁ ପଡ଼େ ।
ଏଇ ସକାଳୁ ଉଠି ଚାହା ପିଇବା, ଚାହା ପିଉପିଉ ଖବରକାଗଜ ପଢ଼ିବା, ରବିବାରରେ ବି ଏକ୍ସଟ୍ରା କ୍ଲାସ କରିବା ଏହିସବୁ ଅଭ୍ୟାସ ପ୍ରକୃତରେ ମୋର କଲେଜବେଳୁ ହେଇଯାଇଛି । ସେତେବେଳେ କିନ୍ତୁ ଏବେ ପରି ଏକା ରହୁନଥିଲି । ସେବେ କେତେବେଳେ ହଷ୍ଟେଲରେ ତ ଆଉ କେବେ ମେସ୍ରେ ସାଙ୍ଗମାନେ ମିଶିକି ରହୁଥିଲୁ । ଦୁଇ ଦିନ ଛୁଟି ମିଳିଲେ, କିଛି ବାହାନା କରି ସେତେବେଳେ ଘରକୁ ପିଲାବେଳେ ପଳେଇଲେ ବି ମୋ ସହ କେହି ନା କେହି ହଷ୍ଟେଲରେ ରହୁଥିଲେ । ଧୀରେ ଧୀରେ ସମୟ ସହ ସେ ସବୁ ବଦଳିଲା ଆଉ ଏକୁଟିଆ ରହିବାଟା ଅଭ୍ୟାସ କରିବାକୁ ପଡ଼ିଲା ।
ଏଇଠିକି ଆସିଲା ପରେ ମୁଁ ଏକା ରହୁନି, ତା’ ଆଗରୁ ବରଂ ଏହା ଆରମ୍ଭ ହେଇଥିଲା, ଯେଉଁଦିନ ମୋର ମଧୁ ସହିତ ଝଗଡ଼ା ହୋଇଥିଲା । ମଧୁ, ସେ କଲେଜବେଳେ ମୋର ସବୁଠାରୁ ଭଲ ସାଙ୍ଗ ଥିଲା । ଦୁହେଁ ଏକାଠି ରହୁଥିଲୁ ଗୋଟିଏ ରୁମ୍ରେ ଆଉ ସବୁବେଳେ ସାଙ୍ଗ ହୋଇ ସବୁ କାମ କରୁଥିଲୁ । ପିଲାଦିନରୁ ହେଇ ଆସିଥିବା ସବୁ ସାଙ୍ଗ ଭିତରୁ ସେ ସମ୍ପୂର୍ଣ୍ଣ ଅଲଗା ଥିଲା । ସବୁବେଳେ ମୋ ମାଆ ଭଳି ମୋର ଯତ୍ନ ବି ନେଉଥିଲା । ତେଣୁ ମୋତେ ସେ ହଷ୍ଟେଲଟା ବି ଘର ଭଳି ଲାଗୁଥିଲା । ସେଇଥିପାଇଁ ତ ଅଳ୍ପଦିନ ଛୁଟି ହେଲେ ମୁଁ ଘରକୁ ଯିବାକୁ ମନ କରେନି । ହଷ୍ଟେଲରେ କେହି ନ ଥିଲେ ବି ମଧୁ ମୋ ସହ ରହୁଥିଲା ।
ଛୁଟିରେ ସବୁ ଘରକୁ ଚାଲିଗଲେ ଆମେ ଦୁହେଁ ଏକାଠି ବହୁତ ମଜା କରୁଥିଲୁ, ନିଜେ ନିଜେ ରୋଷେଇ କରିବା ପାଇଁ ଚେଷ୍ଟା କରୁଥିଲୁ । ପ୍ରକୃତରେ ସେଇଟା ରୋଷେଇ କରିବା ନଥିଲା, ସେଇଟା ଥିଲା ରୋଷେଇ ଶିଖିବା । ରାତିରେ ଅନ୍ଧାର କରି ମହମବତୀ ଲଗେଇ ଜଣେ ଭୂତ କାହାଣୀ ପଢ଼େ ଆଉ ଆରକ ତାକୁ ଶୁଣେ । ଏମିତି ଭିତରେ ଚାଲିଥିଲା ଆମର ସେ ମଧୁର ସମ୍ପର୍କ । କିନ୍ତୁ ସେହି ସମ୍ପର୍କ ମଝିରେ ପଶିଆସିଲା ଦିନେ ଗୋଟିଏ ଉଲ୍କାପିଣ୍ଡ, ସୁଶାନ୍ତ । ଉଲ୍କାପିଣ୍ଡ ଯେତେବେଳେ ଆସେ ଏକ ବହୁତ ବଡ଼ ଆଲୋକ ଆଣିଦିଏ । ସମସ୍ତଙ୍କୁ ଦେଖିବାକୁ ବହୁତ ଭଲ ଲାଗେ, କିନ୍ତୁ ପାଖକୁ ଗଲେ ସେ ଜାଳିପୋଡ଼ି ପାଉଁଶ କରିଦିଏ ।
ସୁଶାନ୍ତ ଅବଶ୍ୟ ଆମର କ୍ଲାସମେଟ ନ ଥିଲା, ସେ କିନ୍ତୁ ଥରେ କ’ଣ ଗୋଟିଏ ସାହାଯ୍ୟ ପାଇଁ ଆମ ପାଖକୁ ଆସିଥିଲା, ସେତେବେଳେ ମଧୁ ଆଉ ମୁଁ ଲାଇବ୍ରେରୀରେ ବସି ପଢ଼ୁଥିଲୁ । ପିଲାଟି ଦେଖିବାକୁ କିଛି ଖରାପ ନ ଥିଲା ଏବଂ ସ୍ୱଭାବରେ ସେମିତି କିଛି ଖରାପ ନ ଥିଲା । ତା’ର ସେ ନମ୍ର, ଶିଷ୍ଟ ଓ ଭଦ୍ର ବ୍ୟବହାର ଦେଖି ଆମେ ତାକୁ ଅବଶ୍ୟ ସାହାଯ୍ୟ କରିଥିଲୁ । ଧୀରେ ଧୀରେ ସମୟାନୁକ୍ରମେ ସେ ଆମ ସହ ଅଧିକ ମିଶିବା ଆରମ୍ଭ କରିଦେଲା । କେତେବେଳେ ଲାଇବ୍ରେରୀରେ ତ କେତେବେଳେ ବାହାରେ ସେ ଆମସହ ସାଙ୍ଗ ହୋଇ ବୁଲେ । ସୁଶାନ୍ତର କିନ୍ତୁ ଗୋଟିଏ ଗୁଣ ଆମ ଦୁହିଁଙ୍କୁ ସବୁଠାରୁ ଭଲ ଲାଗିଲା, ସେ କେବେ କେତେବେଳେ କାହାକୁ ଅସୁବିଧାରେ ପଡ଼ିବାକୁ ଦିଏନାହିଁ । ଏମିତି ସମୟ ଆସିଗଲା ଯେଉଁଦିନ ଆମେ ସୁଶାନ୍ତ ସହ କଥା ହେଉନଥିଲୁ, ଆମ ଦୁହିଁଙ୍କୁ ଭଲ ଲାଗୁନଥିଲା ।
ସକାଳର ପ୍ରଥମ ଚାହା କପଟି ମୋର ଖାଲି ହୋଇଗଲା, କିନ୍ତୁ ଖବରକାଗଜ ଆଡ଼େ ଥରେ ବି ନଜର ଯାଇନଥିଲା । କେଜାଣି କାହିଁକି ଆଜି ମଧୁ କଥା ମୋର ବହୁତ ମନେ ପଡ଼ୁଥିଲା । ଜଣାନାହିଁ ସେ କେମିତି ଅଛି, କୋଉଠି ଅଛି ଆଉ କ’ଣ କରୁଛି । କିନ୍ତୁ ସେଦିନର ସେ ଝଗଡ଼ା ପରେ ମୁଁ ଥରୁଟିଏ ତା’ଆଡ଼େ ବି ଅନେଇନାହିଁ । ହେଲେ ଏତେଦିନ ପରେ ହଠାତ କାହିଁକି ତା’ କଥା ମନେ ପଡ଼ୁଛି ମୋତେ ଜଣା ନାହିଁ ।
କ୍ରମଶଃ….
Comments
ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।