କଳ୍ପନାର ଉଦ୍ୟାନରେ ମୋ କବିତା
ଯଦି ହେଇଥାନ୍ତା ଫୁଲ,
ଶବ୍ଦର ରଙ୍ଗସବୁ ତା’ ପାଖୁଡ଼ା ଅଧରେ
ଛନ୍ଦର ରାଗିଣୀ ଛନ୍ଦି ପ୍ରଜାପତି ଡେଣାରେ
ତା’ ସୁରଭିରେ ହରଷି ସରାଗ ହୃଦୟ
ଆବେଶେ କରନ୍ତା ବସନ୍ତର ସ୍ୱାଗତ,
ଗୋପନରେ ଗାଇ ମଧୁଗୀତ ।
ଆଞ୍ଜୁଳାଇ ଶବ୍ଦ ସାଥେ ସ୍ୱପ୍ନରଙ୍ଗ ବୋଳି
ଫିଙ୍ଗି ଦିଅନ୍ତି ଯଦି ଆକାଶକୁ ଲକ୍ଷ କରି,
ବିନ୍ଦୁ ବିନ୍ଦୁ ରୂପେଲି ବରଷାରେ ମିଶି
ପୁଣି ପଡ଼ିଯାନ୍ତେ ଝରି
ଝିଲିମିଲି ରଞ୍ଜିତ ମନ ଆକାଶରେ
କବିତାରେ ସ୍ୱପ୍ନ ସାତରଙ୍ଗ ଭରି,
ମନୋହାରୀ ଇନ୍ଦ୍ରଧନୁ ପରି ।
ବିଶାଳ ବେଳାଭୂମି ସୁଦୂର ବିସ୍ତାରୀ
ଶବ୍ଦ ଛାଡ଼ି ଯାଆନ୍ତେ ଯଦି ସ୍ମୃତି ପାଦ ଚି଼ହ୍ନ,
ଭାବ ସାଗରର ଅତଳ ଗର୍ଭରେ
ହୃଦୟର ଫରୁଆରେ ମଗ୍ନ ଅମୃତର ସ୍ୱପ୍ନ
ନିହିତ ନିଗୁଢ଼ ରହସ୍ୟର ମୁକ୍ତା
ବିରଳ ଏକ ଶାମୁକାରେ ସୁପ୍ତ,
ଆଲୋକର ସନ୍ଧାନେ ଯାଏ ବିବୃତ୍ତି ପ୍ରସାରୀ ।
– ହୃଷୀକେଶ ସ୍ୱାଇଁ
Comments
ହୃଷୀକେଶ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।