You are currently viewing ଅପେକ୍ଷା
ଅପେକ୍ଷା

ଅପେକ୍ଷା

ସେଦିନ ରବିବାର ଥିଲା ।
ମୁଁ ତାକୁ ଫୋନ୍ କଲି । ଠିକ୍ ଦୀର୍ଘ ୫ ବର୍ଷ ପରେ । ତା’ ଜନ୍ମ ଦିନରେ । ଆଜି ତା’ ଜନ୍ମ ଦିନ । ହୁଏତ ସେ ମନେ ରଖି ନଥିବ ମତେ, ଏଇଆ ହିଁ ଭାବିଥିଲି । ଆଜି ବି ତା’ ମୁହଁ ମୋର ମନେଅଛି । ସେଇ ହସ ହସ ମୁହଁ, ଢଳଢଳ ଆଖି ମୋ ଆଖି ସାମ୍ନାରେ ନାଚି ଯାଉଛି । ସେ ମୋ ସହ ଶେଷ ଦେଖରେ ଖାଲି ଏତିକି କହିଥିଲା କି ମୁଁ ଯଦି ତାକୁ ବାହା ନହେବି ତେବେ ସେ ମଲାଯାଏଁ ମୋ ଅପେକ୍ଷାରେ ରହିବ । ଆଜି ତା’ କଥା ଭାରି ମନେ ପଡ଼ୁଛି କାହିଁକି? ବହୁତଥର ଚେଷ୍ଟା କରିବି ନିଜକୁ ରୋକି ନେଇଛି ତାକୁ ଫୋନ କରିବାକୁ ।

ଫୋନ ରିଙ୍ଗ ହେଉଥିଲା…

ସେପଟୁ ଗୋଟେ କୁନି ଝିଅର ସ୍ୱର ।
ପଚାରିଲା କିଏ କହୁଛନ୍ତି?
ଉତ୍ତରରେ କହିଲି, “ମୁଁ ଚନ୍ଦନ କହୁଛି ।”
ଝିଅଟି ଶାନ୍ତ ହେଇଗଲା କିଛି କ୍ଷଣ ପାଇଁ ।
କହିଲା ଅଙ୍କଲ୍, “ତମେ ଚନ୍ଦୁ ଅଙ୍କଲ କହୁଛ କି?”
ନାଁ ଟା ହଠାତ୍ ଶୁଣି ଆଚମ୍ବିତ ହେଲି । ଏ ନାଁରେ କେବଳ ମତେ ମୋ ମାନି (ମାନିନୀ) ହିଁ ଡାକୁଥିଲା ।
ହଁ କହିଲି ।
ଝିଅଟି ପୁଣି ପଚାରିଲା, “ତମେ ସେଇ ଚନ୍ଦୁ ଅଙ୍କଲ ତ ଯିଏ ସ୍କୁଲରେ ମୋ’ର ସାଇକେଲ୍ ପମ୍ପ ଜଣେ ଦୁଷ୍ଟ ଅଙ୍କଲ ଖୋଲି ଦେଇଥିଲେ ବୋଲି ତାଙ୍କ ସାଇକେଲ ଭାଙ୍ଗି ଦେଇଥିଲ?”
ମୋ ପାଟିରେ ଆଉ ଭାଷା ହିଁ ନଥିଲା କିଛି ।
ମୁଁ ଆଗ୍ରହରେ ହଁ କହିଲି ।
ଝିଅଟି କେବଳ ଏତିକି କହିଲା କି ବେଶୀ ଦିନ ନୁହେଁ, ଅଙ୍କଲ ତମେ ଜଲଦି ଆସ ।
ତା’ ଠିକଣା ନୋଟ୍ କଲି । ଆଉ କାଳବିଳମ୍ବ ନକରି ବାହାରିଲି । ମୋ ସହରଠୁ ପ୍ରାୟ ୩୦୦ କି.ମି ଦୂର ସହରରେ ତା’ ଘର ।

