ସୃଷ୍ଟିର ରଚନା ବଡ଼ ବିଚିତ୍ର ନିଦାଘର ନିଷେଧାଦେଶର ପ୍ରସ୍ଥ ଭୂମି ଗ୍ରୀଷ୍ମର ଅଭିଚାରିତ ଖରା, ଉତ୍ତପ୍ତ ମାଟିର ତୃଷାର୍ତ୍ତ ଚିତ୍କାର, ସବୁଜ ବନାନୀର ସୌନ୍ଦର୍ଯ୍ୟ ଯେମିତି କ୍ଷୀଣ ହୋଇଯାଇଚି, ଗୁମ୍ସୁମ୍ ହୋଇଯାଇଚି ଗଛଗୁଡ଼ା, ତଥାପି ଦୁଃଖୀର ଦୁଖଃ ଗରମରୁ ଶାନ୍ତି ଦେବାକୁ ଯେମିତି ନିଜକୁ କଷ୍ଟ ଦଉଚି…….।
କର୍ମ କ୍ଲାନ୍ତ ମଣିଷ ମୁଁ, ଗ୍ରୀଷ୍ମର ଝାଞ୍ଜି ପବନକୁ ଦୁହୁ ଦୁହୁ ଖରା, ନଉକାଟିକୁ କୂଳରେ ଲଗେଇଦେଇ ବର ଗଚ୍ଛ ତଳେ ଟିକେ ବିଶ୍ରାମ ନେଲି । ଆହାଃ କି ଶାନ୍ତି । କାନ୍ଧ ଗାମୁଛାଟିକୁ ନଈରୁ ଓଦା କରି ଆଣି ଦିହ ହାତ ଟିକେ ପୋଛି ହେଲି, ଟିକେ ଥଣ୍ଡା ଲଗିଲା, ସଙ୍ଗେସଙ୍ଗେ ଆଖି ବି ଟିକେ ଲାଗିଗଲା । ହଠାତ୍ ଡାକବାଲାର ସାଇକେଲ ଘଣ୍ଟି ଶବ୍ଦରେ ନିଦ ଭାଙ୍ଗିଗଲା, ପଚାରିଲି ଡାକ ଭାଇ ମୋର ଚିଠି ଆସିଛି କି??
ଉତ୍ତରରେ ଡାକ ଭାଇ କହିଲା ତୋର ତ ଘର ନାଇଁ, କଉ ଠିକଣାରେ ଚିଠି ଆସିବ, ତୋତେ ତ ମୁଁ ଆଜିକାଲି ଏଇ ଗଛ ମୂଳେ ଦେଖୁଛି । ହଁରେ ଭାଇ ଫନୀ ମହାବାତ୍ୟାରେ ତ ଝୁମ୍ପୁଡ଼ି ଘରଟା ମୋର ମାଟିରେ ମିଶିଯାଇଛି । ବଳ ନାହିଁ କି ପଇସା ନାହିଁ ଛାଉଣୀଟିଏ କରିବାକୁ । ପୁଅଟି ମୋର ଯାଇଚି ଯେ ଯାଇଚି ଚିଠିଟିଏ ବି ଦଉନି । ହଉ ଇଏ ବର ଗଛ ମୋ ଘର ସାଜିଛି, ଏଥର ମୋତେ ଯିଏ ଖୋଜିବ ମୋର ଏଇ ଠିକଣା ଦେଇଦେବୁ..। ଚିଠି ଆସିଲେ ଏଠି ଦେଇଯିବୁ ।
“ଏଇ ନିଅ ତୁମ ନାଁରେ ଚିଠି ଆସିଛି ।” “ସତେ ନା କ’ଣ ଡାକ ଭାଇ? ତୁମେ ସତ କହୁଛ ତ?” ଯାହାହେଉ ଯାହାକୁ ଚାତକ ପରି ଚାହିଁ ବସିଛି ଆଜି ତା’ର ଚିଠି ଆସିଛି । ଦୀର୍ଘ ଦୁଇ ମାସ ପରେ । ପୁଅ ମୋର ଲେଖିଛି, ବାପା ଫନୀ ଟଙ୍କା ମିଳିଲାନା? ସନିଆ ଭାଇ କହୁଥିଲା ଇନ୍ଦିରା ଆବାସ ମିଳିବ, ମୁଁ ଘରକୁ ଗଲେ ଟଙ୍କା ନେଇ ଆସି ସହରରେ ରହିବି, ତମ ପାଇଁ ସେଇ ଘର ପାଖେ ଚାଳ ଛପରଟେ କରିଦେବି, ଆମେ ତ ଆଉ ଗାଆଁକୁ ଯିବୁନି, ସେଠି ଘର କରି ଲାଭ କ’ଣ ଯେ !
