ସ୍ୱାମୀ ରଜତ, ପୁଅ ରକିକୁ ନେଇ ସୁରୁଖୁରୁରେ ଚାଲିଥିବା ଅବନୀର ସଂସାରରେ ଯେମିତି କାହା ନଜର ଲାଗିଗଲା । ଦିନେ ତା’ ପୁଅ କଲେଜରେ ହଠାତ୍ ଚେତା ହରେଇ ପଡ଼ିଯିବା ପରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଲା । ଶେଷରେ ତା’ର ଏକ ମାତ୍ର ପୁଅ ଯେ ଦୁରରୋଗ୍ୟ ରକ୍ତକର୍କଟରେ ଆକ୍ରାନ୍ତ ଜଣା ପଡ଼ିବା ପରେ, ଅବନୀ ଆଉ ରଜତଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ପୁଅର ଜୀବନ ବଞ୍ଚେଇବା ପାଇଁ ସ୍ୱାମୀସ୍ତ୍ରୀ ଅକ୍ଲାନ୍ତ ପରିଶ୍ରମ କରୁଥାନ୍ତି, ପ୍ରାୟ ସବୁ ସମ୍ଭାବିତ ପ୍ରଚେଷ୍ଟା ଚଲେଇଥାନ୍ତି । ଅବନୀ ଚାକିରୀ ଛାଡ଼ିଦେଇ ପୁଅ ସେବାରେ ଲାଗିଥାଏ । ସବୁକିଛି କେମିତି ଗତରେ ପଡ଼ି ଆସୁଥାଏ ଆଉ ପୁଅର ସ୍ୱାସ୍ଥ୍ୟ ବି ଟିକିଏ ସୁଧୁରୁଥାଏ, ଅଚାନକ ଅବନୀ ଜୀବନରେ ଆଉ ଏକ ଦୁର୍ଘଟଣା ଘଟିଗଲା । କୁହନ୍ତି ଦୁଃଖ କେବେ ଏକା ଆସେନି ସାଙ୍ଗରେ ତା’ର ପରିଜନଙ୍କୁ ବି ଆଣିଥାଏ । ପୁଅକୁ ମରଣ ମୁହଁରୁ ବଞ୍ଚେଇବା ଭିତରେ ହଠାତ ରଜତ ଅଧାରାସ୍ତାରେ ସେମାନଙ୍କୁ ସୁଅ ମୁହଁରେ ଛାଡ଼ିଦେଇ ଚାଲିଗଲେ । ଦିନେ ସକାଳୁ ଆଉ ଆଖି ଖୋଲିଲେନି କି ବିଦାୟ ବି ନେଇ ପାରିଲେନି ତାଙ୍କ ପ୍ରିୟ ତଥା ଅସହାୟ ପରିବାରଠାରୁ । ନିଦ୍ରାବସ୍ଥାରେ ହୃଦଘାତରେ ମୃତୁ ହେଇଥିଲା ତାଙ୍କର । ସ୍ୱାମୀ ଚାଲିଯିବା ପରେ ରୋଗୀଣା ପୁଅକୁ ନେଇ ବମ୍ୱେ ପରି ସହର ମଝିରେ ରହିବା ଅସମ୍ଭବ ହେଇଗଲା ଅବନୀଙ୍କର । ପ୍ରାୟ ସବୁ ସଞ୍ଚିତ ଅର୍ଥ ପୁଅ ଚିକିତ୍ସାରେ ସରି ଆସୁଥାଏ । ତେଣୁ ସେ ସହର ମଝିରୁ ଘର ବଦଳେଇ ଟିକେ ଅପେକ୍ଷାକୃତ ଶସ୍ତା ଅଞ୍ଚଳଥିବା ଘରକୁ ଚାଲିଆସିଲେ । ଘରଗୁଡ଼ିକ ବିଶେଷ ଭଲ ନୁହେଁ କିନ୍ତୁ ଚଳିବା ଯୋଗ୍ୟ । ଏକ ଚାକିରୀ ମଧ୍ୟ ଜରୁରୀ ହେଇ ପଡ଼ିଥିଲା ଘର ଚଳେଇବା ପାଇଁ, ତେଣୁ ସେଇ ପାଖାପାଖି ଏକ ଲାଇବ୍ରାରୀରେ ଲାଇବ୍ରେରିଆନ ଭାବରେ ଅବନୀ ଯୋଗ ଦେଲେ । ଯେ କୌଣସି ଉପାୟରେ ପୁଅ ଚିକିତ୍ସା ତାଙ୍କ ପାଇଁ ଜରୁରୀ ଥିଲା ସେଥିପାଇଁ ସେ ସବୁ ସଂଘର୍ଷ କରିବାକୁ ପ୍ରସ୍ତୁତ ଥିଲେ । ଏକୁଟିଆ ବେଳେ ଆଖିରୁ ଲୁହ ଶୁଖୁ ନଥିବା ବେଳେ ପୁଅ ଆଗରେ କେବେ ନିଜ ଧୈର୍ଯ୍ୟ ହରଉ ନଥିଲେ ସେ । ପୁଅର ବି ସମାନ ଅବସ୍ଥା ନିଜେ ବଡ଼ ହେଇ ବାପାମାଆଙ୍କ ସାହାରା ହେବା ବଦଳରେ ନିଜକୁ ଏମତି ଅବସ୍ଥାରେ ପାଇ, ନିଜ ଭାଗ୍ୟକୁ ନିନ୍ଦିବା ଛଡ଼ା ଅନ୍ୟ କିଛି ରାସ୍ତା ନଥଲା ତା’ ପାଖରେ ।
ଧୀରେ ଧୀରେ ନିଜ ନୂଆ ଜୀବନ ସହ ଖାପ ଖୁଏଇ ଚାଲିବା ଚେଷ୍ଟା ଚାଲିଥାଏ ମାଆପୁଅଙ୍କର । ରକିର ସବୁ ଖାଇବା ଓ ମେଡ଼ିସିନ ରେଡ଼ି କରି ଥୋଇ ଦେଇ ଅବନୀ ଲାଇବ୍ରେରୀକୁ ବାହାରିଯାଏ । ଆସିବା ବେଳକୁ ସଂଧ୍ୟା ହେଇଯାଏ ପ୍ରାୟ । ସାରାଦିନ ଘରେ ରକି ଏକୁଟିଆ ବସି ବସି ବୋର୍ ହେଇଯାଏ । କଲେଜ ବନ୍ଦ ହେବା ପରେ ପାଠରେ ବି ମନ ଲାଗେନା ବେଶୀ । ମୃତ୍ୟୁକୁ ଏତେ ନିକଟରୁ ଦେଖିବା ପରେ ପାଠ, ଖେଳ ସବୁଥିରୁ ଆଗ୍ରହ ସମ୍ପୂର୍ଣ୍ଣ କମିଯାଇଥାଏ ତା’ର । ଅଧିକାଂଶ ସମୟ ଶୂନ୍ୟ ଦୃଷ୍ଟିରେ ଝରକା ବାହାରକୁ ଚାହିଁ ବସିରହେ । ଝରକା ବାହାରେ କେତେଗୁଡ଼ିଏ ଭଙ୍ଗାରୁଜା ଘର, ଅବହେଳିତ, ଆଉ ପରିତ୍ୟକ୍ତ । ପ୍ରାୟ କେହି ପାଖ ପଡ଼ୋଶୀ ନଥାନ୍ତି ।
ଏଇ ସମୟରେ ଦିନେ ଆଖିରେ ପଡ଼େ ଏକ ପୁରୁଣା ଘର ଝରକା ପାଖରେ, ଠିକ ତା’ ସମାନ ବୟସର ଏକ ଝିଅ ଉପରେ । ରିକି ଆଖି ପରି, ତା’ ଆଖି ବି ନିରାଶ ଓ ଶୂନ୍ୟ ଚାହାଣୀରେ ଭରି ରହିଥାଏ, ଆଉ ପ୍ରାୟ ସମୟ ସେ ବି ଝରକାକୁ ଲାଗି ବସି ରହେ । କେମିତି ଏକ ଅଜଣା ଆକର୍ଷଣ ଅନୁଭବ ହେଉଥିଲା ରକିକୁ ତା’ ନିରୀହ, କମନୀୟ ମୁହଁଟିରୁ । କାହାକୁ ବି ପ୍ରେମରେ ପକେଇବା ପରି ଚେହେରା । କିଛି ଦିନ ପରେ ରକିର ଏଇ ସାକ୍ଷାତ ଯେମିତି ଅଭ୍ୟାସଗତ ହେଇଗଲା, କେବେ କେବେ ଆଖିରେ ଆଖି ମିଶିଗଲେ, ରକି ଟିକେ ହସିଦିଏ । କିନ୍ତୁ ସେ ଝିଅ ପ୍ରତିକ୍ରିୟା ବିହୀନ, ଗମ୍ଭୀର ଥାଏ । ଏବେ ଏମତି ଅନେକ ସମୟ ଦେଖା ହୁଏ, ସନ୍ଧ୍ୟା ହେଲେ ସେ ଝିଅର ଘର ଝରକା ବନ୍ଦ ହେଇଯାଏ । କ୍ରମେ ରକି ଜାଣି ପାରିଲା ଝିଅଟି ଚାଲି ପାରେ ନାହିଁ, ଆଉ ହୁଇଲ୍ ଚେଆର ହିଁ ତା’ ସାହାରା । ଜଣେ ମଧ୍ୟବୟସ୍କ ମହିଳା ତା’ର ସବୁ କାମ କରନ୍ତି, ବୋଧ ହୁଏ ସିଏ ତା’ର ମାଆ । ଆଜିକାଲି ନିରବ ଦୃଷ୍ଟି ବିନିମୟ ବେଳେ, ଉକ୍ତ ମହିଳା ପାଖକୁ ଆସିବା ଜାଣିଗଲେ ସେ ଝିଅ ସାଙ୍ଗେ ସାଙ୍ଗେ ନଜର ଫେରେଇ ନିଏ କିମ୍ୱା ପରଦା ଟାଣିଦିଏ । ରକି ବୁଝି ପାରେ ତା’ ଅସହାୟତାକୁ, କିନ୍ତୁ ପ୍ରେମ କିମ୍ୱା ଆକର୍ଷଣରେ ବାନ୍ଧି ହେବା ଯେ ତା’ ପାଇଁ ଅସମ୍ଭବ ସେଇଟା ବି ସେ ଜାଣିଥାଏ । ନିଜ ଜୀବନର ଯାହାର ଠିକଣା ନାହିଁ, ସେ ବା ସ୍ୱପ୍ନ ଦେଖିବାର ଅଧିକାର କୋଉଠୁ ଆଣିବ । ସବୁ ଜାଣୁଥିଲେ ବୁଝୁଥିଲେ ବି ସେ ଝିଅକୁ ଦେଖିଲେ କେମିତି ଏକ ସମ୍ମୋହନରେ ପଡ଼ି ଯାଉଥିଲା ରକି, ସବୁ ଦୁଃଖ କଷ୍ଟ ଭୁଲିଯାଏ ସେ ସେତେବେଳେ । ଦିନେ ଏମତି ବସିଥିବା ବେଳେ ଦୁଇ ଜଣ ସେ ମହିଳାଙ୍କ ଆଗରେ ଧରା ପଡ଼ିଗଲେ । ରକି ଚୁପ୍ ଚାପ୍ ଝରକା ବନ୍ଦ କରି ଚାଲିଗଲା । କିନ୍ତୁ ଠିକ ତା’ପର ଦିନ ଅବନୀ ଲାଇବ୍ରେରୀ ଗଲା ପରେ କେହି ଜଣେ କବାଟ ବାଡ଼େଇଲା ।
ଏ ଅଜଣା ଜାଗାରେ କିଏ ବୋଲି ଭାବି ରକି କବାଟ ଖୋଲିବ କି ନାହିଁ ଭାବୁଥାଏ, ବାହାରୁ ଜଣେ ମହିଳା କହିଲେ, “ପୁଅ ଖୋଲ । ମୁଁ ପାଖ ଘରରୁ ଆସିଛି । ତମେ ନୂଆ ବୋଧେ ଏଠି । ଆମେ ବହୁତ ପୁରୁଣା ବାସିନ୍ଦା ଏଠିକାର, ଏବେ ପ୍ରାୟ କାହା ସହ ଏତେ ସମ୍ପର୍କ ନାହିଁ ଆମର । ତମକୁ କିନ୍ତୁ ସେଦିନ ଦେଖି ବହୁତ ନିଜର ଲାଗିଲା ।”