ବାଟସାରା କେତେ କ’ଣ ଭାବନା ମନକୁ ଆସୁଥାଏ । ସେ ସବୁ ପୁରୁଣା ସ୍ମୃତି ସବୁ ସାମ୍ନାକୁ ଆସିଯାଉଥାଏ । ଠାକୁରଙ୍କୁ ଖାଲି ଡାକୁଥାଏ କେମିତି କେତେ ଶୀଘ୍ର ପହଞ୍ଚିବି । ମନକୁ କିଛି ଖରାପ ଚିନ୍ତା ଆସିଲା ମାତ୍ରେ ଜିଭ କାମୁଡ଼ି ଦଉଥାଏ । ଭାବିଭାବି ଶେଷରେ ଯାଇ ପହଞ୍ଚିଲି ତା’ ଠିକଣାରେ । ମନରେ ଅସୁମାରୀ ପ୍ରଶ୍ନ, ସାଙ୍ଗକୁ ଡର ବି ଲାଗୁଥାଏ ତାକୁ ସାମ୍ନା କରିବାକୁ ।

କଲିଂ ବେଲ୍ ମାରିଲି ।
ଜଣେ ରୋଷେୟା ବେଶରେ ଝିଅଟିଏ କବାଟ ଖୋଲିଲେ । ପଚାରିଲେ, ଆପଣ ଚନ୍ଦନ ସାର୍ ତ?
ମୁଁ ହଁ କହିଲି ।

ବସିବା ପାଁଇ କହି ସେ ଭିତରକୁ ଗଲେ । ହଠାତ୍ ମୋ ନଜର ଗୋଟେ ଫଟୋ ଉପରେ ପଡ଼ିଲା । ଫଟୋରେ ମୁଁ ଆଉ ମାନି, ଯୋଉଟା ସେ ତା’ ମୋବାଇଲରେ ଉଠେଇଥିଲା, ଆଉ ଫଟୋ ଫ୍ରେମ୍‌ରେ ସେ ତାକୁ ସଜେଇ ଦେଇଛି । ମନେମନେ ଯେତିକି ଖୁସି ହେଉଥିଲି ମୋ ଆଖି ବାସ୍ ତାକୁ ଖୋଜିବାରେ ଲାଗିଯାଇଥିଲା ।

ସବୁ ଅପେକ୍ଷାକୁ ମୁହୂର୍ତ୍ତକେ ଶେଷ କରି, ଦଶ ଏଗାର ବର୍ଷ ବୟସର କୁନି ଝିଅଟେ ମାନିକୁ ହ୍ୱିଲ୍ ଚେୟାରରେ ଠେଲି ଠେଲି ଆଣୁଥିଲା । ସତେ ଯେମିତି ମୋ ଶରୀର ଅଚଳ ହେଇଗଲା ଭଳି ଲାଗିଲା । ସବୁକିଛି ସ୍ତବ୍ଧ, ଅଚଳ, ଅବାକ୍, ନିରବତାର ଝଡ଼ ଯେମିତି ବୋହୁଥାଏ ।

ମାନି ସହିତ ଆଖି ମିଶେଇବା ଆଗରୁ ମୋ ନଜର ସେଇ ଝିଅଟି ଉପରେ ହିଁ ସ୍ଥିର ଥିଲା । କାରଣ ତା ମୁଣ୍ଡର ଲଙ୍ଗଳାପଣ ହିଁ ମୋ ମନରେ ଅସଂଖ୍ୟ ଶବ୍ଦ ସବୁ ଛନ୍ଦି ଦେଉଥାଏ । ବୁଝିବାକୁ ଡେରି ନଥିଲା ଯେ ସେ କର୍କଟ ରୋଗରେ ଆକ୍ରାନ୍ତ । ସେ ଆସି ମାନି ପାଖରେ ଛିଡ଼ା ହେଲା ଗୋଟେ ଅଜଣା ସ୍ନେହର ଆକର୍ଷଣରେ । ମୋ ହାତ ଦୁଇଟା ସ୍ୱତଃ ଟେକି ହେଇଗଲା ତାକୁ କୋଳେଇ ନବାକୁ, ସେ ଦୈାଡ଼ି ଆସିଲା ଖୁସିରେ ।

କିଛି ସମୟ ପରେ ଆମ ନିରବତାକୁ ଭାଙ୍ଗି ମାନିର କଣ୍ଠସ୍ୱର ଶୁଣି ମୁଁ ତଟସ୍ଥ ହେଲି । କୋହଭରା ରୁଦ୍ଧ କଣ୍ଠରେ ମାନି କହୁଥାଏ, “ତା’ ନାଁ ଗୁଡ଼ଲି୍ ।” ମୁଁ ଆଗକୁ କିଛି କହିବା ଆଗରୁ ସେ ରାନୁକୁ ଡାକି ଝିଅକୁ ଅନ୍ୟ ରୁମ୍‌କୁ ନବାକୁ କହିଲା ।