ଆଖିରୁ ଲୁହ ଦୁଇ ଧାର ଝରି ଆସିଲା…….. ଆଜି ବି ମୁଁ ଭାବୁଛି ଏ ମୋର ଲାଳନ ପାଳନ ଦାଇତ୍ବ କର୍ତ୍ତବ୍ୟରେରେ କିଛି ଭୁଲ୍ ରହିଯାଇଛି ବେଧେ । ଯେଉଁଦିନ ପିଲାଟି ମୋର ଜନ୍ମ ହେଲା ବାପ ହେଲି ବୋଲି ମନ ମୋର ଖୁସିରେ କୁଣ୍ଢେମୋଟ ହେଇଯାଇଥିଲା । ତା ମାଆ ବି ବହୁତ ଖୁସି ହୋଇ କେତେ କଣ ମାନସିକ କରିଦେଇ ଥିଲା । ତା’ ମାଆ ସବୁବେଳେ ମୋତେ କହେ ଆମ ପୁଅ ବଡ଼ ହେଲେ ଆମର ସବୁ ଦୁଃଖ କଷ୍ଟ ଚାଲିଯିବ । ଆମ ପୁଅ ବଡ଼ ହୋଇ ବଡ଼ ମଣିଷ ହେବ । ବଡ଼ ଚାକିରି କରିବ ସେ । ଆମେ ଯେତେବେଳେ ବୁଢ଼ାବୁଢ଼ି ହେଇଯାଇଥିବା, ପୁଅ ବହୁ ନାତି ନାତୁଣୀଙ୍କ ଭଲପାଇବା ଆଉ ସୁଖରେ ଆମ ସମୟ କଟିବ । ଭଗବାନ ଆମକୁ ପୁଅଟେ ଦେଇଛନ୍ତି । ଯେତେ କଷ୍ଟ ହେଉପଛେ ତାକୁ ଆମେ ବଡ଼ ମଣିଷଟେ କରିବା । ମୋର ବି ଡଙ୍ଗାରୁ ସେମିତି ଯାହା ମିଳେ କଷ୍ଟେ ମଷ୍ଟେ ଘର ଚଳେ । ତଥାବି ତା’ ମାଆ ସୁଷମା କିନ୍ତୁ ଯାହାବି ହେଉ ପୁଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବାର ଜିଦ୍ । ସୁଷମାର ପେଟରେ ସେ ରହିବାଠୁ ସେ ସବୁବେଳେ ଭଗବାନଙ୍କୁ ଡାକେ, “ହେ ଜଗତରନାଥ, ହେ ମହାପ୍ରଭୁ ମୋ ପିଲାକୁ ସୁସ୍ଥ ରଖ ପ୍ରଭୁ ।”
ପୁଅଟି ଭଲ ମଣିଷଟିଏ ହେବା ପାଇଁ କେତେ ଯେ ଗୁହାରି କରିଛି ତା’ ମାଆ । ଛୁଆବେଳୁ ସେ ଭଲ ପାଠ ପଢ଼ୁଥିଲା । ତାକୁ ମଣିଷ କରିବା ପାଇଁ ନିଜକୁ ବହୁତ ଉପବାସ ରଖିଛି । ଏମିତି ବି ନିଜେ ନଖାଇ ନପିଇ ତାକୁ ଖୁଆଇଛି । ବେଳେବେଳେ ନିଜ ପାଇଁ ଖାଇବା ନ ରଖି ପାଣି ପି ଶୋଇପଡ଼ିଛି ।
“ଶୁଣୁଛ ବାବୁ ବାପା, ପୁଅର ତ ମାଟ୍ରିକ୍ ପରୀକ୍ଷା ସରିଲା । ଫଳାଫଳ ବି ବାହାରିଗଲା ଆଉ କ’ଣ ପଢ଼ିବ, ଗାଁ ମାଷ୍ଟ୍ରେଙ୍କ ସହ ଟିକେ କଥା ହେଲନି ହେ ।” ମୁଁ ହଳ କରି ଫେରିଥାଏ, ଲଙ୍ଗଳକୁ ସେଠି କାନ୍ଥକୁ ଡେରି ଗାମୁଛାରେ ମୁହଁ ପୋଛି ମାଷ୍ଟ୍ରେଙ୍କ ପାଖକୁ ଗଲି, ମାଷ୍ଟ୍ରେ କହିଲେ ବିଜ୍ଞାନ ପଢ଼ୁ ସେ । ବହୁ ଭଲ ପିଲା, ବହୁତ ଆଗକୁ ଯିବ ।
ଆଚ୍ଛା ମାଷ୍ଟ୍ରେ କେତେ ଖର୍ଚ୍ଚ ହେବ?