ରକି ଟିକେ ସଙ୍କୁଚିତ ହେଇ କବାଟ ଖୋଲିଲା, ବାହାରେ ସେଇ ମହିଳା । ତାଙ୍କ ଘର ଛାଡ଼ି ପାଖାପାଖି ଆଉ ଘର ପ୍ରାୟ ନଥାଏ ତେଣୁ ଇୟେ ଯେ ସେଇ ପଡ଼ୋଶୀ ବୋଲି ସେ ଜାଣୁଥିଲା । ତାଙ୍କ ବେଶ ପୋଷାକ ଅତି ପୁରୁଣା କାଳିଆ ଆଉ ସେ ନିଜେ ବି ପୁରୁଣା ବମ୍ୱେ ବାସିନ୍ଦା ପାର୍ସୀଙ୍କ ପରି ବୋଲି ହାବଭାବରୁ ଜଣା ପଡ଼ୁଥାନ୍ତି । ସେ ଝିଅ ଯାହାକୁ ସେ ମନେ ମନେ ସମ୍ମୋହିନୀ ନାଆଁ ଦେଇ ଦେଇସାରିଥାଏ ସିଏ ବି କେମିତି ସାଧାସିଧା ବେଶପୋଷକରେ ଥାଏ ପ୍ରାୟ । ବୋଧ ହୁଏ ମହିଳାଙ୍କର ପସନ୍ଦ ସେମିତି ପୁରୁଣା କାଳିଆ । ସେ ହାତରେ କିଛି ବିସ୍କୁଟ ଆଣିଥାନ୍ତି ନିଜେ ପ୍ରସ୍ତୁତ କରି ।
ରକି ଟିକେ ସଂକୁଚିତ ହେଇ ତାଙ୍କୁ ଭିତରକୁ ଡାକିଲା । ଅବନୀ କାଳେ ବିରକ୍ତ ହେବ ବୋଲି ରକି ଡରୁଥାଏ । ମହିଳା କିନ୍ତୁ ଭିତରକୁ ଆସିବା ପାଇଁ ସୁଯୋଗ ଖୋଜୁଥାନ୍ତି । ଆସୁ ଆସୁ ରକିର ଘର ବିଷୟରେ ସବୁ କିଛି ବୁଝିନେଲେ ଆଉ ଦୁଃଖିତ ହେଇ ନିଜ ଜୀବନ ବି କେତେ ଦୁଖଃଭରା ବୋଲି ବଖାଣିବା ଆରମ୍ଭ କଲେ । ଏଠି ଏବେ ସେମାନେ କେତେ ଏକୁଟିଆ, କେହି ପ୍ରାୟ ମିଶନ୍ତିନି ତାଙ୍କ ସହ ବୋଲି କହୁଥାନ୍ତି । ରଜତଙ୍କ ମୃତ୍ୟୁ କଥା ଶୁଣି କହିଲେ ମୋର ବି କିଛିବର୍ଷ ପୂର୍ବେ ହୃଦଘାତ ହେଇଥିଲା, କେତେ ଯେ କଷ୍ଟ ଦାୟକ ତାହା ମୁଁ ଜାଣେ, ଆମ ଜୀବନ ବଦଳିଗଲା ତା’ ପରଠାରୁ । ତମେ ଜମା ବ୍ୟସ୍ତ ହେବନି, ମୁଁ ସବୁବେଳେ ତମ ପାଇଁ ଅଛି, ଏଇଠି ପାଖରେ । ସବୁ କଷ୍ଟ ଚାଲିଯିବ ତମର, ଥରେ ଖାଲି ଏ ଜୀବନ… ଏତିକି କହି ରିକି ହାତକୁ ନିଜ ହାତରେ ରଖି କିଛି କହି ଆସୁଥିବା ବେଳେ ଝରକା ଆଡ଼େ ଦେଖି ଚମକି ପଡ଼ିଲେ । ରକି କ’ଣ ହେଲା ବୋଲି ଦେଖିବା ବେଳକୁ ତାଙ୍କ ଝିଅ ଝରକା ପାଖରେ ବସିଛି ଆଉ ହାତ ହଲେଇ ତାଙ୍କୁ ଡାକୁଛି । ମହିଳା ଝଟପଟ ଉଠି ଯିବା ପାଇଁ ବାହାରିଲେ, ସେ ଯିବାର ଟିକେ ସମୟ ପରେ ଅବନୀ ଆସି ପହଞ୍ଚିଲେ, ଦେହ ଭଲ ଲାଗୁନଥିବା ଯୋଗୁଁ । ବହୁତ ଥକି ଯାଇଥାନ୍ତି, ଆଖି