ଅଫେରା ଚିଠି

Odia Story Aphera Chithi (ଅଫେରା ଚିଠି) by Sweety Das

ପ୍ରିୟ ଗୌତମ,
ତମେ ଭଲ ଆଛ ତ? ଅଶାକରେ ତମେ ସେଠାରେ ଭଲରେ ଥିବ । ଘରେ ବି ସମସ୍ତେ ଭଲରେ ଅଛନ୍ତି କିନ୍ତୁ ବାପାଙ୍କର ଟିକେ ଉଚ୍ଚ ରକ୍ତ ଚାପ ଯୋଗୁଁ ଦେହ ଅସୁସ୍ଥ ଅଛି । ତମେ ଜମା ଚିନ୍ତା କରନି, ମୁଁ ତାଙ୍କୁ ଠିକ ସମୟରେ ମେଡ଼ିସିନ୍ ଦେଇଦେଉଛି । ଆଉ ତମ ଝିଅ ଶ୍ରେୟା ଏବେ ନୂଆ ନୂଆ ସ୍କୁଲ ଯାଉଛି । ସେ ତମକୁ ବହୁତ ମିସ କରୁଛି । ଆଉ ଜାଣିଛ, ଗାଁ, ସାଇପଡ଼ିଶା, ବାପା, ମାଆ, ଘର ପରିବାର ସମସ୍ତଙ୍କ ଛାତି ଆଜି ବି ଗର୍ବରେ ଫାଟି ପଡ଼ୁଛି । କାରଣ ତାଙ୍କ ପୁଅ ଦେଶ ପାଇଁ ଶହୀଦ ହୋଇଯାଇଛି । କିନ୍ତୁ ତମ ଝିଅର କାନ୍ଦିବା ସ୍ୱର ଏବେବି ତା’ ରୁମରୁ ଶୁଣାଯାଉଛି । ଚେଷ୍ଟା କରୁଛି ତାକୁ ବୁଝେଇବା ପାଇଁ, ହେଲେ ସେ କ’ଣ ବୁଝିବ ! ପାପା କେବେ ଆସିବେ ବୋଲି ଧରି ଜିଦ୍ ଧରି ବସିଛି ଯେ ବସିଛି । ମୁଁ ତାକୁ କହିଦେଇଛି ତୋ ବାବା ତୋ ମା’ ପରି ଆଉ ଜଣେ ମା’ର ସେବାରେ ଯାଇଛନ୍ତି ଆଉ ସେ ହେଉଛନ୍ତି ଭାରତ ମା’ ।

ତମେ ଠିକ କହୁଥିଲ, ବୟସ ବଢ଼ିବା ସହ ତା ଜିଦ୍ ଧୀରେ ଧୀରେ ବଢ଼ିବାକୁ ଲାଗୁଛି । ଘରେ ତ ସମସ୍ତଙ୍କ ନଜର ତମ ସମ୍ପତ୍ତି ଉପରେ । ତମ ନିଜ ଭାଇ ବି ଅନେକଥର ଭାଗବଣ୍ଟା କଥା ଉଠେଇ ସାରିଲେଣି । ଆଉ ସରକାରଙ୍କଠୁ ମିଳିଥିବା ଅନୁଦାନକୁ ମଧ୍ୟ ସେମାନେ ଘର ଖର୍ଚ୍ଚରେ ଲଗେଇସାରିଲେଣି । ମା’ ବି ସେମାନଙ୍କ ସପକ୍ଷ ନେଇ ମୋତେ ନିର୍ଯାତନା ଦେବା ଆରମ୍ଭ କଲେଣି । ତମେ ଚାଲିଯିବାର ସାମାନ୍ୟ ଦୁଃଖ ମୋତେ କାହା ଆଖିରେ ଦେଖିବାକୁ ବି ମିଳୁନାହିଁ । ଯେଉଁ ଭଲ ପାଇବା ଓ ଆନ୍ତରିକତାରେ ଏ ପରିବାର ଦିନେ ଗଢ଼ି ଉଠିଥିଲା ତାହା ମୋତେ ଏବେ ଦୁର୍ବିସହ ହେବାରେ ଲାଗିଲାଣି । ମୋ ନିଜ ବାପାମା’ ବି ଏଥିରୁ ବାଦ୍ ପଡ଼ିନାହାଁନ୍ତି । ସେମାନେ ମୋତେ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ କରୁଛନ୍ତି । ତମେ ନିଜେ କୁହ ! ଜଣଙ୍କ ମଥାରେ ହୁଏତ ଆଉ ଥରେ ସିନ୍ଦୁର ଭରାଯାଇ ପରେ କିନ୍ତୁ ଖୁସି କ’ଣ ଆଉ ଥରେ ଭରା ଯାଇପାରେ??