ମୁଁ ମାନିକୁ ସାନ୍ତ୍ଵନା ଦେଇ ବୁଝେଇବାକୁ ଚେଷ୍ଟା କରୁଥଲେ ବି ସେ ବାସ୍ ମତେ ଅପଲକ ନୟନରେ ଚାହିଁ ରହିଥାଏ । ହ୍ୱିଲ୍ ଚେୟାରରେ ତା’ ଅସ୍ଥିରତାକୁ ସହଜରେ ସହ୍ୟ କରିପାରୁ ନଥିଲି ମୁଁ । ତାକୁ ସାମ୍ନା ନ କରିପାରିବାର ଭୟ ଓ ଅସହାୟତାର ଭୟରେ ଛାତିରେ ଜାବୁଡ଼ି ଧରିଲି ତାକୁ । ଛୋଟ ପିଲାଙ୍କ ଭଳି କାନ୍ଦୁଥାଏ ମାନି । ଅଜାଣତରେ ମୋ ଆଖିରେ ମଧ୍ୟ ଲୁହର ଲହଡ଼ି, ଆଖିକୁ ଭିଜେଇ ଦେଇଥାଏ । ନିଜକୁ ସମ୍ଭାଳି ନେଇ ସବୁ ପଚାରିଲି ।

ମାନି କହିବା ଆରମ୍ଭ କଲା; “ବାପାଙ୍କ ଜିଦ୍ ଓ ତାଗିଦ୍ ପାଇଁ ସେ ସବୁ ଶପଥ, ଭଲପାଇବା ଓ ପ୍ରେମକୁ ନିଜ ମନର ସିନ୍ଦୁକରେ ତାଲା ପକେଇ ଦେଇଥିଲା । ବିନୟ, ଗୋଟିଏ ବୋଲି ପୁଅ, ସିଭିଲ୍ କଣ୍ଟ୍ରାଟର୍ । ବାପାମାଆ ଆରପାରିରେ । ସମ୍ପର୍କୀୟ କହିଲେ କେବଳ ନିଜ ସାନଦାଦା ଅଛନ୍ତି । ସେ ପୁଣି ବାପାଙ୍କ ଅଫିସ୍ ସାମ୍ନାରେ ତାଙ୍କ ଅଫିସ୍ । ତା’ ସହ ବିବାହ ସ୍ଥିର କରିଛନ୍ତି ବୋଲି ବାପା ରୋକଠୋକ୍ ଶୁଣେଇ ଦେଲେ ।”

ଏପଟେ ମୁଁ ମନାକଲା ପରେ ଏକରକମ ଭାଙ୍ଗି ପଡ଼ିଥିଲା ମାନି । ହେଲେ ଆଜି ବି ସେ ମତେ ସେତିକି ଭଲ ପାଉଛି ଯେତିକି ଆଗରୁ ମଧ୍ୟ ଭଲ ପାଉଥିଲା, କହୁ କହୁ କହିଦେଲା । ବିବାହର ଦୁଇ ଦିନ ମଧ୍ୟରେ ସ୍ୱାମୀ ଯେ ଜଣେ ମଦ୍ୟପ, ଏକଥା ଅଛପା ରହିଲାନି ମାନିକୁ ।

“ବିବାହର ଠିକ୍ ୪ର୍ଥ ସନ୍ଧ୍ୟା, ସମସ୍ତେ ଭୋଜିରେ ବ୍ୟସ୍ତ ଥାଆନ୍ତି । ବିନୟଙ୍କ ଦୁଇ ତିନି ଜଣ ସାଙ୍ଗ ଆସି ବାହାରକୁ ଡାକି ନେଲେ । ଫଟୋ ଉଠେଇ ସାରିବା ପରେ ସେମାନେ ଗୋଟେ କାରରେ କୁଆଡ଼େ ଗଲେ । ଆମ ପରିବାରର ସମସ୍ତେ ମୋ ପାଖରେ ଥାଆନ୍ତି । ହଠାତ୍ ଭାଇଙ୍କ ପାଖକୁ କଲ୍ ଆସିଲା, ଗୋଟେ କାର୍ ଦୁର୍ଘଟଣା ହେଇଛି । ବିବାହ ମଣ୍ଡପଠାରୁ ୨୦୦ ମିଟର ଦୂରରେ । ପ୍ରଚୁର ମଦ ପିଇ ଫେରୁଥିବା ସମୟରେ ଏସବୁ ହେଇଛି । ସମସ୍ତେ ମୃତ । ଭାଇ ଓ ଭାଉଜ ମତେ ତାଙ୍କ ଝିଅକୁ ଧରେଇ ଦେଇ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ଯିବାକୁ ବାହାରିଲେ । ସେ କାଳରାତିକୁ କେବେ ଭୁଲି ପାରିବନି କହି କାନ୍ଦି ପକେଇଲା ମାନି ।”

ବାଟରେ ଆଉ ଏକ ଦୁର୍ଘଟଣାରେ ଭାଇ ଓ ଭାଉଜ ଆଉ ଫେରିଲେନି । ସବୁକିଛି ଓଲଟ ପାଲଟ ହେଇଯାଇଥିଲା । ହୁଏତ ତା’ ବାପାଙ୍କ ନିଷ୍ପତ୍ତି ପାଇଁ ହିଁ ସେଦିନ ସେ ଏକ କାଳ ରାତିକୁ ସାମ୍ନା କରିଥିଲା । ପଥର ପାଲଟି ଯାଇଥିଲା ସେ ।

“ସେହି ଦିନଠାରୁ ବାପାଙ୍କ ପାଇଁ ମୁଁ ମରିଗଲି ବୋଲି ଧରିନେଇ ଭାଇଙ୍କ ଝିଅକୁ ନେଇ ଚାଲି ଆସିଲି ଏଠିକି । ଏଠି ଗୋଟେ ଘରୋଇ କଲେଜରେ ଚାକିରି କଲି । ରାନୁକୁ ଝିଅ ଦାୟିତ୍ୱ ଦେଇ କଲେଜ ଯାଏ । ଦିନେ ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ମୋର ଗୋଟେ ଗୋଡ଼ ଅକାମୀ ହେଇଗଲା । ସେବେଠୁ କାମ ଛାଡ଼ି ଘରେ ରହି ପ୍ଲସ ଟୁ ଆଉ ପ୍ଲସ ଥ୍ରୀ ପିଲାଙ୍କୁ ପଢ଼ଅଉଛି । କେବେ ଭାବି ନଥିଲି ମୋ ଚନ୍ଦୁ ମତେ ମନେ ରଖିଥିବ ।”

ଏସବୁ ଭିତରେ ମୁଁ ଠଉରେଇ ନେଇଥିଲି ଯେ ଗୁଡ଼ଲି ମାନିର ଭାଇଙ୍କ ଝିଅ । କଥା ଛଳରେ ମାନି ପଚାରି ବୁଝିଲା ମୋ ବୈବାହିକ ଜୀବନ କେମିତି କଟୁଛି । ହେଲେ ସେ ଜାଣି ନଥିଲା ଯେ ମୁଁ ବିବାହ କରିନାହିଁ, ମନରେ ଆଉ କାହାକୁ ସ୍ଥାନ ଦେଇପାରିନି । ମୁଁ କିଛି କହିବା ଆଗରୁ ରାନୁ ଆଉ ଗୁଡ଼ଲି ଆସି ଡାକିଲେ ଖାଇବାକୁ ।

ମାନି ମୋ ହାତକୁ ଚିପିଧରି ଧୀର କଣ୍ଠରେ କହିଲା, “ଗୁଡ଼ଲି ଆଉ ଅଳ୍ପ ଦିନ ! ବେଶୀ ଦିନ ନୁହେଁ ।” ସତେ ଯେମିତି ମୃତ୍ୟୁ ତାକୁ ଅପେକ୍ଷା କରି ରହିଛି । ପାଦତଳୁ ମାଟି ଖସିଗଲା ଭଳି ଲାଗୁଥାଏ । ଗୁଡ଼ଲିର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ।

ମନେମନେ ସ୍ଥିର କଲି, ଯାହା ହେଇଯାଉ ପଛେ, ଗୁଡ଼ଲି ତା’ ଜୀବନ ଯୁଦ୍ଧରେ କେବେ ହାରିବନି । ଖାଇବା ମଝିରେ ଗୁଡ଼ଲି କହିଲା, “ଅଙ୍କଲ, ମୁଁ ତମର ଗୋଟେ ବଡ଼ ଫ୍ୟାନ୍ । ଯେବେଠୁ ମୋ ହେତୁ ପାଇଛି ମାମାଠାରୁ ସବୁବେଳେ ତମ ବିଷୟରେ ଶୁଣେ ।” ମଝିରେ ରାନୁ ମଧ୍ୟ କଥା ପଦେ ଯୋଡ଼ିଲା, “ହଁ ସାର୍ ! ମାଡ଼ାମ୍‌ଙ୍କ ସହ ଏତେ ବର୍ଷ ରହିଲିଣି । ଏମିତି କୋଉ ଦିନ ନାହିଁ ଯେଉଁଦିନ ଆପଣଙ୍କ ବିଷୟରେ ମୁଁ ନ ଶୁଣିଥିବି । ତାଙ୍କ ଜୀବନରେ ଆପଣଙ୍କ ଗୁରୁତ୍ଵ ବହୁତ ଅଧିକ । ପ୍ରତ୍ୟେକ ବର୍ଷ ଦୀପାବଳୀ ଦିନ ଆପଣଙ୍କ ଜନ୍ମଦିନ ଆମେ ପାଳୁ । ଦୀପ ଜଳେଇବା ବେଳେ ମାଡ଼ାମ୍ କୁହନ୍ତି, ଦେଖିବୁ ରାନୁ ଏଇ ଦୀପର ପ୍ରଦୀପ ଯେମିତି ଅନ୍ଧାରକୁ ହଟେଇ ଆଲୋକ ଆଣି ଦଉଛି, ସେମିତି ଦିନେ ମୋ ଜୀବନରେ ଅନ୍ଧାର ଦୂରେଇ ଯିବ ।”

ତା’ କଥା ଶୁଣି ଯେତିକି ଖୁସି ହଉଥାଏ, ନିଜ ଉପରେ ସେତିକି ରାଗ ମଧ୍ୟ ଆସୁଥାଏ । ସେଦିନ ଯଦି ମାନିକୁ ତା’ ବାପାଙ୍କର ବ୍ୟବସାୟିକ ଅସଲି ଚେହେରାଟା ମୁଁ ମାନିକୁ ଜଣେଇ ଦେଇଥାନ୍ତି, ତେବେ ହୁଏତ ଆଜି ମାନି ଏ ଅବସ୍ଥାରେ ନଥାନ୍ତା । ଚାହୁଁ ନଥିଲି ମାନି ଭାଙ୍ଗିପଡ଼ୁ ।

ହଠାତ୍ ମାନିକୁ ତା’ ହାତ ଧରି ପଚାରିଲି, “କ’ଣ ଏଇ ମୁହୂର୍ତ୍ତରୁ ତୁ ମୋ ସହ ଆଗାମୀ ବର୍ଷ ସବୁର ରାସ୍ତା ଚାଲିବାକୁ ପ୍ରସ୍ତୁତ ଅଛୁ? ସେଦିନର ମୋ ନାହିଁର କାରଣ ମୁଁ ଆଜି ବି ଜଣେଇବାକୁ ଚାହୁଁନି । କିନ୍ତୁ ଏତିକି କହିବି, ସେଦିନ ମୁଁ ଅସହାୟ ଥିଲି । କେହିଜଣେ ଅତି ଆପଣା ମଣିଷର ନିଜ ପରିବାର ପ୍ରତି ଥିବା ଦୃଢ଼ତାକୁ ଭାଙ୍ଗିବାକୁ ଚାହୁଁନଥିଲି । ଆଜି ବି ମୁଁ ମୋ ହୃଦୟରେ ତତେ ସାଇତି ରଖିଛି । କ’ଣ ତୁ ମତେ ବାହା ହବୁ?”

ସତେ ଯେମିତି ଏକ ଶାନ୍ତ ମଳୟର ଶୀତଳତା ତା’ ହାତ ସ୍ପର୍ଶ କରୁଥିଲା । ଅପେକ୍ଷା କରିଥିଲା ସେ ଏଇ ମୁହୂର୍ତ୍ତର ପୂର୍ଣ୍ଣତାକୁ ।

ହେଲେ ଏ କ’ଣ? ମାନି ଏକଦମ୍ ଚୁପ୍ ।

ହୁଏତ ଅପେକ୍ଷାର ଅନ୍ତ କରିସାରିଥିଲା, ଲାଜରେ ସମ୍ମତି ଜଣେଇ ସାରିଥିଲା ମାନି ।

ଲୋକନାଥ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଲୋକନାଥ ସାହୁ ଓଡ଼ିଆ ଭାଷାରେ ଗପ ଓ କବିତା ଆଦି ରଚନା କରିଥାନ୍ତି ।