ବନ୍ଦ କରି ସୋଫା ଉପରେ ଶୋଇଗଲେ । କହିଲେ ପୁଅ କିଛି ପୋଡ଼ି ଯାଇଛି କି ଘରେ, ଏମତି ପୋଡ଼ା ଗନ୍ଧ ଆସୁଛି କାହିଁକି, ଆଉ କଥା କହୁ କହୁ ସେମିତି ଶୋଇଗଲେ । ରକି ସେ ଝିଅ, ମହିଳା କାହା କଥା ତାଙ୍କୁ କହିଲାନି କାରଣ ସେ ଚାହୁଁ ନଥିଲା ତା’ ମାମା ଅଧିକ କିଛି ଘଟଣାରେ ମନ ଦୁଃଖ କରନ୍ତୁ ।
ଆଜିକାଲି ଅବନୀ ଅଫିସ୍ ଗଲା ପରେ ପରେ ହିଁ ପ୍ରାୟ ସେ ମହିଳା ଆସି ରକି ଘରେ ପହଞ୍ଚନ୍ତି, କିନ୍ତୁ ବେଶୀ କିଛି କହିବା ଆଗରୁ ଝରକା ପଟେ ବସିଥିବା ଝିଅକୁ ଦେଖିଲେ ତରତର ହେଇ ଚାଲିଯାଆନ୍ତି, ଲାଗେ ସେ ଯେମିତି କିଛି ଚାହୁଁଛନ୍ତି ରକିଠାରୁ ଆଉ ସେ ଝିଅ ତାଙ୍କୁ ସେଥିରୁ ଅଟକଉଛି । ରକି ଏବେ ଧୀରେ ଧୀରେ ଟିକେ ଅଧିକ ଅସୁସ୍ଥ ହେଉଥାଏ, ମେଡ଼ିସିନ ସବୁ ଠିକରେ କାମ ଦେଉ ନଥାଏ । ଏପଟେ କେମିତି ଏକ ଅଜଣା ଆକର୍ଷଣରେ ସେ ପଡ଼ୋଶୀ ଝିଅଟି ଆଡ଼େ ଟାଣି ହେଉଥାଏ, ସେଥିରେ ପୁଣି ସେ ମାଉସୀଙ୍କ ସ୍ନେହ ତାକୁ ଧୀରେ ଧୀରେ ବାନ୍ଧି ସାରିଥାଏ । ବାରମ୍ୱାର କେମୋ ଥେରାପି ପାଇଁ ତାକୁ ହସ୍ପିଟାଲରେ ରହିବାକୁ ପଡ଼ୁଥାଏ । ପ୍ରାୟ ସବୁଦିନ ସେ ଝିଅ ଯାହାକୁ ସେ ସମ୍ମୋହିନୀ ନାଆଁ ଦେଇଥିଲା ସ୍ୱପ୍ନରେ ଆସେ, ଆଉ କିଛି କହେ । ଉଠିବା ପରେ ରକିକୁ ସ୍ୱପ୍ନ ମନେ ରହେନି କିନ୍ତୁ ଏତିକି ଜଣା ପଡ଼େ ଯେ ସେ ରକିକୁ ତା’ ଠାରୁ ଦୂରେଇ ରହିବାକୁ କହୁଥାଏ ।
ଦିନେ ରାତିରେ ରକି ଶୋଇଥାଏ ଅଚାନକ ଏକ ତୀବ୍ର ପୋଡ଼ା ଗନ୍ଧରେ ପୂରା ହସ୍ପିଟାଲ ରୁମ୍ ଭର୍ତ୍ତି ହେଇଗଲା, ସେ ଦେଖିଲା କେହି ଜଣେ ସମ୍ପୂର୍ଣ୍ଣ ଜଳି ଯାଇଥିବା ଶରୀର, ପୋଡ଼ା ଅଙ୍ଗାର ପରି ମୁଁହ ନେଇ ତା’ ବେଡ଼୍ ସାଇଡ଼ରେ ଠିଆ ହେଇଛି ଆଉ ଧୀରେ ଧୀରେ ହାତ ବଢ଼େଇ ତା’ ତଣ୍ଟି ଚିପିବାକୁ ଲାଗିଛି । ରକି ଛାଟିପିଟି ହେଇ ଚିତ୍କାର କଲା, ଅବନୀ କାନ୍ଦିକାନ୍ଦି ତାକୁ ଜୋର୍ରେ ହଲେଇ ନିଦରୁ ଉଠିବାକୁ ଅନୁରୋଧ କରୁଥାନ୍ତି, କିନ୍ତୁ ରକି ନିଦ ଭାଙ୍ଗୁ ନଥାଏ । ତା’ର ଶରୀର ସ୍ଥାଣୁ ହେଇ ଆସୁଥାଏ, ଏ ସମୟରେ ଅଚାନକ ସେଇ ଝିଅଟି ତା’ ସ୍ୱପ୍ନରେ ଆସିଲା ଆଉ ତାକୁ ସେ ବିଭତ୍ସ କାୟାଠାରୁ ଛଡ଼େଇ ଆଣିଲା, ଆଉ ଦୂରକୁ ଫୋପାଡ଼ିଦେଲା । ରକି ଦେହକୁ ପ୍ରାଣ ଫେରୁଥାଏ ଆଉ ନାକରେ ଥାଏ ହାଲୁକା ହାଲୁକା ଲାଭେଣ୍ଡରର ସୁଗନ୍ଧ ଯାହା କି ସେ ଝିଅ ଦେହରୁ ଆସୁଥିଲା । ଟିକେ ସୁସ୍ଥ ହେବ ପରେ ରକି ଅବନୀକୁ ସବୁ କଥା ଖୋଲି କହିଲା । ଅବନୀ କହିଲା, “ହଉ ଠିକ ଅଛି, ମୁଁ ସବୁ ବୁଝିବି, ତୁ ଭଲ ହେଇ ଯା ଆଗେ, ଆମେ ତାଙ୍କ ଘରକୁ ଏକାଠି ଯିବା ।” ରକି ଶୋଇଯିବା ପରେ ଅବନୀ ଡାକ୍ତରଙ୍କ ସହ କିଛି କଥା ହେବା ପରେ ଡାକ୍ତର ତାଙ୍କୁ ଏ ସବୁ କେମୋ ଥେରାପି ଫଳରେ ହାଲୁସିନେସନ ହେଉଛି ବୋଲି କହି ବୁଝେଇ ଦିଅନ୍ତି । ଏତେ ପ୍ରଚେଷ୍ଟା ସତ୍ତ୍ୱେ କାହିଁକି କେଜାଣି ତା’ର କିଛି ଉନ୍ନତି ହେଉନଥାଏ । ରକି ଅବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଥାଏ, ସେ ଯେ ଆଉ ଭଲ ହେବନି ତାହା ଭଲ ଭାବରେ ଉଭୟ ଅବନୀ ଆଉ ରକି ଜାଣି ପାରୁଥାନ୍ତି । ଆଜିକାଲି ଅବନୀଙ୍କର ମୁଣ୍ଡ ଆଉ କାମ କରୁ ନଥାଏ, ଆଖି ସବୁବେଳେ କାନ୍ଦି କାନ୍ଦି ଗେଣ୍ଡା ପରି ଫୁଲି ରହୁଥାଏ । ରକି ବିଭିନ୍ନ ପ୍ରକାର ଭୟାନକ ସ୍ୱପ୍ନ ଦେଖି ଖାଲି ବାଉଳେଇ ଚାଉଳେଇ ହେଉଥାଏ, ଅଧିକାଂଶ ସମୟ ସେ ନିଆଁ ନିଆଁ ପାଟି କରେ । କୌଣସି ଏକ ପୋଡ଼ି ଯାଇଥିବା ଘରେ ତା’ ଆତ୍ମା ବନ୍ଦୀ ହେଇଯାଇଥିବାର ସେ ସ୍ୱପ୍ନ ଦେଖେ, ଯୋଉଥିରୁ ବାହାରିବାର ବାଟ ସବୁ ବନ୍ଦ ଥାଏ । ସ୍ୱପ୍ନରେ କାହାକୁ ସବୁବେଳେ ଡାକିବା ପରି ବଡ଼ ବଡ଼ ହୁଏ । ଦିନେ ଏମତି ରକି ଅବନୀକୁ କହିଲା, “ମା’ ମୁଁ ମରିବା ଆଗରୁ ଥରେ ତାକୁ ପାଖରୁ ଦେଖିବାକୁ ଚାହେଁ । ବାସ ଥରେ, ତମେ ଏତିକି କରିଦେବ ମୋ’ପାଇଁ?”
