ଅନେଇ ରହିଥିଲା ସେ ନିଶା ଅନ୍ଧକାରେ
ବକ୍ଷେ ଜାବୁଡ଼ି ଦୁଇ ସୁତ
ଶଙ୍ଖା ସିନ୍ଦୂରର ପଥକୁ ଅନେଇ
ତା’ ପ୍ରାଣର ପ୍ରିୟକୁ ସେ ତ !
ବାହୁଡ଼ିବେ ଆଜି ବୋଲି କର୍ମଯୁଦ୍ଧରୁ
ଦେଇଥିଲେ ସେ କଥା
କାଲି ସାବିତ୍ରୀରେ ଶାଢ଼ୀ, ଚୁଡ଼ି ଉପହାରେ
ହରିବେ ପତ୍ନୀଙ୍କ ବ୍ୟଥା ।
ହେଲେ ସେ ପାଗଳି ଅଶ୍ରୁଭରା ନୟନେ
ଅଳ୍ପ ହସି କହିଲା ଖାଲି
ଆସିଯାଅ ତୁମେ ସେଇ ମୋ ସମ୍ପତ୍ତି
ଲୋଡ଼ା ନାହିଁ ଶାଢ଼ୀ, ଚୁଡ଼ି ।
ଅନ୍ଧାର ବିସ୍ତାର କରୁଛି ତା’ କାୟା
ଦେଖା ନାହିଁ ତାଙ୍କ ମୁଖ
ଅଜଣା ଭୟରେ ଛାତି ତା’ କମ୍ପଇ
ଛଡ଼ାଇ ସବୁ ଶୋଷ, ଭୋକ ।
ଦୀର୍ଘ ଦିନର ଲମ୍ବା ଦୂରତାକୁ
ପୁଣି ଏ ବଇରୀ ରଜନୀ
ସତେ ସାଜିଛି ତା’ ସଉତୁଣୀ
ତୁହାକୁ ତୁହା ଭୟ ଘେନି ।
ଏତିକିବେଳେ ଯେ କେହିଜଣେ ଆସି
ଦେଲେ ତାଙ୍କ ଦୁର୍ଘଟଣା ଖବର
ଛାତିରୁ ସତେ ଅବା ଅତଡ଼ା ଖସିଲା
ହେଲା ସତେ ମତି ଭ୍ରମ !
ଦଉଡ଼ିଗଲା ବେଗେ ଡାକ୍ତରଖାନାକୁ
ଦେଖେ ଶଯ୍ୟାରେ ତା’ର ପ୍ରାଣ
ଆଖିରୁ ଲୋତକ ବନ୍ୟା ସାଜି ଝରେ
ସତେ କି ଭାସିବ ସଂସାର !
ଜୀବନର ଭୟ ରକ୍ତ ଯୋଗୁଁ ଶୁଣି
ଡାକ୍ତର ବାବୁଠୁ ବେଗେ
ମୋହର ରକ୍ତ ସବୁ ତାଙ୍କୁ ଦିଅ
ଉତ୍ତାରେ ନରହି ଠାବେ ।
ଯଦି ନ ପାରୁଛ ରଖି ତାଙ୍କ ପ୍ରାଣ
ନେଇଯାଅ ବି ମୋର ତାଙ୍କ ସାଥେ
କ’ଣ ପ୍ରୟୋଜନ ଏ ଜୀବନର
ସିନ୍ଦୂର ନଥିବ ଯେବେ ସାଥେ !
ସାଙ୍ଗେ ସାଙ୍ଗେ ଯାଇ ରକତ ବୁହାଇ
ତା’ ପ୍ରାଣର ପ୍ରାଣରେ
ପୁଣି ସାଜିଥିଲା ଆଉ ଜଣେ ସାବିତ୍ରୀ
ହରେଇ ଯମଙ୍କୁ ଆଉଥରେ ।
ଶଯ୍ୟାରେ ଥାଇ ଆଖି ଖୋଲନ୍ତି
ଯେବେ ଦେଖନ୍ତି ଧର୍ମପତ୍ନୀଙ୍କୁ
ହାତ ବଢ଼ାଇ ଦିଅନ୍ତି ଇଙ୍ଗିତ
ଶାଢ଼ୀ, ଚୁଡ଼ି ଆଉ ଶଙ୍ଖାକୁ ।
ପୁଣି ଥରେ ଭରି ଆଖିଏ ଲୁହ
ଦୋହରାଇ ସେହି କଥା
ତୁମେ ହିଁ ତ ଶଙ୍ଖା ସିନ୍ଦୂରର ଅର୍ଥ
ତୁମ ବିନା ଏସବୁ ଅନ୍ୟଥା ।
ଦୁହିଁଙ୍କ ମୁହଁରେ ଫୁଟି ଉଠିଲା
ପ୍ରେମର ଗୋଲାପି ହସ
ସାଜିଥିଲା ଆଜି ଆଉ ଏକ ସାବିତ୍ରୀ
ଫିଟେଇ ଯମଙ୍କ ଫାଶ ।
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।