ସାହିତ୍ୟ ହେଉଛି ସମାଜର ଦର୍ପଣ । ସାହିତ୍ୟି ସମାଜକୁ ପ୍ରଭାବିତ କରେ । ସମାଜର ପ୍ରତିଛବିକୁ ସାହିତ୍ୟରେ ଉପଲବ୍ଧି କରିହୁଏ । ଯୁଗ ସହିତ ତାଳ ଦେଇ ସାହିତ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ଆସେ । ଅନେକ ଲୋକ କଳା, ପୁସ୍ତକ ଏବଂ ଗଣମାଧ୍ୟମଦ୍ୱାରା ସାହିତ୍ୟର ପ୍ରଚାର ପ୍ରସାର ହୁଏ । ଆମ ଓଡ଼ିଆ ସାହିତ୍ୟକୁ ଦେଖିଲେ ସାରଲା ଯୁଗଠୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗରେ ଆମେ ପହଞ୍ଚି ସାରିଛେ ।
ଏବେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପତ୍ରପତ୍ରିକା ପ୍ରକାଶ ପାଉଛି । ଦୈନିକ ସାପ୍ତାହିକ ମାସିକ ସମ୍ବାଦପତ୍ରରେ ମଧ୍ୟ ସାହିତ୍ୟି ଚର୍ଚ୍ଚାପାଇଁ କେତୋଟି ପୃଷ୍ଠା ରହୁଛି । ତା’ ସହିତ ଇ-ମେଲ, ଟୁଇଟର। ଫେସବୁକ, ହ୍ଵାଟ୍ସଆପ ଆଦି ଏମିତି ଅନେକ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ସାହିତ୍ୟର ପ୍ରଚାର ପ୍ରସାର ହେଉଛି, ବହୁ ସଭା ସମିତିର ଭୂମିକାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ।
କିନ୍ତୁ ପାଠକ, ଲେଖକ, ପ୍ରକାଶକ, ଲୋକକଳାର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିମାନଙ୍କ ମନରେ ଉଠୁଥିବା ଅନେକ ପ୍ରଶ୍ନର ଉତ୍ତର ଦେବାକୁ କେହି ରାଜି ନୁହଁ ।
ପାଠକର ମତ ଯେ ଆଗ ଭଳି ଆଉ ସାହିତ୍ୟ ସୃଷ୍ଟି ସହଜ ଆଉ ବୋଧଗମ୍ୟ ହୋଇ ପାରୁନାହିଁ । ସାହିତ୍ୟରେ ଅଶ୍ଲୀଳତାର ପ୍ରୟୋଗ ବି ଅରୁଚିକର ମନେହେଉଛି । ତା’ଛଡ଼ା ଯେଉଁ କେତୋଟି ପତ୍ରପତ୍ରିକା ଓଡ଼ିଶା ବଜାରରେ ଉପଲବ୍ଧ ହେଉଛି ଗୁଡ଼ାଏ ପତ୍ରିକାର ମୂଲ୍ୟ ମାତ୍ରାଧିକ ରହୁଛି । ଇଣ୍ଟରନେଟ ଜମାନାର ପାଦୁର୍ଭାବ ଯୋଗୁଁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଯେ ଟିଭି ଆଉ ମୋବାଇଲରେ ବହୁତ ସମୟ ବ୍ୟସ୍ତ ରହୁଛନ୍ତି ଏହି କଟୁ ସତ୍ୟକୁ ଏଡ଼ାଇ ଦିଆଯାଇ ନପାରେ ।