ଅବନୀ ସେ କାହା କଥା କହୁଛି ବୋଲି ଜାଣିବାକୁ ଚାହାଁନ୍ତି, ରକି ବେଶି କଥା କହି ପାରୁନଥିଲା ଖାଲି ଏତିକି କହିଲା ସେ ଝିଅ ଯିଏ ଆମ ପଡ଼ୋଶୀ । ଅବନୀ କିଛି ବୁଝି ପାରୁନଥିଲେ ରକି କାହା କଥା କହୁଛି । ତାଙ୍କ ଘର ପାଖରେ ତ କାହାରିବି ଘର ନାହିଁ କେବଳ କେତେକ ଭଙ୍ଗା ରୁଜା, ପରିତ୍ୟକ୍ତ ଘର, ଯାହା କିଛି ବର୍ଷ ପୂର୍ବରୁ ପୋଡ଼ି ଯାଇଥିଲା ବୋଲି ସେ ଶୁଣିଥିଲେ । ତଥାପି ସେ ପୁଅର ମନ ରଖିବାକୁ ସେ ଝିଅ ଘର ଖୋଜିବାକୁ ସେଦିନ ଘରଠୁ କିଛି ଦୂରରେ ଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଗଲେ । ଆଉ ତାଙ୍କୁ କେହି ଏଠି ହୁଇଲ୍ ଚେୟାର ବ୍ୟବହାର କରୁଥିବା ଝିଅ ଆଉ ତା’ ମାଆ ରୁହନ୍ତି କି ବୋଲି ପ୍ରଶ୍ନ କଲେ । ସେ ବ୍ୟକ୍ତି ଜଣଙ୍କ ଟିକେ ଆଶ୍ଚର୍ଯ୍ୟ ହେଲେ ଆଉ କହିଲେ ଆପଣ କେମିତି ଜାଣିଲେ ସେମାନଙ୍କ କଥା, ସେମାନେ ତ ବହୁତ ପୁରୁଣା ବାସିନ୍ଦା ଥିଲେ ଏ ଅଞ୍ଚଳର । ବାପା କହିପାରିବେ ତାଙ୍କ ବିଷୟରେ । ବହୁତ୍ ଭଲ ଆଉ ଭଦ୍ର ଲୋକ ଥିଲେ ସେ ମହିଳା । କିନ୍ତୁ ସବୁବେଳେ ଭଲଲୋକଙ୍କ ସହ ଖରାପ କାହିଁକି ହୁଏ କେଜାଣି । ତାଙ୍କର ଏକ ମାତ୍ର ଝିଅ ଯିଏ କି ଦିନେ ଆକ୍ସିଡେଣ୍ଟରେ ପଡ଼ି ପକ୍ଷାଘାତର ଶିକାର ହେଇଗଲା । ତଥାପି ମଧ୍ୟ ମାଆ ଝିଅ ଦୁଃଖେସୁଖେ କୌଣସିମତେ ଦିନ କାଟୁଥିଲେ । ସେ ମହିଳା ବହୁତ ଭଲ ବିସ୍କୁଟ ତିଆରି କରୁଥିଲେ । ଦିନେ ସେ ରୋଷେଇ କରୁଥିବା ଅବସ୍ଥାରେ ହୃଦଘାତର ଶିକାର ହେଇ ଅଚେତ ହେଇଗଲେ । ପାଖରେ ଜଳୁଥିବା ଚୁଲିରୁ ନିଆଁ ଧୀରେ ଧୀରେ ସାରା ଘରକୁ ବ୍ୟାପିବାକୁ ଲାଗିଲା । ହାତ ଗୋଡ଼ ଚାଲୁ ନଥିବା ଝିଅଟି କୁଆଡ଼େ ଯାଇ ନପାରି ଜୀବନ୍ତ ଦଗ୍ଧ ହେଇଗଲା ସେ ଘରଟିରେ ମାଆ ସହିତ । ପୋଷ୍ଟମର୍ଟମରୁ ଏ ଦୁଃଖଦ ଘଟଣା ଜଣା ପଡ଼ିଲା ଯେ କଲବଲ ହେଇ ଜୀବନ୍ତ ଦଗ୍ଧ ହେଇଥିଲେ ସେଦିନ ସେଇଠି ମାଆ ଝିଅ । ସେଇ ଦିନଠାରୁ ସେ ଘର ସେମିତି ପଡ଼ିଛି । କାହା ଯିବା ଆସିବା ନାହିଁ ସେ ଜାଗାକୁ, କି କେହି କିଣିବାକୁ ବି ଚାହାନ୍ତି ନାହିଁ, ବମ୍ୱେ ପରି ସହରରେ ଥାଇ ମଧ୍ୟ । ଆପଣ କାହିଁକି ପଚାରୁଥିଲେ ଆପଣ କ’ଣ ସେ ଜାଗା କିଣିବାକୁ ଯାଉଛନ୍ତି?
