ମତେ ଆଉ କେତେ ଅପେକ୍ଷାରେ ରଖିବୁ
ଏ ଜହ୍ନରାତି ନଈକୂଳ କୃଷ୍ଣଚୂଡ଼ା ଗଙ୍ଗଶିଉଳି
ତୋ ବିନା ସବୁ ଅଲୋଡ଼ା…
ପବନର ଆହୁଲା ମାରି ମାରି
ଛୁଇଁବାକୁ ହୁଏ ଆକାଶ
ଆକାଶ ବୋଲି କ’ଣ ଅଛି ଯେ…
କେବଳ ତୋ ହଳେ ଅନ୍ୟମନସ୍କ ଆଖି ଆଉ ଓଠ ଚିପା ହସ…
ତୁ ଜାଣିଚୁ
ଏ କେହିଜଣେ କିଏ କିଏ ବୋଲି ପ୍ରଶ୍ନ ଉଠେ
ମୁଁ ବହୁତ ଡେରିଯାଏଁ ଚାହିଁ ରହେ ସମସ୍ତଙ୍କୁ
ଆଉ ଫେରିଯାଏ ଆମ ଗାଁ ନଈପଠା ଆରପଟ ବଗିଚାକୁ
ତୁ ଜାଣୁ କି ନ ଜାଣୁ ମୁଁ ଜାଣିନି
ସେଠି ଏବେ ନୂଆ ପ୍ରଜାତିର ଫୁଲଟେ ଫୁଟିଛି
ଯା’ର ଚାରିପାଖ ମୋ ଓଠ ପରି ଭଅଁରଙ୍କ ଭିଡ଼
ଏଠି ନାଆ ବି ନାହିଁ ନାଉରୀ ବି ନାହିଁ
ହେଲେ ତୁ ଚିନ୍ତା କର ନା
ମୁଁ ଏ ନଈ ଲଙ୍ଘିବି
ଆମ ଭିତରେ ଥିବା ଶହ ଶହ ଭଅଁରର ଫରକକୁ ଏଡ଼େଇ
ତତେ ଏଇ ହାତ ପାପୁଲିରେ କୋଳେଇ ନେବି
ବହୁତ ପ୍ରେମ ଦେବି
ତୋ ପାଖୁଡ଼ା… ବୃନ୍ତସବୁ ଗୋଟେ ପ୍ରେମିକ ନିଶ୍ୱାସରେ ଶିହରୀ ଉଠିବ
ଏତେସବୁ ପରେ ତୁ କ’ଣ ତୁ ହେଇଥିବୁ…??
ଦେଖିବୁ ତୁ ନିଶ୍ଚେ କହିବୁ
“ଫୁଲ ହେଇ ତ ଫୁଟିଥିଲି
ହେଲେ ତମେ ମତେ ପ୍ରେମିକା କରିଦେଲ”
– ଆଶିଷ କୁମାର ଗୌଡ଼
Comments
ଆଶିଷ କୁମାର ଗୌଡ଼ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।