“ଏ ତିରିଶ/ଚାଳିଶ ହାଜର ଭିତରେ ହେବ ।”
“ତିରିଶ ହାଜର ! ଏତେ ଟଙ୍କା କୋଉଠୁ ଆଣିବି ! ମୁଁ ତ ଗରିବ ଲୋକ ଦିନେ ଖଟିଲେ ଦିନେ ଖାଇବୁ, ନହେଲେ ଓପାସ । ହଉ ଅଜ୍ଞା ଦେଖୁଚି । ବାବୁର ମାଆ ସହ ଘରକୁ ଯାଇ କଥା ହେଉଛି ।”
ଘରକୁ ଆସି ବାବୁର ମାଆକୁ ସବୁ କହିଲି । ବାବୁ ମାଆ ଶୁଣି ଘର ଭିତରକୁ ଦୌଡ଼ିଗଲା । ହଇଓ ଶୁଣୁଛ ଏଇ ସୁନା ଅଣ୍ଟା ବିଛା ମୋ ଜେଜେମାଆ ମୋତେ ଦେଇଥିଲେ, ମୁଁ ରଖିଥିଲି ନାତି କି ନାତୁଣୀ ହେଲେ ଦେବି ବୋଲି, ଆଗ ଆମ ପୁଅ ମଣିଷ ହେଇଯାଉ, ସେ ଏମିତି କେତେ ନାତି କି ନାତୁଣୀ ପାଇଁ କରିଦେବ । ୟାକୁ ନେଇ ବଣିଆ ଦୋକାନରେ ବିକି ଦିଅ । ଯେତେ ଟଙ୍କା ଆସିବ ବାବୁ ପାଇଁ ହେଇଯିବ, ଦେଖିବା ନହେଲେ, କ’ଣ କରିବା । କିନ୍ତୁ ଯାହାବି ହେଉ ଆମ ବାବୁ ମାଷ୍ଟ୍ରେ ଯାହା କହିଛନ୍ତି ସେଇଆ ପଢ଼ିବ ।
ଏମିତି ଦେଖୁ ଦେଖୁ ଯୁକ୍ତ ଦୁଇ ପରୀକ୍ଷା ସରିଗଲା । ଆଗକୁ ପଢ଼ିବ । କ’ଣ କୋଚିଂ ନେବ । ଏତେ ଟଙ୍କା କୋଉଠୁ ଆଣିବି ଭାବି ଜମିଦାର ପାଖେ ବାପଅର୍ଜିତ ଜମି ବନ୍ଧା ରଖିଲି । ଆମ ପୁଅ ଇଞ୍ଜିନିୟର ପଢ଼ିଲା । ଆଉ ବଡ଼ କମ୍ପାନୀରେ ଚାକିରି ମଧ୍ୟ ପାଇଲା…।
ବାପାମାଆଙ୍କ ଦୁଖଃ ଗଲା ଭାବି ବହୁତ ଖୁସି ହଉଥାଉ.. ହଠାତ୍ ପୁଅର ଚିଠି ଆସିଲା,
ବାପା,
ମୋର ପ୍ରଣାମ ନେବ, ବଉକୁ ମୋର ପ୍ରଣାମ ଜଣେଇ ଦେବ । ଆଶା କରେ ସବୁ ଭଲରେ ଥିବ ।
ଆସନ୍ତା ମାସ ପୋଷ୍ଟାଲରେ ୧୦,୦୦୦ ଟଙ୍କା ପଠାଇବି, ଘରେ ପାଇଖାନାଟିଏ ତିଆରି କରିବ । ମୁଁ ଆସନ୍ତା ମାସ ସାଙ୍ଗରେ ତମ ବୋହୂକୁ ନେଇ ଯିବି । ମୁଁ ବାହା ହେଇସାରିଛି ବାପା । ମୋର କଲେଜର ଗୋଟେ ଝିଅକୁ ମୁଁ ବିବାହ କରିଛି । ତମକୁ ଜଣେଇ ପାରିଲିନି..। ପରିସ୍ଥିତି ସେମିତି ଥିଲା, ହଉ ବାପା ରହୁଚି..।
ଇତି
ତମ ବାବୁ