ଅବନୀ ବାକ୍ଶୂନ୍ୟ ହେଇଗଲେ, ତାଙ୍କ ପୁଅକୁ ଯେ କେହି ଅଶରୀରି ଦେଖା ଯାଉଛନ୍ତି ଜାଣିପାରି ଆହୁରି ଭୟଭୀତ ହେଇଗଲେ । ଯଦି କୋଉ ଵ୍ୟକ୍ତିର ମରଣ ଆସନ୍ନ ତାଙ୍କୁ ସବୁ ଅଶରିରୀ ଦେଖାଯାନ୍ତି ବୋଲି ସେ ଶୁଣିଥିଲେ, ତେବେ କ’ଣ ସେମାନେ ତାଙ୍କ ପୁଅର ପ୍ରାଣ ନେବାକୁ ଚାହାନ୍ତି, କିନ୍ତୁ କାହିଁକି? ଏକ ନିଶ୍ୱାସ ହେଇ ସେ ପରିତ୍ୟକ୍ତ ଘରଆଡ଼କୁ ଦୌଡ଼ିଲେ । ସେ ଘର ମଝିରେ ବସି ପଡ଼ି ବିକଳ ଭାବରେ କାନ୍ଦିବାକୁ ଲାଗିଲେ । ବିକଳ ହେଇ କହୁଥାନ୍ତି, “ମୋ ପୁଅକୁ ମୋ’ଠାରୁ ଛଡ଼େଇ ନିଅନି ତମେ । କେହି ନାହାନ୍ତି ମୋର ଆଉ ଦୁନିଆରେ ତା’ ଛଡ଼ା । ଯଦି ତମକୁ କାହା ପ୍ରାଣ ଦରକାର ତ ମୋତେ ନେଇଯାଅ ।” କାହିଁକି ଏଇଠିକୁ ଆସି ସେ ଏ ପ୍ରଳାପ କରୁଥିଲେ ତାଙ୍କୁ ନିଜକୁ ବି ଅଜଣା ଥିଲା । କିନ୍ତୁ ଲାଗୁଥିଲା ଯେମିତି ସେଇ ଝିଅ ହିଁ ତାଙ୍କ ପୁଅକୁ ବଞ୍ଚେଇ ପାରିବ । ହଠାତ୍ ତାଙ୍କ ଉପରେ ଭଙ୍ଗାଘରର ସବୁ ପୋଡ଼ା କଡ଼ି, କାଠ ଅଙ୍ଗାର ହେଇ ଭୁସଭାସ ପଡ଼ିବା ପରି ଲାଗିଲା । କେହି ଦୁଇ ଜଣ ସମ୍ପୂର୍ଣ ଦଗ୍ଧୀଭୂତ କାୟା ତାଙ୍କ ଆଡ଼କୁ ଆଗେଇ ଆସୁଥିଲେ, ଜଣେ ସେଥିରୁ ହୁଇଲ୍ ଚେଆରରେ ବସି ଆସୁଥିବା ପରି ଦିଶୁଥାଏ । ଆଉ ତାଙ୍କ ପଛରୁ ରକିକୁ ମଧ୍ୟ ତାଙ୍କ ଆଡ଼କୁ ହସି ହସି ଆସୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲେ ଆଉ ସେଇଠି ଚେତା ହରେଇଲେ । ଚେତା ଆସିଲା ତାଙ୍କ ଫୋନ ବାଜିବାରୁ, ହସ୍ପିଟାଲରୁ ଫୋନ ଆସିଥିଲା, ରକିର ଅବସ୍ଥା ହଠାତ୍ ସୁଧୁରିବାକୁ ଲାଗିଥିଲା, କେମୋ ବହୁତ୍ ଭଲ କାମ ଦେଇଛି ବୋଲି ଡାକ୍ତର କହୁଥିଲେ । ଆଉ ଅଳ୍ପ ଦିନରେ ସେ ନିଶ୍ଚୟ ସମ୍ପୂର୍ଣ୍ଣ ସୁସ୍ଥ ହେଇଯିବ ବୋଲି ଅବନୀକୁ ଡାକ୍ତର ଉତ୍ସାହିତ ହେଇ କହୁଥାନ୍ତି ।
ଅବନୀ ଏକ ଦୀର୍ଘ ନିଶ୍ଵାସ ଛାଡ଼ି ହାତ ଯୋଡ଼ି ଉପରକୁ ଚାହିଁଲା ଆଉ କେଉଁ ଅଦୃଶକୁ ଧନ୍ୟବାଦ ଦେଲା, ତାକୁ ଯେମିତି ଲାଗୁଥିଲା ସେଇ ଝିଅଟି ହସି ହସି ତାକୁ ତାଙ୍କ ପୁଅର ନବଜନ୍ମ ପାଇଁ ଶୁଭେଚ୍ଛା ଜଣାଉଛି ।
– ସୌମ୍ୟା ରଥ
Comments
ସୌମ୍ୟା ପ୍ରିୟଦର୍ଶିନୀ ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରିଥାନ୍ତି । ସେ ମୁଖ୍ୟତଃ ଭୂତ ଗପରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ଆଦୃତି ଲାଭ କରିଛି । ସେ ଭୂତ ଗପ ବ୍ୟତୀତ ପ୍ରେମ ଭର ଗପ ତଥା ସାମାଜିକ ଚଳଣୀକୁ ନେଇ କିଛି କିଛି କ୍ଷୁଦ୍ର ଗପ ମଧ୍ୟ ରଚନା କରିଥାନ୍ତି ।