ସିନ୍ଦୂରା ଫାଟିନି ସୁରୁଜ ଉଇଁନି
ଚଣ୍ଡାଳ ପୁଙ୍ଗାଟା ବାଜି ଉଠିଲାଣି
ଶୀତୁଆ ସକାଳ ନିଦଟି ଭାଙ୍ଗୁନି
ନାହିଁ ଅନ୍ୟ ଗତି କାମ ଡାକିଲାଣି ।
ଆଜି ରହିଯାଅ କହିଲା ଭାରିଜା
କାହିଁକି କେଜାଣି ମନଟା ଅବୁଝା
ବେଳ ଗଡ଼ିଲାଣି ଥାଉ ସାଜସଜା
ଗାଡ଼ି ଧରିବାକୁ ହେବ ଛକାପଞ୍ଝା ।
ମୁଠାଏ ଭୁଜାକୁ ପାଟିରେ ପକେଇ
ବାହାରିଲା ଘରୁ ତରତର ହେଇ
ସମୟ ହେଉଣୁ ହୁଟର ବାଜଇ
ଭିତରେ ପଶିଲା ଲିଫ୍ଟରେ ଓହ୍ଲେଇ ।
କିଟିମିଟି ଘନ ଅନ୍ଧାର ଗୁମ୍ଫାରେ
ମାଡ଼ି ଚାଲିଥାନ୍ତି ବତୀ ଆଲୁଅରେ
ଓଃ ! କି ଉତ୍କଟ ଗ୍ୟାସ୍ର ଗନ୍ଧରେ
ଶ୍ୱାସରୁଦ୍ଧ, ଆଖି ବୁଡ଼ଇ ଲୁହରେ ।
ଏ ତ ସଭିଙ୍କ ନିତିଦିନିଆ କାହାଣୀ
ଆଜି ତୁ ବାଷ୍ପରୁଦ୍ଧ କାହିଁକି କେଜାଣି
କୁଳୁକୁଳୁ ନାଦ କରେ ନିର୍ଝରିଣୀ
କାହିଁ ଗଲା ସେ ଶୁଭୁନି ତା’ ଶବ୍ଦବାଣୀ ।
କେହି ଜଣେ କଲା ବୁକୁଫଟା ଚିତ୍କାର
ରୁହ, ପାଦେ ନ ବଢ଼ି ଟିକେ ଥୟଧର
ରାତ୍ରିର ଶୂନ୍ୟତା ପରି ଭୂତଳ ସହର
କ୍ଷିପ୍ରବେଗେ ଶବ୍ଦଟିଏ ହେଉଛି ପ୍ରଖର ।
ଘର୍ଘର୍ ନାଦ କରି ପ୍ରକମ୍ପିତ ମେଦିନୀ
ଅମ୍ବୁ ମାଡ଼ି ଆସେ କରାଳ ରୂପ ଘେନି
ହୃଦୟେ ଛନକା, ପଡ଼ିଛି କି ଦଶା ଶନି
ମନ ଅସ୍ଥିର, ରହିଯା କହିଥିଲା କାମିନୀ ।
ଦ୍ୱାରକୁ ଲଙ୍ଘି ଆସୁଛି ସେ କରିବ ରଣ
ଯୁଦ୍ଧ କରିବାକୁ ସଜ ତବ ନାମ ସୁମରିଣ
ବିସ୍ଫୋଟଟା ନେବ ଜୀବନ, କରିଛି ପଣ
ତୋଳିଲା ଉଦକ ପାଇଁ ପ୍ରସ୍ତର ତୋରଣ ।
ମୁହୂର୍ତ୍ତକେ ଭରିଗଲା ସଲିଳ ଚତୁର୍ଦିଶେ
ବନ୍ଦୀ ଶ୍ରମବୀର, କିଛି ଉପାୟ ନ ଦିଶେ
ବାୟୁ ରିକ୍ତ ସ୍ଥାନ ଶ୍ୱାସ ହେବନି ସରସେ
ପ୍ରଭୁଙ୍କୁ ଡାକିଲେ ପାଇ ମରଣକୁ ପାଶେ ।
ହେବ ଜଳସମାଧୀ ଆଉ ଅଳ୍ପ କ୍ଷଣ
ମନେପଡ଼େ ଘର, ବାକି ରହିଛି ଋଣ
ଦୁଇ ଛୁଆ ତା’ର କେମିତି ବଞ୍ଚିବେ ଜାଣ
ମାନିବିନି ହାର, ରକ୍ଷାକର ନାରାୟଣ ।
ଅଣ୍ଟାଭିଡ଼ି ବାହାରିଲା ବାବୁ ଶ୍ରମବୀର
ଦୀର୍ଘଶ୍ୱାସ ଭରି ଲଙ୍ଘିବ ଅକାତ ନୀର
ବାଟହରା ସେ, ଶ୍ୱାସ ଦେଲାଣି ଉତ୍ତର
ଦେଖି ସୂର୍ଯ୍ୟାଲୋକ, ହୋଇଲା ଆତୁର ।
ନିସ୍ତେଜ ହାତ ଗୋଡ଼କୁ, ବଳ ପାଉନି
ଥକି ଯାଉଥାଏ, କିନ୍ତୁ ପହଁରା ଛାଡ଼ୁନି
ଅଗ୍ରସର ହେଉଅଛି ବିପତ୍ତିକୁ ନମାନି
ଅସୀମ ମନୋବଳ ତା’ର ସଞ୍ଜୀବନୀ ।
ଯେପରି ସକାଳ ହୁଏ କାଟି ଅନ୍ଧକାର
ସ୍ୱଳ୍ପ ପ୍ରାଣ ଅଛି ଦେଖିଲା ସେ ଭାସ୍କର
ପ୍ରଭୁଙ୍କୁ ସୁମରିଣ, ଜଣାଇଲା ଆଭାର
ମୂର୍ଚ୍ଛିତ ହେଲା ସେ, ବଳହୀନ ଶରୀର ।
କେହି ଜଣେ ଦୂରେ ଥାଇ ଡାକଦେଲା
ଦୌଡ଼ି ଆସରେ, ଜଣେ ଭାସି ଆସିଲା
ଆଂଶିକ ଅକର୍ଣ୍ଣିତ କରି, ଆଖି ବୁଜୁଥିଲା
ଆମ୍ବୁଲାନ୍ସର ସାଇରନ୍ ବାଜି ଉଠୁଥିଲା ।
– ଦୀପଙ୍କର ପଣ୍ଡା
Comments
ଦୀପଙ୍କର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ଗଳ୍ପ ଓ କାହାଣୀ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗଳ୍ପଗୁଡ଼ିକ ସୋସିଆଲ୍ ମିଡିଆରେ ବେଶ୍ ଆଦୃତି ଲାଭ କରିଛି ।