ଭାରି ଅଭାବୀ ସହର ଇଏ ।
ଏତେ କୋଳାହଳ ଭିତରେ ବି
ଅନୁଭୂତ ହୁଏ ଭୀଷଣ ଏକ ନୀରବତା
ଏତେ ରଙ୍ଗରେ ରଙ୍ଗାୟିତ
ଅଥଚ ସବୁ ଲାଗେ ଫିକା ଫିକା ।
ନାହିଁ ନାହିଁର ସହରରେ
ସବୁ ଅଛି, ପୁଣି କିଛି ନାହିଁ ।
ଯୁଆଡ଼େ ଦେଖ, ମଣିଷର ଭିଡ଼
ଅଥଚ ଭିଡ଼ ଭିତରେ ହଜିଯାଇଛି ମଣିଷ ।
ଜୀବନ ଅଛି, ହେଲେ ସେ ନିର୍ଜୀବ
ସେ ଚଳିଷ୍ଣୁ, ହେଲେ ଜଡ଼ ।
ଖାଦ୍ୟ ଅଛି, ଭୋକ ନାହିଁ
ଭୋକ ଥିଲେ ଦାନା ନାହିଁ ।
ସମ୍ପର୍କ ଅଛି, ଆତ୍ମୀୟତା ନାହିଁ
ପୁଣି କେବେ ଆତ୍ମୀୟତା ଥାଇ,
ସମ୍ପର୍କର କିଛି ପରିଚୟ ନାହିଁ ।
ଠିକଣା ଅଛି, ପରିଚୟ ନାହିଁ
ପୁଣି ପରିଚୟ ଥାଇ ଠିକଣା ନାହିଁ ।
ଭାବନା ଅଛି, ଭାଷା ନାହିଁ
କାହାଣୀ ଅଛି, କଥାକାର ନାହିଁ
କଳ୍ପନା ଅଛି, ରୂପ ନାହିଁ
ପୁଣି ରୂପ ଥିଲେ ରୂପକାର ନାହିଁ ।
ଅଚଳାଚଳ ସମ୍ପତ୍ତି ଥାଇ କିଏ ଦରିଦ୍ର
ଆଉ କପର୍ତ୍ତକ ଶୂନ୍ୟ ହୋଇ ବି କିଏ ଧନୀ
ସବୁ ହରେଇ କିଏ ସବୁକିଛି ପାଇଯାଏ
ଆଉ ସବୁକିଛି ପାଇକି ବି କିଏ ରିକ୍ତହସ୍ତେ ରହିଯାଏ ।
ସତରେ! ଭାରି ଅଭାବୀ ଏ ସହର ।
– ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା
Comments
ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।