ଯଦି ଆମେ ଲେଖକମାନଙ୍କୁ ଦେଖିବା ଏଠି ଲେଖକମାନେ ବହୁ ଗୋଷ୍ଠୀରେ ବିଭକ୍ତ । ଏଠି କବିଟିଏ ଗାଳ୍ପିକକୁ ଚିହ୍ନିନି, ପ୍ରାବନ୍ଧିକ ନାଟ୍ୟକାର ଔପନ୍ୟାସିକମାନଙ୍କ ଭିତରେ ପରସ୍ପର ଭଲପାଇବା ସାହିତ୍ୟି ଚର୍ଚ୍ଚା କରିବାର ଦୃଶ୍ୟ ଦେଖିବା କ୍ରମେ କ୍ରମେ ବିରଳ ହୋଇ ଯାଉଛି । ଏଠି ଅନେକ ବ୍ୟଙ୍ଗ ଲେଖୁଥିବା କବି ଅନ୍ୟମାନଙ୍କୁ ଗୋଟେ ଅଲଗା ଦୃଷ୍ଟିରେ ଦେଖନ୍ତି । ଆଉ ଏଠି କିଏ ମେଞ୍ଚାଏ ଅମିତ୍ରାକ୍ଷର କବିତା ଲେଖେ ତ ଆଉ କିଏ ଗୀତିକାର ଗୀତିକବିର ପରିଚୟ ନେଇ ନିଜକୁ ବହୁତ ବଡ଼ ମନେକରେ । ଏଠି କବିମାନଙ୍କ ଭିତରେ ପ୍ରକାର ଭେଦ ସୃଷ୍ଟି ହୁଏ । ପ୍ରତ୍ୟେହ ଫେସବୁକ, ହ୍ଵାଟ୍ସଆପରେ ମେସେଜ ଯୁଦ୍ଧଠୁ କମେଣ୍ଟ ଯୁଦ୍ଧ ଚାଲିଥାଏ । ଆଉ ପଇସା ଦେଇ ମାନପତ୍ର ହାତେଇବା ଖୁସାମତରେ ରାତାରାତି ବଡ଼କବି ହେଇଯିବାର ସ୍ୱପ୍ନ ଉଣା ଅଧିକେ ଅନେକଙ୍କ ପାଖରେ ଯେ ଦେଖାଯାଏ ଏହି ସତ୍ୟକୁ ଏଡ଼ାଇ ଦିଆଯାଇ ନପାରେ ।
ପ୍ରକାଶକର ଅନେକ ଗୁରୁ ଦାଇତ୍ୱ ରହିଥାଏ ଯାହାକି ସାହିତ୍ୟର ପ୍ରଚାର ପ୍ରସାର କରିବାରେ ସହାୟକ ହୁଏ । କିନ୍ତୁ ଅର୍ଥସର୍ବସ୍ବ ପ୍ରକାଶକ ପାଖରେ ସାହିତ୍ୟ ଯେ ମୂଲ୍ୟହୀନ ଏଥିରେ ସନ୍ଦେହ ନାହିଁ । ପ୍ରକାଶକ ବି ଜଣେ ସାହିତ୍ୟ ପ୍ରେମୀ ସାହିତ୍ୟାନୁରାଗି ହେବା ଉଚିତ ନୁହେଁକି? ପ୍ରକାଶକର ଅନେକ ଅଭିଯୋଗ, ଏତେ ବହି ଛାପିଲେ କିଣିବ କିଏ? ଓଡ଼ିଶାରେ ଓଡ଼ିଆ ବହି ବି ବିକ୍ରି ହେବା ନିର୍ଦିଷ୍ଟ ସଂଖ୍ୟାରେ ସୀମିତ । କବିଟିଏ କି ଲେଖକଟିଏ ଯଦି ନିଜ ହାତରୁ ପଇସା ଖର୍ଚ୍ଚ କରି ବହି ଛାପି ପାରିବ, ଆମେ କିଛି ପାରିଶ୍ରମିକ ନେଇ ତା’ର ପ୍ରଚାର ପ୍ରସାର କରିଦେବୁ ।
ଲୋକକଳା ମାଧ୍ୟମରେ ସାହିତ୍ୟର ପ୍ରଚାର ପ୍ରସାରକୁ ଏଡ଼ାଇ ଦିଆଯାଇ ନପାରେ । ହେଲେ ଏବେ ତା’ର ସ୍ଥିତି କିଭଳି ଅଛି ସମସ୍ତଙ୍କୁ ଉଣା ଅଧିକେ ଜଣା ।