ଚିଠି ପଢ଼ିଲି । ଟିକେ ମନରେ କଷ୍ଟ ଲାଗୁଥାଏ । ଟିକେ କୋହ ଆସୁଥାଏ । ମନ କଷ୍ଟର କାରଣଟା ଜାଣିପାରିଲିନି । “ବାବୁର ମାଆକୁ ମୁଁ ଯାଇ କହିଲି, “ଗଙ୍ଗାକୁ ଡାକେ ପାଇଖାନା ଆଉ ଗାଧୁଆ ଘର ତିଆରି କରିବା । ଆର ମାସ ପୁଅ ଆଉ ବୋହୂ ଆସିବେ । ଆମ ପୁଅ ବାହା ହେଇଯାଇଚି ବାବୁ ବଉ ।”
“ହଇଓ ପୁଅ ବାହା ହେଇଗଲା ଅଥଚ ବାପାମାଆଙ୍କୁ ଜଣେଇଲା ନାହିଁ ।” କାନ୍ଦି କାନ୍ଦି ବାବୁ ମାଆ କହିଚାଲିଥାଏ ।
ଛାଡ଼ ଆଜିକାଲିକା ପିଲା । ଯାହା କଲା ଭଲ କଲା । ଆମେ ତା’ ପସନ୍ଦରେ କଉଠି ଖୋଜିପାରିଥାନ୍ତେ ଯେ । ତୁମେ ମନଦୁଃଖ କରନି ବାବୁ ବଉ । ଖୁସି ହୁଅ ଆମ ପୁଅ ବାହା ହେଇଛି । ପାଠୁଆ ବୋହୂ ବି ଆଣିଥିବ ।
ଘର ସଜେଇଛୁ, ପାଇଖାନା, ଗାଧୁଆ ଘର ତିଆରି କରିଦେଇଛୁ ମାସଟାଏ ସରିଗଲା । ଏମିତି ମାସ ପରେ ମାସ ବିତିଗଲା । ନା ଚିଠି ନା ପୁଅବୋହୂ, କେହି ଆସିଲେନି । ଏପଟେ ବୟସର ଅନ୍ତରାଳରେ ଆମେ ବାପାମାଆ । ମାଆର ଗୋଡ଼ ଅଣ୍ଟା ଧରିଲାଣି, ମାଆ ନଇଁ ନଇଁ ଚାଲୁଛି, ମୁଁ ନଈରେ ଡଙ୍ଗାରୁ ଯାହା ଆଣେ କଷ୍ଟେ ମଷ୍ଟେ ଚାଲିଯାଉଚୁ ।
ଭଗବାନଙ୍କ ଲୀଳା ଖେଳା ଥିଲା କିଛି ଅଲଗା । ହଠାତ୍ ଫନୀ ମହାବାତ୍ୟା କୋଉଠୁ ଆସିଲା ଘର ଛପର ମୁଣ୍ଡ ଉପରୁ ଉଡ଼ି ଗଲା । କେତେ ଆଉ ବାର ଦୁଆର ଶୁଣ୍ଢି ପିଣ୍ଡା ହେବୁ.. । ଶେଷରେ ଇଏ ବରଗଛ ମୂଳେ ଆଶ୍ରୟ ନେଲୁ….।
ଆଜି ବି ପୁଅର ଚିଠି ପାଇ ପୁଅର ଅପେକ୍ଷାରେ, ଯାହା ନେବା କଥା ନେଇ ଯାଉ । ବୟସର ତାରତମ୍ୟ ଭିତରେ ପୁଅବୋହୂକୁ ଆଖି ପୂରେଇ ଦେଖି ଦଉ । ଆଉ ବା କେତେ ଦିନ ବଞ୍ଚିବି ମୁଁ । ସବୁ ତୋରରେ । ବାସ୍ ଥରେ ଆରେ ବାବୁ.. । ମୋତେ ଶାଗୁଣା ପତ୍ର ଦେଲାଣି, ଥରଟେ ତୋତେ ମନ ପୂରେଇ ଦେଖି ଦିଏ ॥
ଡାକ ଭାଇ ପୁଅକୁ ମୋର ଏଇ ବରଗଛ ଠିକଣା ଦେଇଦେବୁ….
– ଦେବାଶିଷ ବେହେରା
Comments
ଦେବାଶିଷ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା ଆଦି ରଚନା କରିଥାନ୍ତି । ସେ ଏକ ସାହିତ୍ୟ ସଂସଦର କାର୍ଯ୍ୟକର୍ତ୍ତା ଭାବରେ ମଧ୍ୟ ସକ୍ରିୟ ଅଛନ୍ତି ।