ସବୁ ସମ୍ଭାବ୍ୟ ଆସନ୍ନତାରୁ
ବାରମ୍ବାର ଉତ୍ତାରି ଆଣିଲି ନିଜକୁ
ବାରମ୍ବାର ରଦ୍ଧ କଲି
ନିଜ ସହ ନିଜ ସନ୍ଧିର ଚୁକ୍ତିପତ୍ର
କଣିକାଏ ଆଲୁଅର ଅର୍ଦ୍ଦଳୀରେ
ଆଣ୍ଠୁମାଡ଼ି ହାତଯୋଡ଼ି ମୁଣ୍ଡ ନୁଆଇଁ
ପଥର ପାଲଟିଥିବା ପ୍ରର୍ଥନା ସବୁ ଭାଷିଯିବା ପରେ
ଫୁଟିପଡ଼ିଲା ଲୁଣ
ରକ୍ତ, ହାଡ଼ ଓ ଆତ୍ମାରୁ,
ମୋ ଆସ୍ପର୍ଦ୍ଧା ତ ଦେଖ
ତଥାପି ମୁଁ ଅସ୍ୱୀକାର କଲି ଆଲିଙ୍ଗନ
ଘୁଞ୍ଚିଗଲି
ଘୁଞ୍ଚେଇନେଲି ମୋ ଅଥୟ ପାଦ
ଆଖି ଖୋଲାରଖି ଶୁଖେଇ ନେଲି ଆଖିପତା
ସେଇ ଦି ବୁନ୍ଦା ଲୁହ ହିଁ ତ ମୋର
ବିଜ୍ଞାପିତ ଦୁଷ୍ଟାମୀ ଭଳି
ଛୁଇଁ ଯଆନ୍ତି ଚିବୁକ, ଓଠ, ବେକ
ଆଉ ଯେତେ ସବୁ ନିରାମୟତା,
ଢେଉ ଭଳି ବାରମ୍ବାର ପୋଛିନିଅନ୍ତି ମୋ ସୁକ୍ଷ୍ମତା
ବେଳ ଅବେଳରେ
ସମୁଦ୍ରେଇଯାଉଥିବା ଏ ଦେହରେ ମୋର
ସେଇ ସେତିକି ନିର୍ଯାତନା
ସେତିକି ବିଶୃଙ୍ଖଳା
କେମିତି କହିବି,
ଆଖିର ଆଡ଼ିବନ୍ଧ ଭାଙ୍ଗି
ବାରମ୍ବାର ମଥାପିଟେ ଯୋଉ ଢେଉ
ସେ ମୋ ଅକ୍ତିଆରରେ ନାହିଁ..!
ପ୍ରେମ ମୋର ସେତିକି ଦୁର୍ବୋଧ୍ୟ
ଯାହାକୁ,
ଶିପ, ସାମୁକା, ବାଲି, ବେଳାଭୂମି
ଝାଉଁବଣ ଆଉ ତୁମ ନୀରବତା ସମସ୍ତେ କହନ୍ତି
ସମୁଦ୍ର….. ସମୁଦ୍ର….!!
– ଏଲି ମହାନ୍ତି
Comments
ଏଲି ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।