ବାକି ରହିଲା ସାମାଜିକ ଗଣମାଧ୍ୟମ ଇ-ମେଲ, ୟୁ-ଟ୍ୟୁବ, ଟୁଇଟର, ଫେସବୁକ, ହ୍ଵାଟ୍ସଆପ, ଲାଇକି, ଟିକ୍ଟକ୍, ସବୁଥିରେ ଉଣା ଅଧିକେ ସାହିତ୍ୟର ପ୍ରଚାର ପ୍ରସାର ହେଉଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ଗୁଡ଼ାଏ ଅରୁଚିକର ଅଶ୍ଳୀଳ ଦ୍ୱିଅର୍ଥ ବୋଧକ ସାହିତ୍ୟ ସୃଷ୍ଟି ସମସ୍ତଙ୍କୁ ପଥ ଭ୍ରଷ୍ଟ କରୁଛି, ଏଥିପ୍ରତି ସମସ୍ତେ ସଚେତନ ହେବା ଉଚିତ । ଅନେକ ଲେଖା ଚୋରି ହେଉଛି ।ବଜାରରେ ପ୍ରତିଯୋଗୀତା ମନୋବୃତ୍ତିରେ ଆଗେଇ ଚାଲିଥିବା ମୋବାଇଲ ସେବା ବିନା ମୂଲ୍ୟ କିମ୍ବା ଅତିକମ ମୂଲ୍ୟରେ ଇଣ୍ଟର୍ନେଟ ସେବା ଉପଲବ୍ଧ ହେବାପରେ ଏଠି ଅନେକ କବି ବାହାରି ପଡ଼ିଛନ୍ତି ଯାହାକୁ ଧାଡ଼ି ସଳଖି କବିତା ଲେଖି ଆସେନି । ଗୁଡ଼ାଏ ସାହିତ୍ୟିଭିତ୍ତିକ ସଙ୍ଘ ଗଠନକରି ମୁଖ୍ୟ ପରିଚାଳକ ସାଜିଛନ୍ତି, ଯେଉଁମାନଙ୍କୁ ସାହିତ୍ୟର ସ ଅକ୍ଷର ଜଣାନାହିଁ । ନାଁ ପୂର୍ବରୁ ଡକ୍ଟର, ପ୍ରଫେସର ଲାଗିଥିଲେ ଅବା ଗୁଡ଼ାଏ ଟଙ୍କା ପଇସାର ମାଲିକ ହୋଇଥିଲେ ଏଠି ବଡ଼ କବି ବଡ଼ ଗୀତିକାର ହେବାରେ କିଛି ଅସୁବିଧା ନାହିଁ । ଏଠି ବଡ଼କବିଙ୍କ ଆନୁଗତ୍ୟ ହୋଇଗଲେ କିମ୍ବା ସୁନ୍ଦର ରୂପ ଯୌବନର ଅଧିକାରୀ କବୟିତ୍ରୀଟିଏ ହୋଇ ଅନେକ ବଡ଼ବଡ଼ିଆଙ୍କ କଥାରେ ଉଠବସ ହେଇପାରିଲେ ରାତାରାତି କିଛି ଲୋକପ୍ରିୟତା ସାଉଁଟି ହେବ ଏହା ନିଃସନ୍ଦେହ ।
ଶେଷରେ ଏତିକି କୁହାଯାଇ ପାରେ ସମସ୍ତ ଲେଖକ, ପ୍ରକାଶକ, ପାଠକମାନଙ୍କ ମନରେ ସେଇ ଅମୃତ ମୟ ସାହିତ୍ୟି ପ୍ରୀତି ଜାଗ୍ରତ ହୋଇପାରିଲେ ଆମ ସାହିତ୍ୟାକାଶରୁ ଅନେକ କଳା ବାଦଲ ଆପେ ଆପେ ହଟିଯିବା ସହିତ ଇନ୍ଦ୍ରଧନୁର ସାତ ରଙ୍ଗ ଯେ ବିଛୁରିତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
– ସିଦ୍ଧେଶ୍ୱର ତ୍ରିପାଠୀ
Comments
ସିଦ୍ଧେଶ୍ୱର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।