ବହୁତ ଭାବିଛି
ଭୁଲିଯିବି ତୁମକୁ, ପୋଛିଦେବି
ତୁମ ପ୍ରେମକୁ, ଭାବନାକୁ,
ଆଉ ତୁମ ପ୍ରତିଥିବା ସମର୍ପଣର ଭାବକୁ,
ସ୍ମୃତିର ଫରୁଆରେ ସେସବୁକୁ ଚିପୁଡ଼ି
ଖୁବ୍ ସମ୍ମାନର ସହ ରଖିଦେବାକୁ
ଚାହେଁ ଏକ ଅଦୃଶ୍ୟ ଜାଗାରେ !!
ଯେମିତି ସେସବୁ ଦ୍ୱିତୀୟଥର
ମୋ ନଜରରେ ନ ପଡ଼ନ୍ତା କି
ଖୁବ୍ ଭଲ ହୁଅନ୍ତା ।
ହେଲେ ଏମିତି କି କରିହୁଏ !!
ତଥାପି ତୁମକୁ ମୁଁ ଭୁଲିବାକୁ ଚାହେଁ ।
ଅନେକଥର ନିଜକୁ ତାଗିଦ୍ କରିଛି,
ଭୁବନେଶ୍ୱରରୁ ଘରକୁ
ଫେରିବା ବାଟରେ ଯେମିତି ତୁମମନସ୍କ ନ ହୁଏ
ତୁମ ଛକରେ ବସ୍ ଅଟକିଲେ
କାହିଁ କେଜାଣି ମୋତେ
ଆଜି ବି ଲମ୍ବା ନିଃଶ୍ୱାସଟେ
ନେଇ ଛାଡ଼ିବାକୁ ପଡ଼େ ।
ହଠାତ୍ ମନେପଡ଼େ
ମାଟ୍ରିକ ପରୀକ୍ଷାର ଶେଷଦିନ,
ଛକରେ ଠିଆହେଇ ମୋତେ ମୋ
ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ତୁମ ପ୍ରେରଣା
ଏଯାଏଁ କି ପହଞ୍ଚି ପାରିଛି !!
ବାରମ୍ବାର ମୋତେ ଲକ୍ଷ୍ୟଚ୍ୟୁତ ହେବାକୁ ପଡ଼େ ।
ଏମିତି କାହିଁକି ହୁଏ !!!
ତଥାପି ମୁଁ ତୁମକୁ ଭୁଲିବାକୁ ଚାହେଁ ।
ଏମିତି ବି ହେଇଛି,
କଲେଜରୋଡ଼୍ ଦେଇ ମାର୍କେଟ ଗଲେ
ଭାବେ; ସେ ଝାଉଁବଣ ଆଡ଼େ ଜମାରୁ ଚାହିଁବିନି,
କି ଅନୁଭବ କରିବିନି ତୁମ ପ୍ରଥମ ଛୁଆଁର ଅନୁଭୂତିକୁ;
କିନ୍ତୁ ସତରେ କି ଭୁଲିହୁଏ
ସେ ଆଦ୍ୟପ୍ରେମର ଉଷୁମଛୁଆଁର ଅନୁଭୂତିକୁ??
ବାରବାର୍ ଏମିତି କାହିଁକି ହୁଏ !!
ତଥାପି ମୁଁ ତୁମକୁ ଭୁଲିବାକୁ ଚାହେଁ ।
ବହୁତ୍ ଭାବିଛି,
ଏ ସନ ଦଶହରାରେ
ଦୁର୍ଗାମନ୍ଦିର ଗଲେ
କେମିତି ସାମ୍ନା କରିବି
ମା’ଙ୍କ ଆଖି ଆଗରେ ନିଜକୁ !
ସେ ସବୁ ମିଛ ପ୍ରତିଶ୍ରୁତିକୁ, ପ୍ରତାରଣା ଭର୍ତ୍ତି ପ୍ରେମକୁ
ଯୋଉ ସବୁ ସେଦିନର ପ୍ରଥମ ଦେଖାରେ
ନୂଆକରି ଆରମ୍ଭ କରୁଥିବା ସମ୍ପର୍କକୁ
ମା’ଙ୍କ ଆଶୀର୍ବାଦ ପାଇଁ ଯଚେଇଥିଲ !!!
ବୋଧହୁଏ ସେ ପାଇଁ
ତା’ପରଠୁ ଆଉ କେବେ ମନ୍ଦିର ଯାଉନି ।
ଏମିତି କ’ଣ ମୁଁ କରିପାରିବି !!
ତଥାପି ମୁଁ ତୁମକୁ ଭୁଲିବାକୁ ଚାହେଁ ।
ଯେତେଥର ଏବେ ଏବେ
କାଶତଣ୍ଡୀର ପଠାକୁ ଯାଇଛି
ଖୁବ୍ ନିଃସଙ୍ଗ ଲାଗେ,
କେହିଜଣେ ନଥାଇ ବି ଥିବା ପରି ଲାଗେ
ତଥାପି ମୁଁ ଯେତେକ ବାହାନର ବାଡ଼
ଭାବନାରେ ଛିଡ଼ା କରିବାକୁ ବାଧ୍ୟହୁଏ;
ପାଖରେ ଥିବା ପୋଲରେ ଆଉଜି ଠିଆ ହୁଏ
ତଳକୁ ଅନାଏ,
ପାଣିଗୁଡ଼ା ଗୋଟେ ପ୍ରବାହରେ ଚାଲିଥାଏ
ଶୀତ, ବର୍ଷା,ଖରା…
ବୁଝାଏ ନିଜକୁ,
ଏମିତି ହିଁ ଜୀବନ !!
ଟିକେ ଆଗକୁ ଚାଲିଆସେ
ସବୁ ଅତୀତକୁ ସେ ଅଦୃଶ୍ୟ ଜାଗାରେ ଥୋଇ ।
ସତରେ ! ଏମିତି ମୁଁ କରିପାରେ??
ହଁ !!
କାହିଁକି ନା ମୁଁ ଭୁଲିବାକୁ ଚାହେଁ ।।
– ନିର୍ଲିପ୍ତା ସେଠୀ
Comments
ନିର୍ଲିପ୍ତା ସେଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।