ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା ୧୯୫୮ରେ । ଏଥିପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମି ଯେଉଁ ମହାନ୍ ଓଡ଼ିଆଙ୍କ ଯୁକ୍ତିକୁ ଗ୍ରହଣ କରିଥିଲା, ସେ ହେଉଛନ୍ତି ‘କବିଚନ୍ଦ୍ର’ କାଳୀଚରଣ ପଟ୍ଟନାୟକ । ଓଡ଼ିଶାର ରଂଗମଂଚ ଆନ୍ଦୋଳନର ଏହି ବିପ୍ଳବୀ ଏକାଧାରରେ ଥିଲେ କବି, ନାଟ୍ୟକାର, ଗବେଷକ, ସଂଗୀତ ନିର୍ଦେଶକ, ଗାୟକ ଓ ଅଭିନେତା ।
ନିଜ ଜୀବନ କାଳରେ ବହୁ ଯଶଃ ଲାଭ କରିଥିଲେ; ପୁଣି, ଅପବାଦିତ ମଧ୍ୟ ହୋଇଥିଲେ । ପରଲୋକର ମାତ୍ର ଏକ ବର୍ଷ ପୂର୍ବରୁ ତାଙ୍କର ଆତ୍ମଚରିତ ‘କୁମ୍ଭାର ଚକ’ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲା । ସେ ଭାରତ ସରକାରଙ୍କ ପ୍ରଦତ୍ତ ‘ପଦ୍ମ ଶ୍ରୀ’ ଉପାଧି ପ୍ରତ୍ୟାଖ୍ୟାନ କରିଥିଲେ । କାଳୀଚରଣ ଓଡ଼ିଶାର ସର୍ବଶ୍ରେଷ୍ଠ ସଫଳ ମଞ୍ଚ ପରିଚାଳକ, ଯିଏ ନାଟକ ସହ ଏକାଧିକ ଦଶନ୍ଧି ସକ୍ରିୟ ଭାବେ ସଂପୃକ୍ତ ଥିଲେ । ସେ ‘ରାସ’ ମାଧ୍ୟମରେ ନାଟକ କ୍ଷେତ୍ରରେ ପ୍ରବେଶ କରିଥିଲେ ।
୧୯୧୮ରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ ନାଟକ ‘ଧ୍ରୁବ’ । ରାସ ନାଟକ ସହ ସଂପର୍କ ୧୯୩୯ ଯାଏ ଥିଲା । ଏକ ବ୍ୟବସାୟିକ ରାସ ଦଳ ଗଢ଼ି ସାରା ଓଡ଼ିଶା ବୁଲିବୁଲି ରାସ-ରସ ପରିବେଷଣ କରିଥିଲେ । ରାସରେ ପ୍ରହସନ ଭର୍ତ୍ତିକରି ନିନ୍ଦିତ ମଧ୍ୟ ହୋଇଥିଲେ । ‘ଅଜବ ସହର ପୁରୀରେ ଭାଇ! ଅଜବ ସହର ପୁରୀ । ମଶା, ମୂଷା, ମହନ୍ତ, ମାତା; ମାଙ୍କଡ଼, ମାହାରୀ ଏଠି କରତା ।’- ଏହି ଲେଖା ପୁରୀର ମାତା, ମହନ୍ତଙ୍କୁ ବଡ଼ ଅସ୍ୱସ୍ତି ଦେଇଥିଲା । ତୀବ୍ର ପ୍ରତିକ୍ରିୟା ଯୋଗୁଁ ସେ ପୁରୀ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।
୧୯୩୯ରେ କାଳୀଚରଣ ରାସ ଛାଡ଼ି ଗଢ଼ିଥିଲେ ‘ଓଡ଼ିଶା ଥିଏଟର୍ସ୍’ । ତାଙ୍କ ଦ୍ୱାରା ଲିଖିତ ପ୍ରଥମ ସାମାଜିକ ନାଟକ ହେଉଛି ‘ପ୍ରତିଶୋଧ’ । ‘ଭାତ’, ‘ଅଭିଯାନ’, ‘ଚକ୍ରୀ’, ‘ରକ୍ତମାଟି’, ‘ହରଣଚାଳ’ ଆଦି ତାଙ୍କର ଶ୍ରେଷ୍ଠ କୃତି ଅନ୍ତର୍ଭୁକ୍ତ । ମୁଖ୍ୟତଃ ନାଟକକୁ ସମ୍ୱଳ କରି ସେ ପେଟ ପୋଷୁଥିଲେ । ଓଡ଼ିଆ ଜାତିକୁ ଅନେକ କିଛି ଦେଇ ମଧ୍ୟ ଶେଷ ଜୀବନରେ ବହୁ କଷ୍ଟ ଭୋଗିଥିଲେ । ପତ୍ନୀଙ୍କ ଦେହାନ୍ତ ପରେ ଏକରକମ ନିଃସଙ୍ଗ ଜୀବନ ବଞ୍ଚିଥିଲେ । ୧୮୯୭ ଡିସେମ୍ୱର୍ ୨୩ରେ ସେ ଜନ୍ମ ହୋଇଥିଲେ । ୧୪ ଜୁଲାଇ ୧୯୭୮ରେ ତାଙ୍କର ପରଲୋକ ହୋଇଥିଲା ।
– ସିନ୍ଧୁଜ୍ୟୋତି ତ୍ରିପାଠୀ
Comments
ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର “ସମ୍ବାଦ” ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।