ଏବେ ତ ମୁଁ ସମସ୍ତଙ୍କ ପାଇଁ ଯେମିତି ବୋଝ ହୋଇଯାଇଛି । ସମସ୍ତଙ୍କ ଅନ୍ୟାୟ ଅତ୍ୟାଚାର ମୁଁ ଆଉ ସହିପାରୁନି ଗୌତମ ! କିନ୍ତୁ ତମେ ମୋ ପାଇଁ ଜମା ବି ଚିନ୍ତା କରନି । ତମେ ମୋ ପାଖରେ ନାହଁ ତ କ’ଣ ହେଲା, ତମ ଶେଷ ସନ୍ତକ ଶ୍ରେୟା ତ ଅଛି ନା ! ତା’ର ସେହି ନିରୀହ ଆଉ କମନୀୟ ମୁହଁ ଦେଖି ମୁଁ ସବୁ କିଛି ଭୁଲିଯାଉଛି । ଘର ଜଞ୍ଜାଳରୁ ଟିକେ ମୁକ୍ତି ପାଇବା ପାଇଁ ଆଜି ଟିକେ ପାର୍କ ଆଡ଼େ ବୁଲି ଯାଇଥିଲି । କିନ୍ତୁ ପାର୍କର ପ୍ରତେକ ଗଛ, ଲତା, କୋଣ ଅନୁକୋଣ ଯେମିତି ଆମର ସେହି ପୁରୁଣା ସ୍ମୁତିକୁ ମନେ ପକେଇବା ପାଇଁ ମୋତେ ବାଧ୍ୟ କରୁଥିଲା ! ପାର୍କର ସେହି ବରଗଛ ତଳେ ଆମେ କେତେ ଯେ ସ୍ମୁତି ସାଉଁଟି ଥିଲେ, ତାହା ଆଜି ମୋର ମନେ ପଡ଼ିଯାଉଛି । ମୁଁ ଯେବେ କିଛି ସମୟ ପାଇଁ କଥାବାର୍ତ୍ତା ବନ୍ଦ କରିଦେଉଥିଲି ତମେ କହୁଥିବା ‘ରାଗିଛ କି?’ ଏବେ ଆଉ ଶୁଣିବାକୁ ମିଳୁନି । ସେଦିନର ସେ କଥା ଆଜି ମନେ ପଡ଼ିଯାଉଛି । ଇଚ୍ଛା ତ ହେଉଛି ପୁଣି ରୁଷିବାକୁ, କିନ୍ତୁ ରୁଷିଲେ କ’ଣ ହେବ? କୋହ କେବଳ ହୃଦୟରେ ଜମାଟ ବାନ୍ଧିବ ସିନା ହେଲେ ଏ ଅଭିମାନକୁ କିଏ ବୁଝିବ???

