You are currently viewing ଦାନ
Odia Story Dana (ଦାନ) by Abinash Mahakul

ଦାନ

ଘର ପାଖରେ ଥିବା ସାଇ ମନ୍ଦିରକୁ ପ୍ରତି ଗୁରୁବାର ଯିବା ମହାନ୍ତି ବାବୁଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେଇସାରିଥିଲା । ସେଦିନ ଗୁରୁପୂର୍ଣ୍ଣମୀରେ ସାଇମନ୍ଦିରରେ ସକାଳୁ ସକାଳୁ ଜନଗହଳି ହୋଇ ସାରିଥାଏ । ଅଫିସ ଯିବା ପୂର୍ବରୁ ମହାନ୍ତି ବାବୁ ସକାଳୁ ଗାଧେଇ ତରତରରେ ସାଇ ମନ୍ଦିରକୁ ଯାଉଥାନ୍ତି । ମନ୍ଦିରର ପାହାଚ ଚଢ଼ୁ ଚଢ଼ୁ ଜଣେ ବୃଦ୍ଧ ଭିକାରୀ ମହାନ୍ତି ବାବୁଙ୍କୁ କାକୁତି ମିନତୀ ହୋଇ ଭିକ୍ଷା ଆଶା କରୁଥିଲା । ମହାନ୍ତି ବାବୁ ଭିକାରୀଟିକୁ ନାନା ଭତ୍ସନା କରି ସକାଳୁ ଭିକାରୀ ମୁଖ ଦର୍ଶନ କରିଥିବାରୁ ଦିନଟି ଖରାପ ବୋଲି ବିଚାର କରି ପାହାଚ ଅତିକ୍ରମ କରି ବାବାଙ୍କ ମୂର୍ତ୍ତି ସମ୍ମୁଖରେ ପହଞ୍ଚି ସାରିଥିଲେ । ମନ୍ଦିରରେ ବାବାଙ୍କୁ ପ୍ରଣାମ କରି ନୈବେଦ୍ୟ ଅର୍ପଣ କରି ପାଦୁକା ପାଇଲେ । ବ୍ରାହ୍ମଣଙ୍କୁ ଦକ୍ଷିଣା ଦେବା ପାଇଁ ପକେଟରେ ପର୍ସ ଖୋଜିବା ବେଳକୁ ପକେଟରେ ପର୍ସ ନଥିଲା । ସେଠାରେ ଏପାଖସେପାଖ ଖୋଜାଖୋଜି କରି ନ ମିଳିଲାରୁ ମନ ଦୁଃଖରେ ଭୋଗ ଧରି ଫେରୁଥିଲେ । ହଠାତ “ବାବୁ ବାବୁ” ବୋଲି କାହାର ଡାକରେ ପଛକୁ ଫେରି ଦେଖିଲେ ସେହି ବୃଦ୍ଧ ଭିକାରୀଟି ମନିପର୍ସ ଧରି ଠିଆ ହେଇଛି । ମହାନ୍ତି ବାବୁ କିଛି କହିବା ଆଗରୁ ଭିକାରୀଟି ତାଙ୍କ ହାତକୁ ପର୍ସଟି ବଢ଼ାଇ ଦେଇଥିଲା । ମହାନ୍ତି ବାବୁ ପର୍ସ ଖୋଲି ସବୁକିଛି ଯଥାବିଧି ଥିବା ଦେଖି ଭିକାରୀଟିକୁ କୃତଜ୍ଞତା ଜଣାଇବା ବେଳକୁ ଭିକାରୀଟି ଭିଡ଼ ଭିତରେ ହଜି ଯାଇଥିଲା । ମହାନ୍ତି ବାବୁ ନୀରବରେ ଅନୁତାପର ଅଶ୍ରୁ ତର୍ପଣ କରିଚାଲିଥିଲେ ।

– ଅବିନାଶ ମହାକୁଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅବିନାଶ ମହାକୁଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।