ଅବାଞ୍ଛିତ ହସ

Odia Poem Abanchhita Hasa (ଅବାଞ୍ଛିତ ହସ) by Sachidananda Mohanty

ଅବେଳରେ
ଅବାଞ୍ଛିତ ହସ
ଅପଦସ୍ତ କରେ,
ହସ ସଙ୍ଗେ
ସମ୍ବନ୍ଧ ବିଚ୍ଛେଦ ପାଇଁ
ତୀବ୍ର ଇଛାହୁଏ,
ଅକାରଣେ ଆସିଯାଏ
ଭୁଲ ଜାଗାରେ,
ଭୁଲ ସମୟରେ ।

ସତେ, କାହାକୁ ସମ୍ମାନ ନାହିଁ,
ଭୁଲ ଠିକର କଳନା ନାହିଁ,
ତା’ ମର୍ଜୀର ସେ ମାଲିକ,
କୌଣସି ଖୁସିର
ବାର୍ତ୍ତା ବାହକ ନୁହେଁ,
ପ୍ରହସନରେ,
ଏକ ବିଦୂଷକ ପରି
ମୁହଁରେ ଅନେକ ରଙ୍ଗର
ପ୍ରଲେପ ବୋଳି,
ନିଜ ଉପସ୍ଥିତି ଜାହିର କରେ ।

କେବେ ଅର୍ଦ୍ଧ ହାସ୍ୟ,
କୃତ୍ରିମ ହାସ୍ୟ,
ଅବା ବିକ୍ଷିପ୍ତ ହାସ୍ୟ,
ପରିବେଶକୁ ଅସହ୍ୟ କରିଦିଏ,
ଶ୍ରେଷ୍ଠ ସ୍ଥପତି ଦ୍ୱାରା ଚିତ୍ରିତ
କମନୀୟ ମୁଖକାନ୍ତି,
ହଠାତ ବିକୃତ ହୋଇଯାଏ ।

କେବେ,ଆଖିରେ ଉପେକ୍ଷିତ ହସ,
କିମ୍ବା ଓଠରେ
ବ୍ୟଙ୍ଗ ଭରା ସ୍ମିତ ହସ ।
ବାକି ଶରୀର ବିନା ଆନ୍ଦୋଳିତ,
ପ୍ରତିକ୍ରିୟା ଶୂନ୍ୟ ।
ସତେ ଯେପରି
ଏକ ପ୍ରସ୍ତର ମୂର୍ତ୍ତି,
ବାରି ଓ ବତାସର
ନିହାଣ ମୁନରେ ଅଙ୍କିତ
ମନୁଷ୍ୟ ଆକୃତି ସୁନ୍ଦର ଅବୟବ,
ଅନେକ ବର୍ଷ ଧରି
ଉପେକ୍ଷିତ ହୋଇ,
ଅବଜ୍ଞା ମୁଦ୍ରାରେ
ସଭିଙ୍କୁ ଆକ୍ଷେପ କରିବା ପାଇଁ
ଅପେକ୍ଷାରତ ।

ସେ ସମସ୍ତ ହସ
ଅବାଞ୍ଛିତ, ବର୍ଜନୀୟ,
କ୍ଷଣିକ ମାନସିକ ତୁଷ୍ଟି କରଣ,
ସର୍ବାଦୌ ଅସମୀଚୀନ ।
ଅଲୋଡ଼ା ଆକ୍ଷେପ,
ଅସମୟ ପରିହାସ,
ଅକରଣୀୟ କୌତୁକ,
ଅକ୍ଷମଣୀୟ ଇଙ୍ଗିତ,
ଅସଭ୍ୟତାର ପରିପ୍ରକାଶ ।

– ସଚ୍ଚିଦାନନ୍ଦ ମହାନ୍ତି

Odia Poem Abanchhita Hasa

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...