ମୁଁ ଯେତେବେଳେ ପାର୍କରୁ ଫେରି ବସ୍‌ଷ୍ଟାଣ୍ଡ ଆଡ଼େ ଗଲି, ଅଦିନିଆ ମେଘଟା କେଉଁଠି ଥିଲା କେଜାଣି ହଠାତ ମାଡ଼ିଆସିଲା । ତମର ମନେ ଅଛିନା, ଠିକ ଏହି ବସଷ୍ଟାଣ୍ଡରେ ସେଦିନ ମେଘଟା ମାଡ଼ିଆସିଥିଲା । ମୁଁ ବ୍ୟସ୍ତ ହୋଇପଡ଼ୁଥିବା ବେଳେ ତୁମେ ବେଫିକର ଭାବେ ବର୍ଷାକୁ ଅଶେଷ ଧନ୍ୟବାଦ ଦେଇଥିଲ । ମୁଁ କିନ୍ତୁ ଚିଡ଼ି ଯାଇ କହିଥିଲି, “just stop it!” ଆଉ ମୋ ବ୍ୟସ୍ତତା ଦେଖି ତୁମେ କହିଲ, “ବର୍ଷା ବି ଚାହୁଁଛି ବୋଧେ ଆମେ ଅଧିକ ସମୟ ବିତାଉ ।” ମୁଁ ଠିଆ ହୋଇ ରହିଲି କିଛି ସମୟ । ବାହାରେ ବର୍ଷାର ଗର୍ଜନ କିନ୍ତୁ ଆମ ଦୁହିଁଙ୍କ ଭିତରେ ପ୍ରଚଣ୍ଡ ନୀରବତା । ପ୍ରକୃତି ଓ ଆମ ଭିତରର ନୀରବତା ଭିତରେ ତମେ ଜାବୁଡ଼ି ଧରିଲ ମୋର ହାତକୁ । କେଜାଣି କାହିଁକି ସେଦିନ ମୁଁ ପ୍ରତିବାଦ କରିପାରିଲିନି । ସେଦିନର ସେହି ଅଦିନିଆ ବର୍ଷା ଓ ଅତୀତର ସ୍ମୁତି ମୋତେ ଆଜି ବାରମ୍ବାର ଭିଜିବା ପାଇଁ ବାଧ୍ୟ କରୁଛି । ଆଉ ରହି ରହି ମୋ ଭିତରେ ଗାଇ ଉଠୁଛି,
“ଅଦିନିଆ ମେଘର ସେ ଶୂନ୍ୟତାର ଧରା
ଅତୀତର ପୃଷ୍ଠାକୁ ଭିଜେଇ ମନକୁ କରେ ନିଆରା ।।
ତମର ସେ ମର୍ମସ୍ପର୍ଶୀ ଛିଟା ହୃଦୟରେ ଭରିଦିଏ ମହକ,
ଅଫେରା ସ୍ମୁତିକୁ ସାଉଁଟି
ମନରେ ଖେଳାଇ ତାକୁ କରେ ଭାବୁକ… ।।”

ଆମେ ଯାଇଥିବା ପ୍ରତେକଟି ସ୍ଥାନରେ ମୁଁ ଆଜି ତମକୁ ପାଗଳଙ୍କ ପରି ଖୋଜି ବୁଲୁଛି, ହେଲେ ସମୟ ସହ ତ ଆଜି ସବୁ କିଛି ବଦଳି ଯାଇଛି । ଏଇ କିଛି ଦିନ ହେଲା ତମେ କାହିଁକି ଯେ ମୋ ସ୍ୱପ୍ନରେ ଆସୁନାହଁ ମୁଁ ବୁଝିପାରୁନି । ତମେ କ’ଣ ମୋ ଉପରେ ରାଗିଛ? ନା ଅଭିମାନ କରିଛ?? ଘରୁ ଯୁଦ୍ଧକ୍ଷେତ୍ରକୁ ଗଲାବେଳେ ତମର ସେହି ଶେଷ ଆଲିଙ୍ଗନ ଆଜି ବି ମୋର ମନେ ଅଛି ।

ଶ୍ରେୟାର ଦାୟିତ୍ୱ ତୁଲାଇ ମୁଁ ନିଶ୍ଚିତ ତମ ପାଖକୁ ଯିବି । ଆଉ ହଁ, ଖବରଦାର ! ସେଇଠି କେଉଁ ଉର୍ବଶୀ, ରମ୍ଭା, ମେନକାଙ୍କ ପ୍ରେମରେ ପଡ଼ିବନି । ସେତେଦିନଯାଏଁ ମୋ ଅପେକ୍ଷାରେ ଥିବ । ନହେଲେ ମୁଁ ରାଗିଯିବି ଆଉ ତମ ସହ କଥା ହେବିନି କହିଦେଉଛି ।

ଇତି ତମ
ସ୍ୱପ୍ନା

– ସ୍ୱୀଟି ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...