କାଳେ ତୁ ନ ଚାହିଁଲେ ଗଛରେ ନହଲେ ପତର
କାଳେ ତୋ ଅଧର ନାଲିରେ ପାହାନ୍ତି ସୁରୁଜ
ଗାଏ ଗୀତ ବିଞ୍ଚି ଲାଳିମା କିରଣ ଅତର !
କାଳେ ତୋ ବଇଁଶୀ ସୁରେ ବହେ ମୃଦୁ ମଳୟ
କାଳେ ତୋ ଚକାନୟନ ପଲକେ ଆଖି ଖୋଲେ
ଏ ଧରା ଝୁମି ଝୁମି ନାଚି ନାଚି ବାନ୍ଧି ଘୁଙ୍ଗୁର !
କାଳେ ତୋ ନାଲି ହସେ ମହକି ଉଠେ ମନ ଅଗଣା
ହୃଦୟ, ଚିତ୍ତ ଗଙ୍ଗା ସାଜି ବହେ ତୋ ପାଶେ
ଭକ୍ତିର ସୁଅ ଛୁଟେ ଭାଙ୍ଗି ବନ୍ଧ ମୋହମାୟାର !
ବାଙ୍କ ଚାହାଣୀରେ କାଳେ ତୁ ଚୋରାଉ ହୃଦୟ
ଭକ୍ତ ହଜେ ତୋ ନୟନ ଯୁଗଳେ ହୋଇ ବନ୍ଦୀ
ଭାବର ଅଶ୍ରୁରେ ଭିଜି ଢାଳି ଆବେଗ ଭକ୍ତିର !
ଜୀବନ ସାଗରେ କାଳେ ତୋ ନାମ ସୁରକ୍ଷା କବଚ
ସକାଳ ହୁଏ ଆରମ୍ଭ ତୋ ନାଁ ତୁଣ୍ଡେ ନେଇ
ନୀଡ଼ ତୁ ଜୀବନ ଅପରାହ୍ନେ ବାହୁଡ଼ା ପକ୍ଷୀର !
ଜାଣିବାକୁ ତତେ କରେ ଚେଷ୍ଟା ହଜି ଚକା ଅନ୍ତରୀକ୍ଷେ
ତୋର ପାଦପଦ୍ମ ତଳେ ପାଇବାକୁ ଟିକେ ସ୍ଥାନ
ସମର୍ପିଛି ଆତ୍ମା ତୋ ଭାବ ସାଗରେ କରି ସ୍ନାନ ଭକ୍ତିର ।
ଯେବେଠୁ କରିଛି ତତେ ମୁଁ ମୋ ତୁଣ୍ଡ ଜପାମାଳି
ଜୀବନ ମହକେ ଚନ୍ଦନ, ତୁଳସୀ ସୁବାସରେ ଭରି
ଭେଦି ଅତଳ ଚଞ୍ଚଳ ଚିତ୍ତ ବାରିଧି କରି ଶୁଦ୍ଧ, ସ୍ଥିର ।
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।