ଆହେ ଜଗନ୍ନାଥ

Odia Poem Ahe Jagannath (ଆହେ ଜଗନ୍ନାଥ) by Jayanti Panda

ଜଗତର ନାଥ ଆହେ ଜଗନ୍ନାଥ ।
ଭକତ ଜନର ତୁହି ପ୍ରାଣନାଥ ॥

ତୁ ଦୟା ସାଗର
ତୁ ଭାବ ମନ୍ଦିର ।
କୃପା କର ଆହେ
ହେ କରୁଣାକର ॥

ନୀଳାଚଳ ଧାମେ ବିରାଜି ମହନ୍ତ ।
ଜଗତର ଦାତା କାଳିଆ ସାଆନ୍ତ ॥
ଜଗତର ନାଥ ଆହେ ଜଗନ୍ନାଥ ।
ଭକତ ଜନର ତୁହି ପ୍ରାଣନାଥ ॥

ତୁ ପୁଣ୍ୟ ସମୀର
ଜଗତର ବୀର ।
ପରମ ଉଦାର
କାଳିଆ ଠାକୁର ॥

ଶରଣବତ୍ସଳ ହେ ରଙ୍କରତନ ।
ଜଗତବାସୀର ତୁ ମନମୋହନ ॥
ଜଗତର ନାଥ ଆହେ ଜଗନ୍ନାଥ ।
ଭକତ ଜନର ତୁହି ପ୍ରାଣନାଥ ॥

ସତ୍ୟରେ ନୃସିଂହ
ତୁ ପୁନଃ ବାମନ ।
ସାଜି ପ୍ରାଣାତ୍ରାତା
ହରୁ ଦର୍ପମାନ ॥

ସାକାର ରୂପେ ତୁ ନିରାକାର ବ୍ରହ୍ମ ।
ସଜୀବ ଶାଶ୍ଵତ ଚିରନ୍ତନ ବ୍ରହ୍ମ ॥
ଜଗତର ନାଥ ଆହେ ଜଗନ୍ନାଥ ।
ଭକତ ଜନର ତୁହି ପ୍ରାଣନାଥ ॥

ତ୍ରେତୟାରେ ରାମ
ତୁ ପୁରୁଷୋତ୍ତମ ।
ପିତୃସତ୍ୟ ପାଳି
ରଖିଲୁ ବଚନ ॥

ଭକତବତ୍ସଳ ହେ ପାପହାରକ ।
ସୃଷ୍ଟିପାଳକ ତୁ ହେ ଭବତାରକ ॥
ଜଗତର ନାଥ ଆହେ ଜଗନ୍ନାଥ ।
ଭକତ ଜନର ତୁହି ପ୍ରାଣନାଥ ॥

ଦ୍ଵାପରରେ କୃଷ୍ଣ
ରାଧାର ତୁ ଶ୍ୟାମ
ହେ ମଦନ ଷୋଳ
କଳାର ତୁ ଧାମ ॥

ତୁ ନାମ କୀର୍ତ୍ତନ, ବନ୍ଦନ, ସ୍ମରଣ
ମୁକ୍ତିମିଳେ କଲେ ତୋ’ ଭକ୍ତି ଶ୍ରବଣ ।
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଜନର ତୁହି ପ୍ରାଣନାଥ ॥

କଳିରେ କଳକୀ
ହେ ପରମବ୍ରହ୍ମ ।
ଅଧର୍ମକୁ ନାଶି
କଲୁ ସତ୍ୟକର୍ମ ॥

ଦୟାର ସାଗର, କ୍ଷମାର ମନ୍ଦିର ।
ସକଳ ଶକ୍ତିର ତୁ ପୁଣ୍ୟ ଭଣ୍ଡାର ॥
ଜଗତର ନାଥ ଆହେ ଜଗନ୍ନାଥ ।
ଭକତ ଜନର ତୁହି ପ୍ରାଣନାଥ ॥

– ଜୟନ୍ତୀ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...